ରମାଦେବୀ ପାଚେରୀ ଭୁଷୁଡିବା ଘଟଣା : ଘଟଣାସ୍ଥଳ ପରିଦର୍ଶନ କଲା ବିଜେପି ଟିମ୍
ଭୁବନେଶ୍ୱର : ନିମ୍ନ ମାନର ନିର୍ମାଣ ପାଇଁ ରମାଦେବୀ ବିଶ୍ୱବିଦ୍ୟାଳୟ ପାଚେରୀ ଭୁଷୁଡିବା ଘଟଣାକୁ ନିନ୍ଦା କରିଛି ଭୁବନେଶ୍ୱର ଜିଲ୍ଲା ବିଜେପି । ଜିଲ୍ଲା ସଭାପତି ବାବୁ ସିଂଙ୍କ ନେତୃତ୍ୱରେ ସୋମବାର ଏକ ପ୍ରତିନିଧି ଦଳ ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି । ଏହାପରେ ଶ୍ରୀ ସିଂ କହିଛନ୍ତି ଯେ ମେୟର ସୁଲୋଚନା ଦାଶ ଏକ ବର୍ଷ ପୂର୍ତି ପାଳନ କରି ରାଜଧାନୀ ବିକାଶର ଲମ୍ବା ଭାଷଣ ଦେଉଛନ୍ତି ଯାହା ସମ୍ପୂର୍ଣ୍ଣ ମିଥ୍ୟା । ରମାଦେବୀ ବିଶ୍ୱବିଦ୍ୟାଳୟର ପ୍ରମୁଖ ପାଚେରୀ(୧୦ଫୁଟର) ଜନପଥ ଭେଣ୍ଡିଂ ଜୋନ୍କୁ ଲାଗି ରହିଛି । ଏହି ପାଚେରୀ ବିନା ପିଲରରେ ନିର୍ମାଣ ହୋଇଥିଲା ଯାହା ଭୂଷୁଡି ପଡିଛି । ନବୀନ ବାବୁ ଦୀର୍ଘ ୨୩ବର୍ଷ ଓଡ଼ିଶାବାସୀଙ୍କୁ ଯେଭଳି ଭୂଆଁ ବୁଲାଇ ଶାସନ କରିଛନ୍ତି ଠିକ୍ ସେମିତି ରାଜଧାନୀର ମେୟର ବର୍ଷେକାଳ ରାଜଧାନୀ ବାସୀ ଓ ଛାତ୍ରଛାତ୍ରୀମାନଙ୍କୁ ମିଥ୍ୟା କହିଛନ୍ତି । ନିମ୍ନମାନର କାମ ପାଇଁ ପାଚେରୀ ଗତକାଲି ଭୂଷୁଡିଥିଲା । କିନ୍ତୁ ଛୁଟିଦିନ ଥିବାରୁ କେହି ଛାତ୍ରୀ ଓ ସେହିବାଟ ଦେଇ ଯାତାୟତ କରୁଥିବା ଯାତ୍ରୀମାନେ ଏତେବଡ ବିପଦରୁ ରକ୍ଷା ପାଇଛନ୍ତି । ଏହାକୁ ମେୟର ସମୀକ୍ଷା ନକରି ଆଜି ବସନ୍ତ ଉତ୍ସବ ପାଳନ ଆସିବା ଲଜ୍ଜାଜନକ । ଯଥାଶୀଘ୍ର ମେୟର ପାଚେରୀର ତଦାରଖ କରି କଂଟ୍ରାକ୍ଟରଙ୍କୁ ଦଣ୍ଡ ଦେବାକୁ ରାଜ୍ୟ ପ୍ରବକ୍ତା ଦିଲୀପ ମହାନ୍ତି ଦାବି କରିଛନ୍ତି ।ଏହି ଅବସରରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗନ୍ନାଥ ପ୍ରଧାନ, କର୍ପୋରେଟର ଜୀବନ ରାଉତ, ଶ୍ରୀରାମ ମଣ୍ଡଳ ସଭାପତି ଶଶିପ୍ରଭା ରଥ, ବିଜେପି ନେତା ମନରଞ୍ଜନ ସ୍ୱାଇଁ, ଗୟାଧର ରଥ, ସଚ୍ଚିକାନ୍ତ ସ୍ୱାଇଁ, ଅଞ୍ଜନା ପାତ୍ର, ତପନ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।
