ସନ୍ଦେହ ଘେରରେ କବିତାଙ୍କ ମୃତ୍ୟୁ, ନମୁନା ସଂଗ୍ରହ କଲା ଫରେନସିକ ଟିମ୍
ସିମୁଳିଆ : ବାଲେଶ୍ୱର ଜିଲା ସିମୁଳିଆ ବ୍ଲକ ମାର୍କୋଣା ଛକର କବିତା ପତ୍ରୀ(୫୦) ନାମକ ଜଣେ ଦଗ୍ଧ ମହିଳାଙ୍କୁ ରବିବାର ସକାଳେ ମେଡିକାଲ ନିଆଯାଉଥିବା ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି । ନିଆଁରେ ସମ୍ପୂର୍ଣ୍ଣ ପୋଡ଼ିହୋଇଯାଇଥିବା ଏହି ମହିଳାଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ବ୍ୟବସାୟୀ ମାନେ ଉଦ୍ଧାରକରି ନିକଟସ୍ଥ ସିମୁଳିଆ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ପରେ ଭୁବନେଶ୍ୱରର ଅନ୍ୟଏକ ଘରୋଇ ଡାକ୍ତରଖାନାକୁ ତାଙ୍କୁ ସ୍ଥାନାନ୍ତର କରାଯାଉଥିବା ବେଳେ ରାସ୍ତାରେ ତାଙ୍କର ମୃତ୍ୟୁ ଘଟିଥିଲା ।
ଉକ୍ତ ମହିଳା ଜଣଙ୍କ ବଜାର ମଧ୍ୟରେ ରହୁଥିବା ବେଳେ ନିଜ ଘରର ଉପରମହଲାରୁ ତଳକୁ ଆସି ପୋଡ଼ି ହୋଇଯିବା ଓ ତାଙ୍କ ଚିତ୍କାର ନଶୁଭିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି । ଅପରପକ୍ଷେ ମୃତ୍ୟୁ ପୂର୍ବରୁ ତାଙ୍କ ଦେହରେ କିରୋସିନ ଢାଳି ଜଣେ ଦୁର୍ବୃତ୍ତ ନିଆଁ ଲଗାଇ ଦେଇଥିବା ସମ୍ପରେ କବିତା ସୂଚନା ଦେଇଛନ୍ତି । ପୋଲିସ ଘଟଣାର ତଦନ୍ତ କରିବା ସହିତ ଅପମୃତ୍ୟୁ ମାମଲା (ନଂ. ୫/୨୩) ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି । ଅପରପକ୍ଷେ କବିତାଙ୍କୁ ହତ୍ୟା କରାଯିବା ସମ୍ପର୍କରେ ତାଙ୍କ ଭାଇ ଭାବଗ୍ରାହୀ ପଣ୍ଡା ଥାନାରେ ଅଭିଯୋଗ କରିଛନ୍ତି । ଏ ସମ୍ପର୍କରେ କବିତାଙ୍କ ପୁଅ ଚନ୍ଦ୍ରଶେଖର ପତ୍ରୀଙ୍କୁ ପଚାରିବାରୁ ଘରେ କୌଣସି କଳହ ନଥିବା ବେଳେ କେମିତି କଣ ଘଟିଗଲା ସେ ଜାଣିପାରୁ ନାହାଁନ୍ତି ବୋଲି କହିଛନ୍ତି । ତଦନ୍ତ ପରେ ପ୍ରକୃତ ଘଟଣା ପଦାକୁ ଆସିପାରିବ ।
ପ୍ରକାଶ ଯେ ଉକ୍ତ ମହିଳାଙ୍କ ସ୍ୱାମୀଙ୍କର ଗତ ଦୁଇବର୍ଷ ପୂର୍ବେ ମୃତ୍ୟୁ ଘଟିଛି । ଘରେ ପୁଅବୋହୁ ଅନୁପସ୍ଥିତ ଥିବା ବେଳେ ମହିଳାଙ୍କ ଶାଶୁ ଓ ଜଣେ ଭିନ୍ନକ୍ଷମ ଝିଅ ଥିଲେ ।
