ଭାରତୀୟ କ୍ରିକେଟ୍ ପାଇଁ ଦୁଃଖଦ ଖବର ! ଏହି ଖେଳାଳିଙ୍କ ନିଧନ, ଶୋକରେ ବୁଡ଼ିଲା କ୍ରୀଡା ଜଗତ
ଆଜିକାଲି ଭାରତରେ କ୍ରିକେଟ୍ ଲିଗ୍ ଇଣ୍ଡିଆନ୍ ପ୍ରିମିୟର ଲିଗ୍ ବା ଆଇପିଏଲର ଧୁମ୍ ଚାଲିଛି । ଏହି ସମୟ ମଧ୍ୟରେ ଏକ ସପ୍ତାହ ମଧ୍ୟରେ ଭାରତୀୟ କ୍ରିକେଟ୍ ପାଇଁ ଦୁଇଟି ଖରାପ ଖବର ସାମ୍ନାକୁ ଆସିଛି । ଗତ ସପ୍ତାହ ଶେଷରେ ଯେଉଁଠାରେ ସଲିମ ଦୁରାନୀଙ୍କ ନିଧନ ଖବର ଆସିଥିଲା । ସେପଟେ ଭାରତୀୟ କ୍ରିକେଟ୍ ଦଳର ଅନ୍ୟ ଜଣେ ପୂର୍ବତନ ଓପନରଙ୍କ ଦେହାନ୍ତ ହେବା ଖବର ସାମ୍ନାକୁ ଆସିଛି । ପ୍ରକୃତରେ ୧୯୭୪ରେ ଭାରତ ପାଇଁ ୩ଟି ଟେଷ୍ଟ ମ୍ୟାଚ୍ ଓ ୩ଟି ଦିନିକିଆ ଖେଳିଥିବା ପୂର୍ବତନ ଓପନର୍ ସୁଧୀର ନାଇକଙ୍କ ମୁମ୍ବାଇର ଏକ ଡାକ୍ତରଖାନାରେ ନିଧନ ଘଟିଛି । ତାଙ୍କ ଦେହାନ୍ତ ହେବା ଖବରକୁ ମୁମ୍ବାଇ କ୍ରିକେଟ୍ ଆସୋସିଏସନ୍ ପୃଷ୍ଟି କରିଛି ।
ସୁଧୀର ନାଇକ ୭୮ ବର୍ଷ ବୟସରେ ମୁମ୍ବାଇର ଏକ ଡାକ୍ତରଖାନାରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ସୂଚନାନୁସାରେ, ତାଙ୍କ ଘରେ ଏକ ଝିଅ ଅଛି । ନିୟମିତ ଭାବେ ତାଙ୍କ ସ୍ୱାସ୍ଥ୍ୟ ଉପରେ ନଜର ରଖୁଥିବା ଏମସିଏର ଏକ ସୂତ୍ର ପିଟିଆଇକୁ କହିଛନ୍ତି ଯେ, ନିକଟ ଅତୀତରେ ସେ ବାଥରୁମ ଫ୍ଲୋରରେ ପଡ଼ିଯାଇଥିଲେ । ଫଳରେ ତାଙ୍କ ମୁଣ୍ଡରେ ଆଘାତ ଲାଗିଥିଲା ଯାହା ପରେ ତାଙ୍କୁ ମୁମ୍ବାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେ କୋମାରେ ଯାଇଥିଲେ ଓ ସୁସ୍ଥ ହୋଇନଥିଲେ । ଉଲ୍ଲେଖନୀୟ କଥା ହେଉଛି, ନିକଟ ଅତୀତରେ ଭେଟେରାନ୍ ଅଲରାଉଣ୍ଡର ସଲିମ ଦୁରାନୀଙ୍କ କର୍କଟ ରୋଗରେ ନିଧନ ହୋଇଥିଲା । ଏକ ସପ୍ତାହ ମଧ୍ୟରେ ଭାରତୀୟ କ୍ରିକେଟ୍ ଜଗତର ଏହା ହେଉଛି ଦ୍ୱିତୀୟ ଦୁଃଖଦ ଖବର ।
