ଆଇପିଏଲ-୨୦୨୩ : ଟସ ଜିତି ଦିଲ୍ଲୀର ବୋଲିଂ ନିଷ୍ପତ୍ତି, ପ୍ରଥମେ ବ୍ୟାଟିଂ କରିବ ରାଜସ୍ଥାନ
ଗୌହାଟୀ : ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ)-୨୦୨୩ରେ ଆଜି ଡବଲ୍ ହେଡର ମ୍ୟାଚ ଖେଳାଯିବ। ଶନିବାର ଅପରାହ୍ନ ୩ଟା ୩୦ ମିନିଟ ସମୟରେ ଗୌହାଟିର ବର୍ଷାପଡ଼ା ଷ୍ଟାଡିୟମ୍ରେ ଦିଲ୍ଲୀ କ୍ୟାପିଟାଲ୍ସକୁ ଭେଟିବ ରାଜସ୍ଥାନ ରୟାଲ୍ସ । ଲଗାତର ୨ଟି ମ୍ୟାଚ ପରାଜିତ ହୋଇସାରିଥିବା ଦିଲ୍ଲୀ ବିଜୟ ପାଇଁ ବ୍ୟାକୁଳ ଥିବାବେଳେ ରାଜସ୍ଥାନ ଏହି ଗ୍ରାଉଣ୍ଡରେ ଗୋଟିଏ ମ୍ୟାଚ୍ ପରାଜିତ ହୋଇସାରିଛି । ଉଭୟ ଦଳ ପାଇଁ ଏହି ବିଜୟ ଜରୁରୀ ରହିଛି । ଏହା ପୂର୍ବରୁ ପଡିଥିବା ଟସ ଜିତି ଦିଲ୍ଲୀ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି । ଫଳରେ ପ୍ରଥମେ ବ୍ୟାଟିଂ କରିବ ରାଜସ୍ଥାନ ।
ଲଗାତାର ପରାଜୟ ବରଣ କରିଥିବାରୁ ୱାର୍ଣ୍ଣରଙ୍କ ଦଳ ଦିଲ୍ଲୀ ଚାପରେ ରହିଛି। ମାର୍କ ଉଡ୍ (ଲକ୍ଷ୍ନୌ ସୁପର୍ ଜାଏଣ୍ଟସ) ଏବଂ ଅଲଜାରି ଯୋସେଫ୍ (ଗୁଜରାଟ ଟାଇଟନ୍ସ) ଦିଲ୍ଲୀର ବ୍ୟାଟିଂ ଲାଇନ୍କୁ ବିଧ୍ବସ୍ତ କରିଥିଲେ ପ୍ରଥମ ଦୁଇ ମୁକାବିଲାରେ। ପୃଥ୍ବୀ ସ’ ଏବଂ ସର୍ଫରାଜ ଖାନ୍ଙ୍କ ବିଫଳତା ଦିଲ୍ଲୀକୁ ଭଲ ଆରମ୍ଭ ଦେଇ ପାରିନଥିଲା। ରାଜସ୍ଥାନ ରୟାଲ୍ସ କିନ୍ତୁ ଏକମାତ୍ର ମ୍ୟାଚ୍ରେ ପଞ୍ଜାବ କିଙ୍ଗ୍ସଠାରୁ ମାତ୍ର ୫ ରନ୍ରେ ହାରିଥିବାରୁ ମନୋବଳକୁ ଉଚ୍ଚରେ ରଖିଛି। ପଞ୍ଜାବର ୧୯୭ ଜବାବରେ ସଂଜୁଙ୍କ ଦଳ ୧୯୨ ରନ୍ କରିଥିଲା। ଯଶସ୍ବୀ ଜୟସ୍ବାଲଙ୍କଠାରୁ ରାଜସ୍ଥାନ ରୟାଲ୍ସ ଭଲ ପାଳି ଆଶା କରିବ।
ରାଜସ୍ଥାନ ରୟାଲ୍ସ: ସଂଜୁ ସାମସନ୍ (ଅଧିନାୟକ, ୱିକେଟରକ୍ଷକ), ଜୋସ୍ ବଟଲର୍, ଯଶସ୍ବୀ ଜୟସ୍ବାଲ, ଦେବଦତ୍ତ ପଡ଼ିକଲ, ରୢାନ୍ ପରାଗ, ସିମ୍ରନ ହେଟମେୟର, ଆର୍ ଅଶ୍ବିନ, ୟୁଝବେନ୍ଦ୍ର ଚହଲ, ଟ୍ରେଣ୍ଟ ବୋଲ୍ଟ, ଜାସନ୍ ହୋଲ୍ଡର, କେଏମ୍ ଅସିଫ୍।
ଦିଲ୍ଲୀ କ୍ୟାପିଟାଲ୍ସ: ଡେଭିଡ୍ ୱାର୍ଣ୍ଣର, ପୃଥ୍ବୀ ସ’, ମିଚେଲ୍ ମାର୍ସ, ରିଲି ରୁସୋ, ଅକ୍ଷର ପଟେଲ୍, ଅମନ ଖାନ, ଅଭିଷେକ ପୋରେଲ୍ (ୱିକେଟରକ୍ଷକ), କୁଲଦୀପ ଯାଦବ, ଖଲିଲ୍ ଅହମ୍ମଦ, ଅନରିକ୍ ନର୍ଖିୟା, ମୁକେଶ କୁମାର।
