ହାଇଫା ପୋର୍ଟ କମ୍ପାନିର କାର୍ଯ୍ୟକାରୀ ଅଧ୍ୟକ୍ଷ ହେଲେ ଇସ୍ରାଏଲର ପୂର୍ବତନ ରାଷ୍ଟ୍ରଦୂତ ରୋନ ମଲକା
ନୂଆଦିଲ୍ଲୀ: ହାଇଫା ପୋର୍ଟ କମ୍ପାନିର କାର୍ଯ୍ୟକାରୀ ଅଧ୍ୟକ୍ଷ ହେଲେ ଇସ୍ରାଏଲର ପୂର୍ବତନ ରାଷ୍ଟ୍ରଦୂତ ରୋନ ମଲକା। ଏନେଇ ରୋନ ମଲକା ଟ୍ୱିଟ୍ କରି ସୂଚନା ଦେଇଛନ୍ତି ।
ରୋନ ମଲକା କହିଛନ୍ତି ଯେ, ସେ ଏଚପିସିର କାର୍ଯ୍ୟକାରୀ ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଆଦାନୀ ପୋର୍ଟ୍ସ ଆଣ୍ଡ ସ୍ପେଶାଲ ଇକୋନମିକ୍ ଜୋନ (ଏପିଏସଇଜେଡ) ଏବଂ ଇସ୍ରାଏଲର ଗାଡୋଟ ଗ୍ରୁପ ଗତ ବର୍ଷ ଜୁଲାଇରେ ୧.୧୮ ବିଲିୟନ ଆମେରିକୀୟ ଡଲାରରେ ପୋର୍ଟର ଟେଣ୍ଡର ଜିତିଥିଲେ । ଇସ୍ରାଏଲର ରଣନୀତିକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ବନ୍ଦର ହାଇଫାର ଘରୋଇକରଣ ପାଇଁ ଏହି ଟେଣ୍ଡର ବାହାର କରାଯାଇଥିଲା ।
ରୋନ ମଲକା ଟ୍ୱିଟ୍ କରି କହିଛନ୍ତି ଯେ, ‘ଆଦାନୀ ଗ୍ରୁପର ତରଫରୁ ହାଇଫା ପୋର୍ଟ କମ୍ପାନିର କାର୍ଯ୍ୟକାରୀ ଅଧ୍ୟକ୍ଷ ରୂପେ ଦାୟିତ୍ୱ ଗ୍ରହଣ କରି ଆଜି ମୁଁ ସମ୍ମାନିତ ଅନୁଭବ କରୁଛି । ଆଦାନୀ ଏବଂ ଗାଡୋଟର ଅନୁଭବ ଏବଂ ବିଶେଷଜ୍ଞତା, ବନ୍ଦର କର୍ମଚାରୀଙ୍କ ସମର୍ପଣ ସହ ହାଇଫା ପୋର୍ଟକୁ ନୂଆ ସ୍ତରରେ ପହଞ୍ଚାଇବ’ ।
ସୂଚନା ଯେ, ରୋନ ମଲକା ୨୦୧୮ରୁ ୨୦୨୧ ଯାଏ ଭାରତରେ ଇସ୍ରାଏଲ ରାଷ୍ଟ୍ରଦୂତ ଭାବେ କାର୍ଯ୍ୟ କରିଥିଲେ । ହାଇଫା ବନ୍ଦର ଶିପିଂ କଣ୍ଟେନର ମାମଲାରେ ଇସ୍ରାଏଲର ଦ୍ୱିତୀୟ ସବୁଠୁ ବଡ଼ ବନ୍ଦର ଏବଂ ଶିପିଂ ପର୍ଯ୍ୟଟକ କ୍ରୁଜ ଜାହାଜରେ ସବୁଠୁ ବଡ଼ । ଚଳିତ ବର୍ଷ ଜାନୁଆରୀରେ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ ଏବଂ ଅନ୍ୟ ଶୀର୍ଷ ଅଧିକାରୀ ଆଦାନୀ ଗ୍ରୁପ ଦ୍ୱାରା ଇସ୍ରାଏଲ ବନ୍ଦର ଗ୍ରହଣ ଅବସରେ ଆୟୋଜିତ ସମାରୋହରେ ଯୋଗ ଦେଇଥିଲେ ।
