ଭିନ୍ନକ୍ଷମ ଆତ୍ମ ନିଯୁକ୍ତି ଶିବିର, ସାମିଲ ହେଲେ ୮୭ ଦିବ୍ୟାଙ୍ଗ
ସମ୍ବଲପୁର : ବାଲିବନ୍ଧା ସ୍ଥିତ ଆଞ୍ଚଳିକ ଭିନ୍ନକ୍ଷମ ପୁନର୍ବାସ କେନ୍ଦ୍ର ଠାରେ ଦ୍ୱିତୀୟ ପର୍ଯ୍ୟାୟ ଭିନ୍ନକ୍ଷମ ଆତ୍ମ ନିଯୁକ୍ତି ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଶିବିରରେ ଧନକଉଡା, ମାନେଶ୍ଵର ଯୁଯୁମୁରା, ରେଙ୍ଗାଲି ଓ ସମ୍ବଲପୁର ମହାନଗର ଅଞ୍ଚଳରୁ ୮୭ ଜଣ ଭିନ୍ନକ୍ଷମ ମାନଙ୍କୁ ପ୍ରଶିକ୍ଷଣ ଦିଆଯାଇଛି । ଏହି ଶିବିର ଜିଲାପାଳ ଅନନ୍ୟା ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦଘାଟନ କରିବା ସହ ଜିଲ୍ଲାର ସମସ୍ତ ଭିନ୍ନକ୍ଷମ ବ୍ୟକ୍ତି ମାନଙ୍କୁ ସ୍ୱାବଲମ୍ବି କରିବା ନିମନ୍ତେ ଜିଲା ପ୍ରଶାସନ ସମସ୍ତ ପ୍ରକାର ସହଯୋଗ କରିବ ବୋଲି କହିଛନ୍ତି । ଭିନ୍ନକ୍ଷମ ବ୍ୟକ୍ତି ମାନେ ରୋଜଗାର କ୍ଷମ ହୋଇପାରିବା ସହ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇପାରିବେ । ଦୃଢ଼ ଇଚ୍ଛା ଶକ୍ତି ଦ୍ୱାରା ଏହା ସମ୍ଭବ ବୋଲି ଜିଲାପାଳ କହିଛନ୍ତି । ଏହି ଅବସରରେ ଭି.ଆର.ସି.ଏଚ ର ପୂର୍ବତନ ନିର୍ଦ୍ଦେଶକ ରାମ କିଶୋର ଶର୍ମା ନିଜର ବକ୍ତବ୍ୟ ରେ ସମ୍ବଲପୁର ରାଜ୍ୟରେ ଭିନ୍ନକ୍ଷମ କଲ୍ୟାଣ କ୍ଷେତ୍ରରେ ଏକ ଅଗ୍ରଣୀ ଜିଲ । ଜିଲାରେ କରାଯାଉଥିବା ଭିନ୍ନକ୍ଷମ ଶସକ୍ତି କରଣ ର କାର୍ଯ୍ୟକ୍ରମ ମାନ ଅନ୍ୟ ଜିଲା ପାଇଁ ଉଦାହରଣ ବୋଲି ଅବିହିତ କରିଥିଲେ । କୁକୁଡ଼ା ଚିଆଁ ମାନଙ୍କର ଉପଯୁକ୍ତ ଯତ୍ନ, ସେମାନଙ୍କର ବଢିବାର ଶୈଳୀ ଓ କୁକୁଡ଼ା ଚାଷ କିପରି ଗ୍ରାମାଞ୍ଚଳରେ ଲୋକ ମାନଙ୍କ ପାଇଁ ଏକ ଲାଭଦାୟକ କ୍ଷେତ୍ର, ତାହା ବିଷଦ ଭାବେ ପ୍ରାଣୀ ଓ ପଶୁ ସମ୍ପଦ ବିଭାଗ ର ଶ୍ରୀ ସ୍ୱାଗତ ପଣ୍ଡା ଆଲୋକପାତ କରିଥିଲେ । ଜିଲା ସାମାଜିକ ସୁରକ୍ଷା ଅଧିକାରୀ ମଦନଜିତ ହୋତା ଆଲୋଚନା ରେ ଅଂଶ ଗ୍ରହଣ କରି ସରକାରଙ୍କ ଦ୍ୱାରା ପ୍ରଚଳିତ ହେଉଥିବା ବହୁ ବିଧ କଲ୍ୟାଣକାରୀ ଯୋଜନା ଉପରେ ମତ ରଖିଥିଲେ ।
ସୂଚନା ଯେ, ଚାଲିଥିବା ଏହି ଦୁଇ ପର୍ଯ୍ୟାୟ କର୍ମଶାଳାରେ ଜିଲ୍ଲାର ସମୁଦାୟ ୨୦୫ ଜଣ ଭିନ୍ନକ୍ଷମଙ୍କୁ କୁକୁଡ଼ା ଚାଷ କରି ଆତ୍ମ ନିର୍ଭରଶୀଳ ହେବାପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । କାର୍ଯ୍ୟକ୍ରମକୁ ଆଞ୍ଚଳିକ ଭିନ୍ନକ୍ଷମ କେନ୍ଦ୍ରର ଅଧିକାରୀ ରବୀନ୍ଦ୍ର ନାଥ ଶତପଥୀ ପରିଚାଳନା କରିଥିଲେ ।
