ବାଲେଶ୍ୱର ଜିଲା ରିକ୍ସା ଚାଳକ ସଂଘର ତ୍ରୟୋଦଶ ସମ୍ମିଳନୀ
ବାଲେଶ୍ୱର : ବାଲେଶ୍ୱର ଜିଲା ରିକ୍ସା ଚାଳକ ସଂଘର ତ୍ରୟୋଦଶ ସମ୍ମିଳନୀ ଓ ୪୫ ତମ ବାର୍ଷିକ ଅଧିବେଶନ ରବିବାର ପୂର୍ବାହ୍ନରେ ସ୍ଥାନୀୟ ଷ୍ଟେସନ କ୍ଲବ୍ ସଭାଗୃହରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ସମ୍ମିଳନୀରେ ଗୌରାଙ୍ଗ ପାଣିଗ୍ରାହୀ ଅଧ୍ୟକ୍ଷତା କରିଥିଲେ । ଡାକକର୍ମଚାରୀ ସଂଘର ନେତା ଅକ୍ଷୟ କୁମାର ତ୍ରିପାଠୀ ସଂଘର ଲାଲ୍ ପତାକାକୁ ଉତ୍ତୋଳନ କରିଥିଲେ ।

ପ୍ରତିରକ୍ଷା କର୍ମଚାରୀ ସଂଘ ସମନ୍ୱୟ ସମିତିର ସଭାପତି ଜଗଦୀଶ ବାରିକ ସଂଘର ସଭାପତି ୰ ଅରୁଣ ଦେ’ଙ୍କ ଫଟୋଚିତ୍ରରେ ପୁଷ୍ପ ପ୍ରଦାନ କରି ଆନୁଷ୍ଠାନିକ ଭାବେ କାର୍ଯ୍ୟକ୍ରମ ଉଦ୍ଘାଟନ କରିଥିଲେ । ସମ୍ମାନିତ ଅତିଥି ଭାବେ ଆଇନଜୀବୀ ତଥା ମେଡିକାଲ୍ କଲେଜ୍ କ୍ରିୟାନୁଷ୍ଠାନ କମିଟିର ସଭାପତି ନିରଞ୍ଜନ ପରିଡ଼ା, ଟିୟୁଏସିସିର ଅଧ୍ୟକ୍ଷ ତଥା ପୂର୍ବତନ ବିଧାୟକ ପ୍ରଦୀପ୍ତ ପଣ୍ଡା, ନାରୀନେତ୍ରୀ ବନ୍ଦନା ବିଶ୍ୱାସ, ଏଆଇଟିୟୁସିର ଜିଲା ସହ-ସଂପାଦକ ଶରତ ଚନ୍ଦ୍ର ଦଳାଇ ପ୍ରମୁଖ ଯୋଗଦେଇ ‘ସମାଜର ତଳଶ୍ରେଣୀର ମଣିଷମାନେ ହିଁ ରିକ୍ସା ଚଳାନ୍ତି’ ବୋଲି କହିଥିଲେ ଓ ସେମାନଙ୍କ ସାମାଜିକ ନିରାପତ୍ତା ପାଇଁ କେନ୍ଦ୍ର ବା ରାଜ୍ୟ ସରକାର କୌଣସି ଆଇନ୍ ପ୍ରଣୟନ କରିନଥିବାରୁ ସେମାନେ ଉଦ୍ବେଗ ପ୍ରକାଶ କରିଥିଲେ । ସଂଘର ସାଧାରଣ ସମ୍ପାଦକ ସେକ୍ ସଲ୍ଲାଉଦ୍ଦିନ୍ ସମସ୍ତ ପ୍ରତିନିଧି ଓ ଅତିଥିମାନଙ୍କୁ ସ୍ୱାଗତ ଜଣାଇ ରିକ୍ସା ଚାଳକମାନଙ୍କର ସମସ୍ୟା ଉପରେ ଆଲୋକପାତ କରିଥିଲେ । ରିକ୍ସା ଚାଳକମାନଙ୍କୁ ୫୦ବର୍ଷ ପରେ ବାର୍ଦ୍ଧକ୍ୟ ଭତ୍ତା, ଭୂମିହୀନଙ୍କୁ ଜମିର ପଟ୍ଟା ଓ ପକ୍କାଘର, ରିକ୍ସାଷ୍ଟାଣ୍ଡମାନଙ୍କରୁ ଜବରଦଖଲ ଉଚ୍ଛେଦ ପ୍ରଭୃତି ଦାବି ଉପସ୍ଥାପିତ କରିଥିଲେ । ସେକ୍ ଜସ, ସର୍ବେଶ୍ୱର ହାଁସଦା, ରାଧାକାନ୍ତ ବେହେରା, ସୁଧାଂଶୁ ମୈକାପ୍ ପ୍ରମୁଖ ବାର୍ଦ୍ଧକ୍ୟ ଅବସ୍ଥାରେ ଥିବା ରିକ୍ସାଚାଳକ ମାନଙ୍କର କରୁଣ କାହାଣୀ ବର୍ଣ୍ଣନା କରିଥିଲେ । ଶାନ୍ତନୁ ଦାସ ନୂତନ କର୍ମକର୍ତ୍ତାମାନଙ୍କର ନାମ ପାଠ କରିଥିବାବେଳେ ହିସାବରକ୍ଷକ ଶ୍ୟାମସୁନ୍ଦର ଜେନା ଆୟବ୍ୟୟର ବିବରଣୀ ପାଠ କରିଥିଲେ । ସଭାକାର୍ଯ୍ୟ ଆରମ୍ଭରେ ୰ ଅରୁଣ ଦେ’ଙ୍କ ସ୍ମୃତିକୁ ସମ୍ମାନ ଜଣାଇ ଉପସ୍ଥିତ ମାନେ୨ମିନିଟ୍ ଦଣ୍ଡାୟମାନ ହୋଇଥିଲେ । ଅଫିସ୍ ସଂପାଦକ ଉମାକାନ୍ତ ଜେନା ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।

ଆସନ୍ତା ବର୍ଷ ପାଇଁ ସଭାପତି ଭାବେ ଗୌରାଙ୍ଗ ପାଣିଗ୍ରାହୀ, କାର୍ଯ୍ୟକାରୀ ସଭାପତି ଶାନ୍ତନୁ ଦାସ, ଉପ-ସଭାପତି ଜୟନ୍ତ ଦାସ, ଆଶୁତୋଷ ପରିଡ଼ା ଓ ଗୌତମ ମହାନ୍ତି, ସାଧାରଣ ସମ୍ପାଦକ ସେକ୍ ସଲ୍ଲାଉଦ୍ଦିନ୍, ହିସାବରକ୍ଷକ ଶ୍ୟାମସୁନ୍ଦର ଜେନା ଓ କୋଷାଧ୍ୟକ୍ଷ ଭାବେ ଉମାକାନ୍ତ ଜେନାଙ୍କୁ ନିର୍ବାଚିତ କରାଯାଇଛି । ବାଲେଶ୍ୱର ସହରରେ ରିକ୍ସା ଚଳାଉଥିବା ପ୍ରାୟ ୨୦୦ ରିକ୍ସାଚାଳକ ଏହି ସମ୍ମିଳନୀରେ ଉପସ୍ଥିତ ଥିଲେ ।
୧- ବାଲେଶ୍ୱର- ରବିିବାର- ସମ୍ମିଳନୀରେ ମଞ୍ଚାସୀନ ଅତିଥିଗଣ
