ଶ୍ରୀରାମ ଚେତନା ଜାଗରଣ ସଂଘ ପକ୍ଷରୁ ଭଜନ ସନ୍ଧ୍ୟା
ବାଲେଶ୍ୱର : ବାଲେଶ୍ୱର ସହଦେବଖୁଣ୍ଟାସ୍ଥିତ ଫିରିଙ୍ଗିପାଟଣା ଶ୍ରୀଶ୍ରୀ ବ୍ରଜେଶ୍ୱରଙ୍କ ମନ୍ଦିର ପ୍ରାଙ୍ଗଣରେ ରାମନବମୀ ଉପଲକ୍ଷେ ଶ୍ରୀରାମ ଚେତନା ଜାଗରଣ ସଂଘ ପକ୍ଷରୁ ଏକ ଭଜନସନ୍ଧ୍ୟା ସମାରୋହ ଅନୁଷ୍ଠିତ ହୋଇଯାଇଛି ।
ଭଜନସନ୍ଧ୍ୟା କାର୍ଯ୍ୟକ୍ରମକୁ ବାଲେଶ୍ୱର ଓକିଲ ସଂଘର ସଭାପତି ମନୋଜ କୁମାର ନାୟକ ପରିଚାଳନା କରିଥିଲେ । ମୁଖ୍ୟଅତିଥି ଭାବେ ଅତିରିକ୍ତ ଜିଲାପାଳ ନିଲୁ ମହାପାତ୍ର, ମୁଖ୍ୟବକ୍ତା ଭାବେ ଖବରଦାତା ମଧୁସୂଦନ ଦାସ ଏବଂ ସମ୍ମାନିତ ଅତିଥିଭାବେ ସଂଘର ସଭାପତି ଚିତ୍ତରଞ୍ଜନ ପଣ୍ଡା, ସମାଜସେବୀ ତଥା ଯୁବନେତା ମାନସ କୁମାର ଦତ୍ତ ଓ ଜିଲା କ୍ରୀଡ଼ା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ଜେନା ଯୋଗ ଦେଇଥିଲେ । କାର୍ଯ୍ୟକ୍ରମରେ ମନୋଜ ପୋଦ୍ଦାର, ସିମନ ଦାସ ମହାପାତ୍ର, ‘ଗୋପବନ୍ଧୁ ସୁଖଦୁଃଖର ସାଥୀ’ ସଂସ୍ଥା, ସମାଜସେବୀ ଗୌରାଙ୍ଗ ପାଣିଗ୍ରାହୀ ଏବଂ କୁନିପ୍ରତିଭା ଅମ୍ଳାନ ଦେ’ଙ୍କୁ ମାନପତ୍ର ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧନା କରାଯାଇଥିଲା । କଣ୍ଠଶିଳ୍ପୀ ପ୍ରଭୁପଦ ମହାନ୍ତି, ରବୀନ୍ଦ୍ର ମହାପାତ୍ର ଓ ସ୍ୱାଗତିକା ପତି ପ୍ରମୁଖ ସେମାନଙ୍କ ସୁମଧୁର କଣ୍ଠରେ ଭଜନ ପରିବେଷଣ କରି ଏକ ଆଧ୍ୟାମିôକ ପରିବେଶ ସୃଷ୍ଟି କରିଥିଲେ । କାର୍ଯ୍ୟକ୍ରମରେ ସ୍ଥାନୀୟ ଗ୍ରାମବାସୀ ବହୁସଂଖ୍ୟାରେ ଯୋଗଦେଇ ମନଭରି ଉପଭୋଗ କରିବା ସହ ଅନୁଷ୍ଠାନର ଏହି ଉଦ୍ୟମକୁ ଉଚ୍ଚ ପ୍ରଶଂସା କରିଥିଲେ ।
