ଆଇପିଏଲ-୨୦୨୩ : ବାଙ୍ଗାଲୋରକୁ ୧ ଉଇକେଟରେ ହରାଇ ଟେବୁଲ ଶୀର୍ଷରେ ଲକ୍ଷ୍ନୌ
ବେଙ୍ଗାଲୁରୁ : ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ)-୨୦୨୩ର ରବିବାର ୧୫ତମ ମ୍ୟାଚ ବେଙ୍ଗାଲୁରୁର ଏମ.ଚିନ୍ନାସ୍ବାମୀ ଷ୍ଟାଡିୟମରେ ଖେଳା ଯାଇଥିଲା । ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ ମୁହାଁମୁହିଁ ହୋଇଥିଲେ । ମ୍ୟାଚରେ ଲକ୍ଷ୍ନୌ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିବା ବେଳେ ଆରସିବି ବ୍ୟାଟିଂ କରିବାକୁ ପଡିଆ ଓହ୍ଲାଇଥିଲା। ତେବେ ଆରସିବି ୨୦ ଓଭରରେ ୨ ଉଇକେଟ୍ ହରାଇ ୨୧୨ ରନ୍ କରିଥିବା ବେଳେ ଲକ୍ଷ୍ନୌ ସୁପର ଜିଆଣ୍ଟସ ପାଇଁ ୨୧୩ ରନ୍ର ବିଜୟ ଲକ୍ଷ୍ୟ ରହିଥିଲା । ଏହି ଟାର୍ଗେଟକୁ ଲକ୍ଷ୍ନୌ ହାସଲ କରି ନେଇଥିଲା । ଶେଷ ବଲ ପର୍ଯ୍ୟନ୍ତ ମ୍ୟାଚ କିଏ ଜିତିବ ସେ ନେଇ କଳ୍ପନାଜଳ୍ପନା ଲାଗି ରହିଥିବା ବେଳେ ୧ ଉଇକେଟରେ ବାଙ୍ଗାଲୋରକୁ ହରାଇଲା ଲକ୍ଷ୍ନୌ । ଏହି ବିଜୟ ଲକ୍ଷ୍ନୌ ପଏଣ୍ଟ ଟେବୁଲର ଶୀର୍ଷ ସ୍ଥାନ ହାସଲ କରିଛି ।
ନିକୋଲାସ ପୂରନଙ୍କ ଝଡ ଆଗରେ ଫିକା ପଡିଲା ବିରାଟ କୋହଲି, ଡୁ ପ୍ଲେସିସ୍ ଏବଂ ମ୍ୟାକ୍ସଓ୍ଵେଲଙ୍କ ବିସ୍ଫୋରକ ଅର୍ଦ୍ଧଶତକ। ୨୧୨ ରନ ସ୍କୋର କରି ବି ପରାଜୟରୁ ବର୍ତ୍ତି ପାରିନି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ। ପୂରନ ଏବଂ ମାର୍କସ ଷ୍ଟୋଇନିସଙ୍କ ଧୂଆଁଧାର ଅର୍ଦ୍ଧଶତକ ବଳରେ ଲକ୍ଷ୍ନୌ ସଂଘର୍ଷପୂର୍ଣ୍ଣ ମୁକାବିଲାରେ ଏକ ଓ୍ଵିକେଟରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ପରାସ୍ତ କରିଛି।
ମ୍ୟାଚରେ ଲକ୍ଷ୍ନୌ ଦଳ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରି ବାଙ୍ଗାଲୋର ଦଳ ୨୦ ଓଭରରେ ମାତ୍ର ୨ଟି ଓ୍ବିକେଟ ହରାଇ ୨୧୨ରନ କରିଥିଲା । ଦଳର ଦୁଇ ଓପନର ବିରାଟ କୋହଲି ଓ ଫାଫ ଡୁପ୍ଲେସିସ ଆରମ୍ଭରୁ ହିଁ ବିସ୍ଫୋରକ ବ୍ୟାଟିଂ କରିଥିଲେ । ଉଭୟ ପ୍ରଥମ ଓ୍ବିକେଟ ଯୋଡ଼ିରେ ୯୬ରନ କରିଥିଲେ । କୋହଲି ୬୧ ରନ କରିଥିବାବେଳେ ଡୁପ୍ଲେସିସ ମାତ୍ର ୪୬ଟି ବଲରେ ୭୯ରନ କରିଥିଲେ । ସେ ୫ଟି ଛକା ଓ ୫ଟି ଚୌକା ମାରିଥିଲେ । କୋହଲି ଆଉଟ ହେବା ପରେ ଆସିଥିବା ଗ୍ଲେନ ମାକ୍ସଓ୍ବେଲ ମଧ୍ୟ ବିସ୍ଫୋରକ ବ୍ୟାଟିଂ କରି ମାତ୍ର ୨୯ଟି ବଲରୁ ୫୯ରନ କରିଥିଲେ । ସେ ୬ଟି ଛକା ଓ ୩ଟି ଚୌକା ମାରିଥିଲେ । ଲକ୍ଷ୍ନୌ ପକ୍ଷରୁ ଅମିତ ମିଶ୍ରା ଓ ମାର୍କ ଉଡ୍ ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ ।
