ଆଇପିଏଲ-୨୦୨୩ : ଟସ ଜିତି ଚେନ୍ନାଇର ବୋଲିଂ ନିଷ୍ପତ୍ତି, ପ୍ରଥମେ ବ୍ୟାଟିଂ କରିବ ମୁମ୍ବାଇ
ମୁମ୍ବାଇ : ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ)-୨୦୨୩ର ୧୨ତମ ମ୍ୟାଚରେ ମୁହାଁମୁହିଁ ହେବେ ପାଞ୍ଚ ଥରର ଚମ୍ପିୟାନ ମୁମ୍ବାଇ ଇଣ୍ଡିଆନ୍ସ ଓ ଚାରିଥର ଚମ୍ପିୟାନ ଚେନ୍ନାଇ ସୁପରକିଙ୍ଗସ୍ । ଶନିବାର ସନ୍ଧ୍ୟା ୭ଟା୩୦ ମିନିଟ ସମୟରେ ଓ୍ବାଙ୍ଖଡେ କ୍ରିକେଟ ଷ୍ଟାଡିୟମରେ ଏହି ମୁକାବିଲା ଅନୁଷ୍ଠିତ ହେବ। ତେବେ ଏହା ପୂର୍ବରୁ ପଡିଥିବା ଟସ ଜିତି ଚେନ୍ନାଇ ବୋଲିଂ ନିଷ୍ପତ୍ତି ନେଇଛି । ଫଳରେ ପ୍ରଥମେ ବ୍ୟାଟିଂ କରିବ ମୁମ୍ବାଇ।
ପରିସଂଖ୍ୟାନ ଅନୁସାରେ ଉଭୟ ଦଳ ଏପର୍ଯ୍ୟନ୍ତ ୩୪ ଥର ମୁହାଁମୁହିଁ ହୋଇଛନ୍ତି। ସେଥିମଧ୍ୟରୁ ୨୦ ଟି ମ୍ୟାଚ ମୁମ୍ବାଇ ଏବଂ ୧୪ ଟି ମ୍ୟାଚ ଚେନ୍ନାଇ ଜିତିଛି। ଏଥି ସହିତ ମୁମ୍ବାଇର ଓ୍ବାଙ୍ଖଡେ କ୍ରିକେଟ ଷ୍ଟାଡିୟମରେ ଉଭୟ ଦଳ ୧୦ ଥର ମୁହାଁମୁହିଁ ହୋଇଛନ୍ତି। ସେଥିରୁ ସାତୋଟି ମ୍ୟାଚ ମୁମ୍ବାଇ ଏବଂ ତିନୋଟି ମ୍ୟାଚ ଚେନ୍ନାଇ ଜିତିଛି। ଦୁଇ ଦଳ ମଧ୍ୟରେ ଶେଷ ପାଞ୍ଚଟି ମ୍ୟାଚ ବିଷୟରେ କହିବାକୁ ଗଲେ ମୁମ୍ବାଇ ତିନୋଟି ଏବଂ ସିଏସକେ ଦୁଇଟି ଜିତିଛି।
ମୁମ୍ବାଇ-ଚେନ୍ନାଇ ମୁକାବିଲା ଉପରେ ନିଶ୍ଚିତ କ୍ରିକେଟ୍ ପ୍ରେମୀଙ୍କ ନଜର ଅଧିକ ରହିବ। ୫ ଥର ବିଜେତା ରୋହିତ ଶର୍ମାଙ୍କ ମୁମ୍ବାଇ ଇଣ୍ଡିଆନ୍ସ ପ୍ରଥମ ମ୍ୟାଚ୍ରେ ରୟାଲ୍ ଚାଲେଞ୍ଜର୍ସ ବାଙ୍ଗାଲୋର୍ ନିକଟରୁ ହାରିଥିବାରୁ ଚାପରେ ରହିଛି। ମହେନ୍ଦ୍ର ସିଂହ ଧୋନିଙ୍କ ସୁପର୍ କିଙ୍ଗ୍ସ ଉଦ୍ଘାଟନୀ ମ୍ୟାଚ୍ରେ ବିଜେତା ଗୁଜରାଟ ଜାଏଣ୍ଟସ୍ ନିକଟରୁ ହାରିଯାଇଥିଲେ ମଧ୍ୟ ଲକ୍ଷ୍ନୌ ସୁପର୍ ଜାଏଣ୍ଟସ୍କୁ ପରାସ୍ତ କରି ପ୍ରତ୍ୟାବର୍ତନ କରିଛି। ଫଳରେ ଏହି ଦୁଇ ପୁରୁଣା ଦଳ ମଧ୍ୟରେ ଆଉ ଏକ ରୋମାଞ୍ଚକ ମୁକାବିଲା ଦେଖିବାକୁ ପ୍ରଶଂସକ ଅପେକ୍ଷା କରିଛନ୍ତି। ବିଗତ ୧୫ ବର୍ଷ ମଧ୍ୟରେ ୧୩ଟି ସଂସ୍କରଣରେ ଏହି ଦୁଇ ଦଳ ପରସ୍ପର ସହ ୩୪ ଥର ଖେଳିଥିବା ବେଳେ ମୁମ୍ବାଇ ୨୦ ବିଜୟ ସହ ଆଗରେ ରହିଛି।
ରୋହିତ ଶର୍ମାଙ୍କ ପାଇଁ ବ୍ୟକ୍ତିଗତ ପ୍ରଦର୍ଶନ ଚିନ୍ତାର କାରଣ ହୋଇଛି। ବଡ଼ ସ୍କୋର୍ କରିବା ସତ୍ତ୍ବେ ଆର୍ସିବି ନିକଟରୁ ହାରିବା ମଧ୍ୟ ଦଳକୁ ଚାପରେ ରଖିଛି। କେବଳ ଚେନ୍ନାଇ ସୁପର୍ କିଙ୍ଗ୍ସର ବୋଲିଂ ଦୁର୍ବଳତାରୁ ଦଳ ଫାଇଦା ଉଠାଇବା ଆଶାରେ ରହିଛି। ଅନଭିଜ୍ଞ ରାଜବର୍ଦ୍ଧନ ହଙ୍ଗର୍ଗେକର ଓ ତୁଷାର ଦେଶପାଣ୍ଡେଙ୍କ ବିଶୃଙ୍ଖଳିତ ବୋଲିଂ ପାଇଁ ଧୋନି ଗତ ମ୍ୟାଚ୍ରେ ସତର୍କବାଣୀ ଶୁଣାଇ ସାରିଛନ୍ତି। ବ୍ୟାଟିଂ ଫ୍ରେଣ୍ଡଲି ୱାଙ୍ଖ୍ଡେ ପିଚ୍ ଏମାନଙ୍କ ପାଇଁ ଅଧିକ ଆହ୍ବାନ ଆଣିବାର ଆଶଙ୍କା ରଖିଛି। ତଥାପି ମୋଇନ୍ ଅଲୀ, ମିଚେଲ୍ ସାଣ୍ଟନର୍ଙ୍କ ବୋଲିଂ ଚେନ୍ନାଇର ଭାଗ୍ୟ ନିର୍ଣ୍ଣୟ କରିବ। ଦକ୍ଷିଣ ଆଫ୍ରିକାର ଯୁବ ବୋଲର ସିସାନ୍ଦା ମଗଲା ୱାଇଡ୍ ୟର୍କର ପାଇଁ ବିଶେଷ ପରିଚିତି ରଖିଥିବାରୁ ସାଣ୍ଟନରଙ୍କ ବଦଳରେ ଖେଳିପାରନ୍ତି। ମୁମ୍ବାଇ ପାଇଁ ଜୋଫ୍ରା ଆର୍ଚର, ଅର୍ସଦ ଖାନ୍, କାମେରନ୍ ଗ୍ରିନ୍, ଈଶାନ କିଶନ ନିଶ୍ଚିତ ଭଲ କରିବାକୁ ଆଶା ରଖିବେ। ସୂର୍ଯ୍ୟକୁମାର ଯାଦବ, ରୋହିତ ଶର୍ମାଙ୍କଠାରୁ ପ୍ରଭାବୀ ପ୍ରଦର୍ଶନର ଲମ୍ବା ଅପେକ୍ଷା ରହିଲାଣି। ତିଲକ ବର୍ମା ଗତ ମ୍ୟାଚ୍ରେ ଲଢ଼ୁଆ ପ୍ରଦର୍ଶନ କରିଥିଲେ। ଅନ୍ୟପକ୍ଷରେ ଦୀପକ ଚହର ଆହତ ସମସ୍ୟାରୁ ଫେରିବା ପରଠାରୁ ସେତେଟା ଭଲ କରୁନଥିବାରୁ ଧୋନିଙ୍କ ଚିନ୍ତା ମଧ୍ୟ ବଢ଼ିଛି।
