ଆଇପିଏଲ-୨୦୨୩ : ଦିଲ୍ଲୀକୁ ୨୦୦ ରନର ବିଜୟ ଲକ୍ଷ୍ୟ ଦେଲା ରାଜସ୍ଥାନ
ଗୌହାଟୀ: ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ)-୨୦୨୩ର ୧୧ତମ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ମୁକାବିଲା ଜାରି ରହିଛି । ପ୍ରଥମେ ବ୍ୟାଟିଂ କରିଥିବା ରାଜସ୍ଥାନ ରୟାଲ୍ସର ଦୁଇ ଓପନର ଯଶସ୍ଵୀ ଜୟସଓ୍ଵାଲ ଏବଂ ଜୋସ୍ ବଟଲର ଚମକିଛନ୍ତି ରାଜସ୍ଥାନ । ଜୋସ ବଟଲର ୭୯ ରନ ଏବଂ ଯଶସ୍ଵୀ ଜୟସଓ୍ଵାଲ ୬୦ ରନର ବିସ୍ଫୋରକ ଅର୍ଦ୍ଧଶତକୀୟ ଇନିଂସ ବଳରେ ନିର୍ଦ୍ଧାରିତ ଓଭରରେ ୪ ଓ୍ଵିକେଟ୍ ହରାଇ ୧୯୯ ରନ କରିଛି। ଆଇପିଏଲରେ ପ୍ରଥମ ବିଜୟ ହାସଲ ପାଇଁ ଦିଲ୍ଲୀ ସମ୍ମୁଖରେ ୨୦୦ ରନର ବିଜୟ ଲକ୍ଷ୍ୟ ରଖିଛି ରାଜସ୍ଥାନ ।
ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରିଥିବା ରାଜସ୍ଥାନକୁ ଦୁଇ ଓପନର ଜୟସଓ୍ଵାଲ ଏବଂ ବଟଲର ଦମଦାର ଆରମ୍ଭ ଦେଇଥିଲେ। ଆରମ୍ଭରୁ ଦ୍ରୁତ ବ୍ୟାଟିଂ କରି ଦିଲ୍ଲୀ ବୋଲରଙ୍କୁ ଚାପରେ ରଖିଥିଲେ। ୮.୩ ଓଭରରେ ଦୁଇ ବ୍ୟାଟର ୯୮ ରନ ଯୋଡି ବିଶାଳ ସ୍କୋରର ମୂଳଦୁଆ ପକାଇଥିଲେ। ଭଲ ଫର୍ମରେ ଥିବା ଯଶସ୍ଵୀ ଜୟସଓ୍ଵାଲ ବିସ୍ଫୋରକ ଅର୍ଦ୍ଧଶତକୀୟ ଇନିଂସ ଖେଳିଥଲେ। ସେ ୩୧ ବଲ୍ରୁ ୧୧ ଚୌକା ଏବଂ ଗୋଟିଏ ଛକା ସହ ୬୦ ରନ କରିଥିଲେ। ଅଧିନାୟକ ସଞ୍ଜୁ ସାମସନ ଖାତା ଖୋଲି ପାରିନଥିଲେ। ରିୟାନ ପରାଗ ବ୍ୟକ୍ତିଗତ ୭ ରନରେ ଆଉଟ୍ ହୋଇଥିଲେ।ବଟଲର ଅର୍ଦ୍ଧଶତକୀୟ ଇନିଂସ ଖେଳି ୫୧ ବଲ୍ରୁ ୧୧ ଚୌକା ଏବଂ ୧ ଛକା ସହାୟତାରେ ୭୯ ରନ କରିଥିଲେ। ଶେଷ ଆଡକୁ ସିମରନ ହେଟମାୟର ଧୂଆଁଧାର ବ୍ୟାଟିଂ କରିଥିଲେ। ୨୧ ବଲ୍ରୁ ୧ ଚୌକା ଏବଂ ୪ ଛକା ଜରିଆରରେ ୩୯ ରନ କରି ଅପରାଜିତ ଥିଲେ ହେଟମାୟର। ଏହିପରି ରାଜସ୍ଥାନ ରୟାଲ୍ସ ୪ ଓ୍ଵିକେଟ୍ ହରାଇ ୧୯୯ ରନ କରି ପାରିଛି। ଦିଲ୍ଲୀ ପକ୍ଷରୁ ମୁକେଶ କୁମାର ୨ଟି ଓ୍ବିକେଟ ନେଇଥିବାବେଳେ କୁଳଦୀପ ଯାଦବ ଓ ରଭମାନ ପାଓ୍ବେଲ ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ ।