୨୧୩ ରନର ବିଶାଳ ବିଜୟ ଲକ୍ଷ୍ୟ ପିଛା କରିଥିବା ଲକ୍ଷ୍ନୌ ଦଳର ଆରମ୍ଭ ନିରାଶ ଜନକ ଥିଲା। ୧ ରନ ସ୍କୋରରେ ଇନଫର୍ମ ବ୍ୟାଟର କାଇଲ ମେୟର୍ସ ବିନା ଖାତା ଖୋଲି ପାଭିଲିୟନ ଫେରିଥିଲେ। ପୁଣି ଦଳୀୟ ସ୍କୋର ୨୩ ରନରେ ଦୀପକ ହୁଡ୍ଡା(୯) ପୁଣି ଥରେ ବିଫଳ ହୋଇଥିଲେ। କୃଣାଲ ପାଣ୍ଡ୍ୟା ବି ଖାତା ଖୋଲି ପାରିନଥିଲେ। ୨୩ ରନ ଭିତରେ ୩ ଓ୍ଵିକେଟ୍ ହରାଇ ମୁସ୍କିଲ ସ୍ଥିତିରେ ଥିବା ଲକ୍ଷୌର ମୋର୍ଚ୍ଚା ସମ୍ଭାଳିଥିଲେ ଅଧିନାୟକ କେଏଲ ରାହୁଲ ଏବଂ ମାର୍କସ ଷ୍ଟୋଇନିସ୍। ତେବେ ଷ୍ଟୋଇନିସ୍ ବିସ୍ଫୋରକ ବ୍ୟାଟିଂ କରି ଦଳକୁ ମ୍ୟାଚରେ ପ୍ରତ୍ୟାବର୍ତ୍ତନ କରାଇଥିଲେ। ଦଳୀୟ ସ୍କୋର ୯୯ ରନରେ ଚୁତର୍ଥ ଓ୍ଵିକେଟ୍ ହରାଇଥିଲା ଲକ୍ଷ୍ନୌ। କେଏଲ ରାହୁଲ ୧୮ ରନର ଧିମା ଇନିଂସ ଖେଳିଥିଲେ। ବିସ୍ଫୋରକ ଅର୍ଦ୍ଧଶତକ ସହ ବ୍ୟାଟିଂ କରୁଥିବା ଷ୍ଟୋଇନିସ୍ ଦଳୀୟ ସ୍କୋର ୧୦୫ରେ ଆଉଟ୍ ହୋଇଥିଲେ। ସେ ୩୦ ବଲରୁ ୬ ଚୌକା ଏବଂ ୫ ଛକା ସହ ୬୫ ରନ କରିଥିଲେ। ଲାଗୁଥିଲା ଆରସିବି ବିଜୟ ହାସଲ କରିବ। ତେବେ ନିକୋଲାସ ପୂରନ କ୍ରିଜକୁ ଆସିବା ମାତ୍ରେ ମ୍ୟାଚର ଗତିପଥ ବଦଳାଇ ଦେଇଥିଲେ। ଧୂଆଁଧାର ବ୍ୟାଟିଂ କରି ମାତ୍ର ୧୫ ବଲରୁ ଅର୍ଦ୍ଧଶତକ ହାସଲ କରି ଲକ୍ଷ୍ନୌକୁ ମ୍ୟାଚରେ ପ୍ରତ୍ୟାବର୍ତ୍ତନ କରାଇଥିଲେ। ସେ ମାତ୍ର ୧୮ ବଲରୁ ୪ ଚୌକା ଏବଂ ୭ ଛକା ଜରିଆରେ ୬୨ ରନର ଚମତ୍କାର ଇନିଂସ ଖେଳି ଦଳକୁ ବିଜୟର ଦ୍ଵାର ଦେଶରେ ପହଞ୍ଚାଇଥିଲେ। ଏହା ପରେ ଆୟୁଷ ବାଦୋନୀ(୩୦) ଆଉଟ୍ ହୋଇଥିଲେ। ମାର୍କ ଉଡ୍ ଏବଂ ଜୟଦେବ ଉନାଦକତଙ୍କୁ ଆଉଟ୍ କରି ଆରସିବି ମ୍ୟାଚରେ ପ୍ରତ୍ୟାବର୍ତ୍ତନ କରିଥିଲା। ଶେଷ ଓଭରର ଶେଷ ବଲ୍ ପର୍ଯ୍ୟନ୍ତ ମ୍ୟାଚ୍ ଯାଇଥିଲା। ଆଉ ଶେଷରେ ବାଜି ମାରିନେଲା ଲକ୍ଷ୍ନୌ। ନିର୍ଦ୍ଧାରିତ ୨୦ ଓଭରରେ ୯ ଓ୍ଵିକେଟ୍ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଛି।
