ରାଜ୍ୟରେ ମାତୃଭାଷା ସମେତ ବିଭିନ୍ନ ଭାଷାରେ ଶିକ୍ଷାଦାନ ଲାଗି ଅଛନ୍ତି ୩ଲକ୍ଷ ୩୧ହଜାର ୩୩୬ ଶିକ୍ଷକ
ଭୁବନେଶ୍ୱର : ଜାତୀୟ ଶିକ୍ଷାନୀତି-୨୦୨୦ ଅନୁଯାୟୀ ଓଡ଼ିଶାରେ ମାତୃଭାଷା ସମେତ ବିଭିନ୍ନ ଭାଷାରେ ଶିକ୍ଷାଦାନ ଲାଗି ୩ଲକ୍ଷ ୩୧ହଜାର ୩୩୬ ଜଣ ଭାଷା ଶିକ୍ଷକଙ୍କ ଆବଶ୍ୟକ ରହିଥିବା କେନ୍ଦ୍ର ଶିକ୍ଷା ରାଷ୍ଟ୍ର ମନ୍ତ୍ରୀ ଅନ୍ନପୂର୍ଣ୍ଣା ଦେବୀ ଆଜି ଲୋକସଭାରେ କହିଛନ୍ତି। ସାଂସଦ ଚନ୍ଦ୍ର ଶେଖର ସାହୁଙ୍କ ଏ ସମ୍ପର୍କିତ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଶ୍ରୀମତୀ ଦେବୀ କହିଛନ୍ତି, ତ୍ରି-ଭାଷା ଶିକ୍ଷଣ ଲାଗି ‘ସାର୍ଥକ’ ଯୋଜନାରେ ବିଭିନ୍ନ ରାଜ୍ୟ ମଧ୍ୟରେ ଏ ନେଇ ବୁଝାମଣା ଭିତ୍ତିରେ ଶିକ୍ଷକ ନିଯୁକ୍ତି ଲାଗି ନୂଆ ଶିକ୍ଷାନୀତିରେ ବ୍ୟବସ୍ଥା ରହିଛି। ଓଡ଼ିଶାରେ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ଓ ଅଣ-ଅନୁଦାନ ପ୍ରାପ୍ତ ବିଦ୍ୟାଳୟଗୁଡ଼ିକରେ ଓଡ଼ିଆ ସମେତ ଅନ୍ୟ ୧୫ଟି ଭାଷାରେ ଶିକ୍ଷାଦାନ ଲାଗି ୩ ଲକ୍ଷ ୩୧ ହଜାର ୩୩୬ ଜଣ ଭାଷା ଶିକ୍ଷକ ଅଛନ୍ତି।
ୟୁ-ଡାଇସ୍ ତଥ୍ୟ ଅନୁଯାୟୀ ରାଜ୍ୟରେ ବିଭିନ୍ନ ଭାରତୀୟ ଭାଷା ମାଧ୍ୟମରେ ଶିକ୍ଷାଦାନ ନିମନ୍ତେ ଅସାମୀୟା ପାଇଁ ୨୮, ବେଙ୍ଗଲୀ ପାଇଁ ୮୬, ଗୁଜୁରାତି ପାଇଁ ୧୦, ହିନ୍ଦୀ ପାଇଁ ୯୦୩୫, କନ୍ନଡ଼ ପାଇଁ ୧୧, ମାଲାୟାଲାମ ପାଇଁ ୧୧, ମରାଠୀ ପାଇଁ ୨୯, ନେପାଳୀ ପାଇଁ ୪୧୭, ଓଡ଼ିଆ ପାଇଁ ୨୮୦୬୬୬, ପଂଜାବୀ ପାଇଁ ୨୦୪, ସଂସ୍କୃତ ପାଇଁ ୨୨୩୨, ତାମିଲ ପାଇଁ ୧୩, ତେଲୁଗୁ ପାଇଁ ୪୫୪, ଉର୍ଦ୍ଦୁ ପାଇଁ ୧୦୭୫, ଇଂରାଜୀ ପାଇଁ ୩୬୮୬୯ ଓ ସାନ୍ତାଳୀ ପାଇଁ ୧୯୬ ଜଣ ଶିକ୍ଷକ ଅଛନ୍ତି।
