ବାଲେଶ୍ୱର : ୨୭୧ ସଂକ୍ରମିତ ଓ ୨୯୫ ସୁସ୍ଥ
- ୨ଶହରୁ ତଳକୁ ଖସୁନି ଜିଲାର କରୋନା ସଂକ୍ରମଣ ହାର
- ମୋଟ ଟିକାକରଣ ସଂଖ୍ୟା ଛୁଇଁଲା ୬,୨୪,୮୪୨
ବାଲେଶ୍ୱର : ରାଜ୍ୟର ଅନ୍ୟାନ୍ୟ ଜିଲାରେ କରୋନା ସଂକ୍ରମଣ ହାର ଧୀରେ ଧୀରେ ହ୍ରାସ ପାଉଥିବା ବେଳେ ବାଲେଶ୍ୱରରେ ସାପ-ଶିଡ଼ି ଖେଳର ସ୍ଥିତି ପରିଲକ୍ଷିତ ହୋଇଛି । କେତେବେଳେ ସଂକ୍ରମିତଙ୍କ ସଂଖ୍ୟା ୩ଶହ ଅତିକ୍ରମ କରୁଛି ତ ପୁଣି କେଉଁଦିନ ୨ଶହ ତଳକୁ ଖସିଆସୁଥିଲା । ତେବେ ଗତ କିଛିଦିନ ଧରି ଜିଲାର ସଂକ୍ରମଣ ହାର ୨ଶହ ଉପରେ ରହିବାକୁ ନେଇ ବୁଦ୍ଧିଜୀବୀ ମହଲରେ ଉଦବେଗ ପ୍ରକାଶ ପାଇଛି । ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ରିପୋର୍ଟ ଅନୁସାରେ ଗତ ୨୪ ଘଣ୍ଟା ମଧ୍ୟରେ ଜିଲାର ବିଭିନ୍ନ ଅଞ୍ଚଳରୁ ୨୭୧ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରେ ସହରର ତେଲେଙ୍ଗାସାହିରୁ ୫ଜଣ, ସୁନହଟରୁ ୪, ଅଙ୍ଗାରଗଡ଼ିଆରୁ ୨, ମଠସାହିରୁ ୨ ଓ ଅଜିମାବାଦରୁ ୨ଜଣଙ୍କ ସମେତ ଅରଡ଼ବଜାର, ବାରବାଟୀ, ଦାମୋଦରପୁର, କାଦାରାବାଦ, ମାକଲପୁର, ମାଣିଖମ୍ବ, ନୁଆବଜାର, ପୋଲିସଲାଇନ, ରଣସାହି, ରାଣୀପାଟଣା, ସହଦେବଖୁଣ୍ଟା, ଶୋଭାରାମପୁର ପ୍ରଭୃତି ଅଞ୍ଚଳରୁ ଜଣେ ଲେଖାଏଁ ସଂକ୍ରମିତ ଅଛନ୍ତି । ସେହିଭଳି ବାହାନଗା ବ୍ଲକରୁ ୬ଜଣ, ବାଲିଆପାଳରୁ ୨୩, ବସ୍ତାରୁ ୧୦, ଜଳେଶ୍ୱରରୁ ୭, ଭୋଗରାଇରୁ ୨, ଖଇରାରୁ ଜଣେ, ନୀଳଗିର ବ୍ଲକରୁ ୪୨, ଔପଦାରୁ ୧୨, ରେମୁଣାରୁ ୧୦୬, ସଦର ବ୍ଲକରୁ ୨୪, ସିମୁଳିଆରୁ ଜଣେ ଓ ସୋର ବ୍ଲକରୁ ୯ଜଣ ନୂଆ ସଂକ୍ରମିତ ଭାବେ ଚିହ୍ନଟ ହୋଇଛନ୍ତି । ଅଦ୍ୟାବଧି ଜିଲାରେ ସଂକ୍ରମିତଙ୍କ ସଂଖ୍ୟା ୩୨,୨୬୯ରେ ପହଞ୍ôଚଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ୨୯୫ଜଣ ସୁସ୍ଥ ହୋଇଛନ୍ତି । ଏବେ ସୁଦ୍ଧା ଜିଲାରେ ମୋଟ ୨୯,୭୧୧ଜଣ ସଂକ୍ରମିତ ସୁସ୍ଥ ହୋଇଥିବା ସରକାରୀ ଭାବେ କୁହାଯାଇଛି । ଏବେ ସକ୍ରିୟ ଥିବା ୨,୪୨୫ଜଣ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୨,୩୨୫ଜଣ ଗୃହ ସଙ୍ଗରୋଧରେ ଏବଂ ୧୦୦ଜଣ କୋଭିଡ ଡାକ୍ତରଖାନା ଓ କୋଭିଡ ଯତ୍ନ କେନ୍ଦ୍ର ରହି ଚିକିତ୍ସିତ ହେଉଛନ୍ତି । ଗତ ୨୪ ଘଣ୍ଟା ମଧ୍ୟରେ କରୋନା ଆକ୍ରାନ୍ତ ୪୦ବର୍ଷର ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ଜିଲାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୨୮ରେ ପହଞ୍ଚିଛି । ଅନ୍ୟପକ୍ଷରେ ଜିଲ୍ଲାରେ ସାମୂହିକ ଟିକାକରଣ ବେଶ ତ୍ୱରାନ୍ୱିତ ହୋଇଥିବା ଦେଖିବାକୁ ମିଳିଛି । ଶନିବାର ଜିଲାର ୬୪ଟି ସରକାରୀ ଓ ଗୋଟିଏ ବେସରକାରୀ କେନ୍ଦ୍ରରେ ୧୯,୨୭୫ଜଣଙ୍କୁ ଟିକା ପ୍ରଦାନ କରାଯାଇଛି । ଏବେ ସୁଦ୍ଧା ବାଲେଶ୍ୱର ଜିଲ୍ଲାର ମୋଟ ୬,୨୪,୮୪୨ଜଣ ନେଇଥିବା ବେଳେ ତନ୍ମଧ୍ୟରୁ ୫,୦୨,୫୨୬ଜଣ ପ୍ରଥମ ପାନ ଓ ୧,୨୨,୩୧୬ ଜଣ ଦ୍ୱିତୀୟ ପାନ ଟିକା ନେଇଛନ୍ତି । ଏଥିରେ ୪୫ ବର୍ଷରୁ ଊର୍ଦ୍ଧ୍ୱ ବୟସଙ୍କ ମଧ୍ୟରେ ୫,୩୦,୬୯୩ ଜଣ ଥିବା ବେଳେ ୧୮ରୁ ୪୪ବର୍ଷ ମଧ୍ୟରେ ୯୪,୪୪୯ଜଣ ଟିକା ନେଇଥିବା ସୂଚନା ମିଳିଛି ।
