ଦୁଇ ଘଣ୍ଟା ବିଳମ୍ବରେ ପହଞ୍ଚିଲା ୧୦୮, ଅଟକ ରଖିଲେ ସ୍ଥାନୀୟ ଲୋକ
ବାଲେଶ୍ୱର : ବାଲେଶ୍ୱର ସହରର ମୀର୍ଜାପୋଖରୀ ନିକଟରେ ସୋମବାର ପୂର୍ବାହ୍ନ ଏକ ଦୁର୍ଘଟଣା ଘଟିଥିଲା । ଦୁର୍ଘଟଣାରେ ଗୁରୁତରଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ନେବା ପାଇଁ ସ୍ଥାନୀୟ ଲୋକେ ୧୦୮ ଆମ୍ବୁଲାନ୍ସକୁ ଫୋନ୍ କରିଥିଲେ । ମାତ୍ର ରୋଗୀ ନେବାକୁ ପ୍ରାୟ ଦୁଇ ଘଣ୍ଟା ବିଳମ୍ବରେ ଆସି ପହଞ୍ଚିଥିବା ୧୦୮ ଆମ୍ବୁଲାନ୍ସକୁ ସ୍ଥାନୀୟ ଲୋକମାନେ ଦୀର୍ଘ ଘଣ୍ଟାଏରୁ ଉର୍ଦ୍ଧ୍ୱ ସମୟ ଅଟକ ରଖିଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରି ଆମ୍ବୁଲାନ୍ସ ଓ କର୍ମଚାରୀଙ୍କୁ ମୁକୁଳାଇଥିଲେ ।
ସୂଚନା ଅନୁସାରେ, ସୋମବାର ସକାଳେ ମୀର୍ଜାପୋଖରୀ ଛକ ନିକଟ ଟାଉନ ହାଇସ୍କୁଲ ସମ୍ମୁଖରେ ଏକ ବାଇକ ଓ ସ୍କୁଟି ମଧ୍ୟରେ ଦୁର୍ଘଟଣା ଘଟିଥିଲା । ଏଥିରେ ସେରଗଡ଼ ଅଞ୍ଚଳର ବାଇକ୍ ଆରୋହୀ ଗୁରୁତର ଆହତ ହୋଇଥିଲେ । ସ୍ଥାନୀୟ ଲୋକେ ତାଙ୍କୁ ତୁରନ୍ତ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସକୁ ଖବର ଦେଇଥିଲେ । ହେଲେ ଆମ୍ବୁଲାନ୍ସ ଆସିବାରେ ବିଳମ୍ବ ହେବାରୁ ଲୋକେ ଆହତଙ୍କୁ ଅନ୍ୟ ଏକ ଗାଡ଼ି ଯୋଗେ ଜିଲା ମୁଖ୍ୟ ଚିକିତ୍ସାଳୟକୁ ନେଇଯାଇଥିଲେ । ପରେ ଘଟଣାଟି ଅନ୍ୟ ମୋଡ଼ ନେଇଥିଲା । ପ୍ରାୟ ଦୁଇ ଘଣ୍ଟା ବିଳମ୍ବରେ ୧୦୮ ଆମ୍ବଲାନ୍ସ ଦୁର୍ଘଟଣା ସ୍ଥଳରେ ପହଞ୍ଚିଥିଲା । ସୋମବାର ସକାଳ ୮ଟା୧୦ମିନିଟ ସମୟରେ ହୋଇଥିବା ଦୁର୍ଘଟଣାରେ ଗୁରୁତର ଆହତ ବାଇକ୍ ଚାଳକଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର ପାଇଁ ୮ଟା୨୦ମିନିଟ୍ ସମୟରେ ୧୦୮ଆମ୍ବୁଲାନସକୁ ଖବର ଦିଆଯାଇଥିଲା । ଶୀଘ୍ର ପହଞ୍ଚିବାର ଆଶ୍ୱସନା ସତ୍ତ୍ୱେ ଆମ୍ବୁଲାନ୍ସ ପହଞ୍ôଚ ନଥିଲା । କଲ ସେଣ୍ଟର ଦ୍ୱାରା ପ୍ରଦତ୍ତ ଆମ୍ବୁଲାନ୍ସର ଫୋନ ନମ୍ବରକୁ ବାରମ୍ବାର