ଆଜିଠାରୁ ମା’ ତାରିଣୀଙ୍କ ଚଇତିପର୍ବ
କେନ୍ଦୁଝର : ଆଜିଠାରୁ ମା’ ତାରିଣୀଙ୍କ ୮୭ତମ ଚଇତି ପର୍ବ ଆରମ୍ଭ ହେବ । ଏଥିପାଇଁ ମନ୍ଦିରରେ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଜିଲ୍ଲାପାଳ ଆଶିଷ ଠାକ୍ରେ ଏବଂ ଏସ୍ପି ମିତ୍ରଭାନୁ ମହାପାତ୍ର ଆଜି ମନ୍ଦିରରେ ପହଂଚି ସ୍ଥିତି ଅନୁଧ୍ୟାନ କରିଛନ୍ତି । ୨୦ ନମ୍ବର ଜାତୀୟ ରାଜପଥର ଉପରଡିହା ଓ ହରିଚନ୍ଦନପୁର ରାସ୍ତା, ବାଇପାସ୍ ଓ କଲେଜଛକ ନିକଟରେ ସ୍ୱାଗତ ତୋରଣ ନିର୍ମାଣ କରାଯାଇଛି । ମନ୍ଦିର ପରିସରକୁ ତାରପୋଲିନ ଛାଉଣି କରାଯିବା ସହ ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାରିକେଡ୍ ବ୍ୟବସ୍ଥା କରାଯାଇଛି । ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମକୁ ଦୃଷ୍ଟିରେ ରଖି ମନ୍ଦିର ପୂର୍ବପାର୍ଶ୍ୱରେ ଥିବା ଶାଳ ଜଙ୍ଗଲରେ ଗାଡ଼ି ପାର୍କିଂ ବ୍ୟବସ୍ଥା କରାଯାଇଛି । ଆସନ୍ତାକାଲି ଭୋରରୁ ମା\’ଙ୍କ ଷୋଡ଼ଶ ଉପଚାର କରାଯିବ । ଏହାପରେ ମା\’ଙ୍କ ସୁନାବେଶ କରାଯିବ । ବ୍ରାହ୍ମଣ ସମାଜ ପକ୍ଷରୁ ଦେବୀସ୍ତୁତି ଓ ଗୀତାପାଠ କରାଯିବ । ସେହିପରି ଭାଗବତ ପାଠ, ଚଣ୍ତୀପାଠ ଓ ପାଲାମଣ୍ତପରେ ସତ୍ୟନାରାୟଣ ପାଲା ପରିବେଷଣ କରାଯିବ । ଆସନ୍ତାକାଲି ସକାଳ ସାଢ଼େ ୯ଟାରୁ ସାଢ଼େ ୧୧ଟା ପର୍ଯ୍ୟନ୍ତ ଘଟଗାଁ ମା\’ ତାରିଣୀ ନୃତ୍ୟଶିକ୍ଷା କେନ୍ଦ୍ର, ସାଢ଼େ ୧୧ରୁ ସାଢ଼େ ୨ଟା ପର୍ଯ୍ୟନ୍ତ ଭଦକ୍ର ସ୍ୱର ସାଧନାର ଶ୍ରୀଚରଣ ମହାନ୍ତି, ୩ଟାରୁ ସାଢ଼େ ୫ଟା ପର୍ଯ୍ୟନ୍ତ ଘଟଗାଁ ମା\’ ତାରିଣୀ ସ୍ୱର ସଙ୍ଗୀତ କେନ୍ଦ୍ରର କଳାକାରମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିବେ । ସନ୍ଧ୍ୟାରେ ଗାୟତ୍ରୀ ପରିବାର ପକ୍ଷରୁ ଦୀପଯଜ୍ଞ ଏବଂ ରାତିରେ ଗାୟକ ନୃସିଂହ ଚରଣ ହୋତା ଓ ଭାସ୍କର ଚନ୍ଦ୍ର ସାହୁ ପାଲା ପରିବେଷଣ କରିବେ । ଜିଲ୍ଲାପାଳ ଆଶିଷ ଠାକ୍ରେ, ଏସ୍ପି ମିତ୍ରଭାନୁ ମହାପାତ୍ର ଆଜି ମନ୍ଦିରରେ ପହଂଚି ପ୍ରସ୍ତୁତି ସମ୍ପର୍କରେ ଅନୁଧ୍ୟାନ କରିଛନ୍ତି । ବ୍ୟାରିକେଡ୍, ପାନୀୟଜଳ ବ୍ୟବସ୍ଥା, ଗାଡ଼ି ପାର୍କିଂ ବ୍ୟବସ୍ଥା ସମ୍ପର୍କରେ ପଚାରି ବୁଝିଛନ୍ତି । ମନ୍ଦିର ବେଢ଼ା ଭିତରେ ଓ ବାହାରରେ ଶ୍ରଦ୍ଧାଳୁଙ୍କ ସୁରକ୍ଷାକୁ ଗୁରୁତ୍ୱ ଦିଆଯାଇଛି । ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବାକୁ ଏସ୍ଡିପିଓ ଓ ଘଟଗାଁ ଥାନା ଅଧିକାରୀଙ୍କୁ ନିର୍ଦେଶ ଦିଆଯାଇଛି । ଜିଲ୍ଲାପାଳ ଓ ଏସ୍ପିଙ୍କ ପରିଦର୍ଶନ ସମୟରେ କେନ୍ଦୁଝର ଉପଜିଲ୍ଲାପାଳ ରାମଚନ୍ଦ୍ର କିସ୍କୁ, ଘଟଗାଁ ତହସିଲଦାର ଜନକ ନାୟକ, ଏସଡିପିଓ ସୁଶୀଲ ମିଶ୍ର, ଥାନା ଅଧିକାରୀ ପ୍ରତିଭା ମଂଜରୀ ସାହୁ, ଆର୍ ଆଣ୍ଡ ବି ର ସହକାରୀ ଯନ୍ତ୍ରୀ ଚିତରଂଜନ ନାୟକ, ସହକାରୀ ନିର୍ବାହୀ ଯନ୍ତ୍ରୀ ମହେଶ୍ୱର ସେଠୀ, ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ସଂଜୀବ ମହାପାତ୍ର, ଦେବୋତର ବିଭାଗର ଡିଭିଜନାଲ ଇନ୍ସପେକ୍ଟର ଦକ୍ଷିଣ କୁମାର ମାରାଣ୍ଡି ପ୍ରମୁଖ ଉପସ୍ଥିତ ଥିଲେ ।
