୮ କୋଟି ଟଙ୍କା ଠକେଇ ଅଭିଯୋଗ, ଗିରଫ ହେଲେ ଏସବିଆଇ ଫୁଲବାଣୀ ଡେପୁଟି ବ୍ରାଞ୍ଚ ମ୍ୟାନେଜର
ଫୁଲବାଣୀ : ଠକେଇ ଅଭିଯୋଗରେ ଗିରଫ ହେଲେ ଏସବିଆଇ ଫୁଲବାଣୀ ବ୍ରାଞ୍ଚ ଡେପୁଟି ମ୍ୟାନେଜର ଆଶୁତୋଷ ଆଚାର୍ଯ୍ୟ। ତାଙ୍କ ବିରୋଧରେ ୮ କୋଟି ଟଙ୍କାର ଠକେଇ ଅଭିଯୋଗ ଆସିଥିଲା । କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲୁ) ଆଶୁତୋଷଙ୍କୁ ଗିରଫ କରିଛି। ଆଇପିସିର ଧାରା ୪୦୯, ୪୨୦, ୪୬୭, ୪୬୮, ୪୭୧ ଏବଂ ୧୨୦ ବି ଏବଂ ଆଇଟି ଆକ୍ଟର ଧାରା ୬୬ (ସି) ଅନୁଯାୟୀ ତାଙ୍କୁ ଗିରଫ କରାଯାଇଛି। ତାଙ୍କୁ ଏସଡିଜେଏମ ଫୁଲବାଣୀ କୋର୍ଟରେ ହାଜର କରାଯିବ।
ଠକେଇ ଓ ଅର୍ଥ ହେରଫେର ନେଇ ଆଞ୍ଚଳିକ ପରିଚାଳକ ଇଓଡବ୍ଲୁରେ ଅଭିଯୋଗ କରିଥିଲେ । ଚାକିରି କରିନଥିବା ୫୯ ଜଣଙ୍କ ନାଁରେ ଆଶୁତୋଷ ଲୋନ ଉଠାଇଥିବା ଅଭିଯୋଗ ହୋଇଛି ।ଏଥିସହ ପେନସନ ପାଉନଥିବା ୨୬ ଜଣଙ୍କ ନାଁରେ ପେନସନ୍ ଲୋନ୍ ଉଠାଇଥିବା ନେଇ ଆଶୁତୋଷଙ୍କ ବିରୋଧରେ ଅଭିଯୋଗ ଆସିଥିଲା । ମୋଟ ୮ କୋଟି ଟଙ୍କା ଋଣ ଉଠାଇ ନିଜ ସଂପର୍କୀୟଙ୍କ ନାଁରେ ଜମା କରିଥିଲେ ଆଶୁତୋଷ।