ଯୋଗାଯୋଗ କରାଯାଇଥିଲେ ବି ଡାକ୍ତରଖାନା ଠାରୁ ମାତ୍ର ୩ଶହ ମିଟର ଦୂର ଦୁର୍ଘଟଣା ସ୍ଥଳକୁ ପହଞ୍ଚିବା ପାଇଁ ୧୦୮ ଆମ୍ବୁଲାନ୍ସକୁ ଦୀର୍ଘ ଦୁଇ ଘଣ୍ଟାରୁ ଅଧିକ ସମୟ ଲାଗିଥିଲା । ଏପରିକି ଦୁର୍ଘଟଣା ସ୍ଥଳରେ ପହଞ୍ଚିଥିବା ପିସିଆର ଭ୍ୟାନ୍ରୁ ବାରମ୍ବାର ଫୋନ କରାଯାଇଥିଲେ ବି ଆମ୍ବୁଲାନ୍ସ ଆସି ନଥିଲା । ପରେ ସ୍ଥାନୀୟ ଲୋକେ ବାଧ୍ୟ ହୋଇ ଜିଲା ମୁଖ୍ୟ ଚିକିତ୍ସାଳୟରେ ସେବା ଯୋଗାଉଥିବା ଏକ ପ୍ରାଇଭେଟ ଆମ୍ବୁଲାନସକୁ ଡାକି ଆହତଙ୍କୁ ମେଡିକାଲ ପହଞ୍ଚାଇଥିଲେ । ସହର ମଧ୍ୟରେ ଘଟିଥିବା ଏହି ଦୁର୍ଘଟଣାରେ ରୋଗୀ ନେବାକୁ ସଠିକ୍ ସମୟରେ ଆମ୍ବୁଲାନ୍ସ ପହଞ୍ôଚ ପାରୁନଥିବା ବେଳେ ଗ୍ରାମାଞ୍ଚଳରେ ଏହି ବ୍ୟବସ୍ଥା କେଉଁ ପ୍ରକାର କାର୍ଯ୍ୟ କରୁଥିବ ଏଥିରୁ ଅନୁମେୟ । ଫଳରେ ସ୍ଥାନୀୟ ଲୋକେ ଉତ୍ତ୍ୟକ୍ତ ହୋଇ ସମ୍ପୃକ୍ତ ଆମ୍ବୁଲାନ୍ସକୁ ଅଟକ ରଖିଥିଲେ ।
ଅନ୍ୟପକ୍ଷରେ ଅଟକ ୧୦୮ ଆମ୍ବୁଲାନ୍ସ ଡ୍ରାଇଭର ନରେନ୍ଦ୍ର ମହାନ୍ତିଙ୍କୁ ପଚାରିବାରୁ ସେ କହନ୍ତି, ଫୋନ୍ କଲରେ ବୁଝିବାରେ ଅସୁବିଧା ପାଇଁ ବିଳମ୍ବ ହୋଇଥିଲା । ପୂର୍ବାହ୍ନ ୮ଟା୪୦ରେ ଦୁର୍ଘଟଣା ସମ୍ପର୍କରେ ଖବର ପାଇବା ସମୟରେ ସେ ଆମ୍ବୁଲାନ୍ସ ନେଇ କଟକରୁ ଫେରୁଥିଲେ । ଫୋନ୍ କଲରେ ଠିକ୍ ଭାବେ ଶୁଣାନଯିବାରୁ ଦୁର୍ଘଟଣାଟି ବାଲେଶ୍ୱରର ମିତ୍ରପୁର ଅଞ୍ଚଳରେ ଘଟିଛି ବୋଲି ଭାବି ସେଠାକୁ ଚାଲି ଯାଇଥିଲେ । ମାତ୍ର ପରେ ତାହା ମୀର୍ଜାପୋଖରୀ ବୋଲି ଜାଣି ଦୁର୍ଘଟଣା ସ୍ଥଳରେ ପହଞ୍ଚିଥିଲେ । ସେଥିପାଇଁ ପହଞ୍ଚିବାରେ ଡେରି ହୋଇଥିବା ଡ୍ରାଇଭର ସଫେଇ ଦେଇଛନ୍ତି । ରୋଗୀମାନଙ୍କ ଉତ୍ତମ ସେବା ପାଇଁ ମାଗଣାରେ ଆମ୍ବୁଲାନ୍ସ ସେବା ପ୍ରଦାନ ହେଉଥିବା ବେଳେ ଆମ୍ବୁଲାନ୍ସ ପରିଚାଳନା ସଂସ୍ଥା କର୍ମଚାରୀଙ୍କ ମନମୁଖୀ କାର୍ଯ୍ୟକଳାପ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ସ୍ଥାନୀୟ ଲୋକେ ଦାବି କରିଛନ୍ତି ।
