ପୁଣି ଥରେ ଏଫଏଟିଏଫର ଗ୍ରେ ଲିଷ୍ଟରେ ସାମିଲ୍ ହେଲା ପାକିସ୍ତାନ
ଇସଲାମାବାଦ : ପାକିସ୍ତାନକୁ ବଡ ଝଟକା। ଫାଇନାନସିଆଲ ଟାସ୍କ ଫୋର୍ସ(ଏଫଏଟିଏଫ)ର ବୈଠକରେ ଶୁକ୍ରବାର ପାକିସ୍ତାନ ପୁଣି ଥରେ ଗ୍ରେ ଲିଷ୍ଟ ବା ଧୂସର ତାଲିକାରେ ରହିବ ବୋଲି ନିଷ୍ପତ୍ତି ନିଆଯାଇଛି। ଏଥିସହ ଦୟନୀୟ ଆର୍ଥିକ ସ୍ଥିତି ଦେଇ ଗତି କରୁଥିବା ପାକିସ୍ତାନ ପାଇଁ ସଂପ୍ରତି ମୁସ୍କିଲ କମିବା ବଦଳରେ ବଢିବାର ସମ୍ଭାବନା ରହିଛି।ଏଫଏଟିଏଫର ରିପୋର୍ଟ ଅନୁଯାୟୀ, ପାକିସ୍ତାନ ୨୭ କାର୍ଯ୍ୟବିନ୍ଦୁ ମଧ୍ୟରୁ ଏ ପର୍ଯ୍ୟନ୍ତ କେବଳ ୨୬ ପୂରା କରିଛି। ବାକି ଗୋଟିଏ ବିନ୍ଦୁ ଲାଗୁ କରିବାକୁ ପାକିସ୍ତାନକୁ ଅତି କମରେ ଦୁଇରୁ ତିନି ମାସର ସମୟ ଲାଗିବ। ପାକିସ୍ତାନ ଏହି ନିଷ୍ପତ୍ତିକୁ ଭେଦଭାବପୂର୍ଣ୍ଣ ଦର୍ଶାଇଛି। ପଡୋଶୀ ଆତଙ୍କୀ ଦେଶ ପ୍ରଶ୍ନ କରିଛି ଯେ, ୨୦୧୮ ପରଠୁ ଏ ପର୍ଯ୍ୟନ୍ତ ପାକିସ୍ତାନ ଏତେ ସବୁ ବିନ୍ଦୁ ଉପରେ କାମ ପୂରା କରି ସାରିବା ପରେ ମଧ୍ୟ ତାକୁ ଗ୍ରେ ଲିଷ୍ଟରେ ରଖାଯାଇଛି। ଏଫଏଟିଏଫର ଏହି ନିଷ୍ପତ୍ତି କାରଣରୁ ପାକିସ୍ତାନକୁ ପ୍ରାୟ ୩୮ ଅରବ ଡଲାର(୨୭, ୫୨, ୭୬, ୧୮,୦୦,୦୦୦ ଟଙ୍କା) କ୍ଷତି ଉଠାଇବାକୁ ପଡିବ। ଇସଲାମାବାଦ ସ୍ଥିତ ତବାଦଲାବ ନାମକ ସ୍ଵତନ୍ତ୍ର ଥିଙ୍କ ଟ୍ୟାଙ୍କ ତବାଦଲାବ ନିଜର ରିପୋର୍ଟରେ କହିଛି ଯେ, ୨୦୦୮ ରୁ ୨୦୧୯ ପର୍ଯ୍ୟନ୍ତ ପାକିସ୍ତାନକୁ ଗ୍ରେ ଲିଷ୍ଟରେ ରଖିବା କାରଣରୁ ୩୮ ଅରବ ଡଲାର ଜିଡିପି କ୍ଷତି ଘଟିଛି।
ଏଫଏଟିଏଫ ସମୂହରେ ଚୀନ, ଆମେରିକା, ବ୍ରିଟେନ୍, ଫ୍ରାନ୍ସ ଓ ଭାରତ ସାମିଲ। ପାକିସ୍ତାନ ପୁଣି ଥରେ ଗ୍ରେ ଲିଷ୍ଟରେ ରହିବାର ଅର୍ଥ ଏହାର ସ୍ଥିତି ଆହୁରି ଦୟନୀୟ ହେବାର ଯଥେଷ୍ଟ ସମ୍ଭାବନା ରହିଛି। ପାକିସ୍ତାନକୁ ଅନ୍ତରାଷ୍ଟ୍ରୀୟ ମୁଦ୍ରାକୋଷ(ଆଇଏମଏଫ), ବିଶ୍ଵ ବ୍ୟାଙ୍କ ଓ ୟୁରୋପୀୟ ସଂଘରୁ ଆର୍ଥିକ ସାହାୟତା ମିଳିବା ମୁସ୍କିଲ ହୋଇଯିବ। ପୂର୍ବରୁ କାଙ୍ଗାଳ ଅବସ୍ଥା ଦେଇ ଗତି କରୁଥିବା ପାକିସ୍ତାନର ଅବସ୍ଥା ଆହୁରି ଶୋଚନୀୟ ହୋଇ ପଡିବ। ଅନ୍ୟ ଦେଶରୁ ପାକିସ୍ତାନକୁ ଆର୍ଥିକ ସହାୟତା ମିଳିବା ବନ୍ଦ ହୋଇଯିବ। କୌଣସି ବି ଦେଶ ଆର୍ଥିକ ଭାବେ ଅସ୍ଥିର ଦେଶରେ ନିବେଶ କରିବାକୁ ଚାହିଁବେ ନାହିଁ। ପାକିସ୍ତାନକୁ ୨୦୧୮ ଜୁନରେ ଧୂସରତାଲିକାଭୁକ୍ତ କରାଯାଇଥିଲା। ୨୦୧୮ ଅକ୍ଟୋବର ଓ ୨୦୧୯ ଫେବୃଆରୀରେ ହୋଇଥିବା ସମୀକ୍ଷା ବୈଠକରେ ପାକିସ୍ତାନକୁ କୌଣସି ଆଶ୍ଵସ୍ତି ମିଳିନଥିଲା।
