କେନ୍ଦୁଝର ସହର ସ୍ଥିତ ଡେଲି ମାର୍କେଟ ରେ ଲାଗିଲା ନିଆଁ
କେନ୍ଦୁଝର : ସୋମବାର ସକାଳୁ କେନ୍ଦୁଝର ସହର ସ୍ଥିତ ଡେଲି ମାର୍କେଟରେ ନିଆଁ ଲାଗିବା କାରଣରୁ ଅନେକ ଦୋକାନ ଜଳି ଯାଇଥିବା ବେଳେ ବିପୁଳ ମାତ୍ରାରେ ସମ୍ପତି ନଷ୍ଟ ହୋଇଯାଇଛି । ଏ ସମ୍ପର୍କରେ ସୂଚନା ମିଳିବା ପରେ ଅଗ୍ନିଶମ ବିଭାଗର ଟିମ ସେଠାରେ ପହଂଚି ନିଆଁକୁ ଆୟତ କରିଥିଲେ । ମିଳିଥିବା ସୂଚନା ଅନୁସାରେ ସୋମବାର ବଡ଼ି ଭୋର ସମୟରୁ କୌଣସି କାରଣ ବଶତଃ ଗୋଟିଏ ବାସନ ଦୋକାନରୁ ନିଆଁ ଲାଗିଥିଲା । ଧୀରେ ଧୀରେ ଏହା ତିରିଶ ରୁ ଅଧିକା ଦୋକାନକୁ ବ୍ୟାପି ଯାଇଥିଲା । ଏହି ମାର୍କେଟ ରେ ଲୁଗା , ବାସନ , ତେଜରାତି ଆଦି ବିଭିନ୍ନ କିସମର ପ୍ରାୟ ୨୦୦ ରୁ ଉର୍ଦ୍ଧ୍ୱ ଉଠା ଓ ସ୍ଥାୟୀ ଦୋକାନ ରହିଛି । ସଂକୀର୍ଣ୍ଣ ଅଂଚଳ ଯୋଗୁଁ ଅଗ୍ନିକୁ ଆୟତ କରିବାରେ ଅଗ୍ନିଶମ ବାହିନୀକୁ ବହୁ ପରିଶ୍ରମ କରିବାକୁ ପଡ଼ିଥିଲା । ଚାରୋଟି ଦମକଳ ଦୀର୍ଘ ଚାରିଘଣ୍ଟା ପରେ ନିଆଁକୁ ଆୟତ କରିଥିଲେ । କ୍ଷୟକ୍ଷତିର ପରିମାଣ ପ୍ରାୟ ତିନିକୋଟି ଟଙ୍କା ହେବ ବୋଲି ପ୍ରାଥମିକ ଆକଳନ କରାଯାଇଛି । ଘଟଣାସ୍ଥଳକୁ ଜିଲ୍ଲାପାଳ ଆଶିଷ ଠାକରେ, ଉପଜିଲ୍ଲପାଳ ରାମଚନ୍ଦ୍ର କିଷ୍କୁ, ତହସିଲଦାର, ପୌର ନିର୍ବାହୀ ଅଧିକାରୀ, ଯୋଜନା ବୋର୍ଡ ଅଧ୍ୟକ୍ଷ, କେନ୍ଦୁଝର ରାଜା ଓ ରାଣୀ, ପୌର ଅଧ୍ୟକ୍ଷା ନିକୁ ସାହୁ, ଉପାଧ୍ୟକ୍ଷ ବରଦାପ୍ରସନ୍ନ ଦାସ, ରାଜ୍ୟ ଯୁବ ବିଜେଡ଼ି ଉପସଭାପତି ସୌମ୍ୟସଙ୍କର ଚକ୍ର, ବିଜେପି ନଗର ସଭାପତି ବିଶ୍ୱଜିତ ତ୍ରିପାଠୀ ତଥା ବିଭିନ୍ନ ରାଜନୈତିକ ଓ ସାମାଜିକ ସଂଗଠନ ର ଅଧିକାରୀ ପ୍ରମୁଖ ପରିଦର୍ଶନ କରି କ୍ଷତଗ୍ରସ୍ତଙ୍କ ସହିତ ଆଲୋଚନା କରିଥିଲେ ।
