କଂଗ୍ରେସକୁ ଟାର୍ଗେଟ୍ କଲେ ଶାହା, ‘ଗଣତନ୍ତ୍ର ନୁହେଁ, ଜାତିବାଦ ଓ ପରିବାରବାଦ ବିପଦରେ’
କୌଶାମ୍ବୀ : ରାହୁଲ ଗାନ୍ଧୀଙ୍କ ଲୋକସଭା ସଦସ୍ୟତା ରଦ୍ଦ ନେଇ ସଂସଦ କାର୍ଯ୍ୟରେ ବାଧା ସୃଷ୍ଟି କରିଥିବାରୁ ବିରୋଧୀ ଦଳକୁ ଦେଶ କେବେ କ୍ଷମା ଦେବ ନାହିଁ ବୋଲି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଶୁକ୍ରବାର କହିଛନ୍ତି । ସେ କହିଛନ୍ତି ଯେ କଂଗ୍ରେସ ନେତୃତ୍ୱାଧୀନ ସଂଯୁକ୍ତ ପ୍ରଗତିଶୀଳ ମେଣ୍ଟ (ୟୁପିଏ) ଆଣିଥିବା ଆଇନ ଆଧାରରେ ରାହୁଲ ଗାନ୍ଧୀଙ୍କ ସଂସଦ ସଦସ୍ୟତା ରଦ୍ଦ ହୋଇଥିଲା। ୨୦୨୪ ମସିହାରେ ସମାଜର ସମସ୍ତ ବର୍ଗର କଲ୍ୟାଣ ପାଇଁ ନରେନ୍ଦ୍ର ମୋଦୀଙ୍କୁ ପୁଣି ଥରେ ପ୍ରଧାନମନ୍ତ୍ରୀ କରିବାକୁ ଶାହା ଲୋକଙ୍କୁ ଆହ୍ବାନ କରିଛନ୍ତି । ଉତ୍ତରପ୍ରଦେଶ କୌଶାମ୍ବୀ ପର୍ବର ଉଦଘାଟନ କରିବା ପରେ ଏକ ଜନ ସଭାକୁ ସମ୍ବୋଧିତ କରି ଶାହା କହିଥିଲେ।
ସେ କହିଥିଲେ, ରାହୁଲ ଗାନ୍ଧୀଙ୍କ ଅଯୋଗ୍ୟତା କାରଣରୁ ସଂସଦର ପ୍ରକ୍ରିୟାରେ ବାଧା ସୃଷ୍ଟି କରିଥିବାରୁ ବିରୋଧୀ ଦଳଙ୍କୁ ଦେଶ କେବେ କ୍ଷମା କରିବ ନାହିଁ … ଗଣତନ୍ତ୍ର ନୁହେଁ ଜାତିବାଦ ଓ ବଂଶବାଦ ରାଜନୀତି ବିପଦରେ ପଡ଼ିଛି।
କାର୍ଯ୍ୟକ୍ରମରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ଉପମୁଖ୍ୟମନ୍ତ୍ରୀ- କେଶବ ପ୍ରସାଦ ମୌର୍ଯ୍ୟ ଏବଂ ବ୍ରଜେଶ ପାଠକ ଓ ରାଜ୍ୟ ବିଜେପର ସଭାପତି ଭୁପେନ୍ଦ୍ର ଚୌଧୁରୀ ଯୋଗ ଦେଇଥିଲେ। ମାନହାନି ମାମଲାରେ ସୁରଟର ଏକ କୋର୍ଟ ରାହୁଲଙ୍କୁ ଦୁଇ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିବା ପରେ ମାର୍ଚ୍ଚ ୨୪ରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଲୋକସଭା ସଦସ୍ୟତା ରଦ୍ଦ ହୋଇଥିଲା ।
