ଉତ୍କଳ ଜନନୀଙ୍କ ସ୍ବରୂପକୁ ସରକାରୀ ସ୍ବୀକୃତି ପାଇଁ ଦାବୀ
ଅଭିନବ ଚିତ୍ର କର୍ମଶାଳାରେ ବିଭିନ୍ନ ରୃପରେ ଚିତ୍ରିତ ହେଲେ ଉତ୍କଳ ଜନନୀ
ଆବେଗମୟ ହେଲା ବନ୍ଦେ ଉତ୍କଳ ଜନନୀ କବିତା ଆସର
ଉତ୍କଳ ଦିବସରେ ଶିଳ୍ପୀମାନଙ୍କୁ ଜଉକଣ୍ଢେଇ ଶିଳ୍ପୀମାନେ ପରଶିଲେ ୪୦ ପ୍ରକାରର ଓଡ଼ିଆ ବ୍ୟଞ୍ଜନ
ବାଲେଶ୍ୱର : ଓଡ଼ିଆଙ୍କ ଗର୍ବର ଦିବସ ଉତ୍କଳ ଦିବସ ଅବସରରେ ରେମୁଣା ଗୋଲେଇ ନିକଟସ୍ଥ କୋଶମ୍ବ ନଗରରେ ବାଲେଶ୍ଵରୀ କଳା କେନ୍ଦ୍ର ଓ ଯୁବ ବିକାଶର ମିଳିତ ସହଯୋଗରେ ପ୍ରଥମ ଥର ପାଇଁ ଅଭିନବ ରାଜ୍ୟସ୍ତରୀୟ ବନ୍ଦେ ଉତ୍କଳ ଜନନୀ ଚିତ୍ର କର୍ମଶାଳା ଉଦଯାପନ ହୋଇଯାଇଛି । ଏହି ଉତ୍ସବରେ ବାଲେଶ୍ଵରର ସାଂସଦ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଶିଳ୍ପୀମାନଙ୍କ ଦ୍ୱାରା ଅଙ୍କିତ ଉତ୍କଳ ଜନନୀଙ୍କ ଚିତ୍ର ସବୁ ଦେଖି ବିମୋହିତ ହେବା ସହ ଏହି ଭଳି ଅଭିନବ ପ୍ରୟାସକୁ ଭୁୟସୀ ପ୍ରଶଂସା କରିଥିଲେ । ମୁଖ୍ୟ ଅତିଥି କର୍ମଶାଳାରେ ଯୋଗ ଦେଇଥିବା ଚିତ୍ରଶିଳ୍ପୀ କେଶୁଦାସ, ପ୍ରଦୀପ ପାଣ୍ଡେ, ଅରୁଣ ଜେନା, ଅରୁଣ ବାରିକ, ମମତା ସାମନ୍ତରାୟ, ଚୁଡାମଣି ସିଂ, ଲିପିଶ୍ରୀ ନାୟକ, ରାଜକିଶୋର ମହାରଣା, ମୁକ୍ତିପଦ ନନ୍ଦୀ, ଦିବ୍ୟ ରାଉତ, ଜନାର୍ଦ୍ଦନ ପରମଗୁରୁ, ବିଭୁତି ଭୁଷଣ ସାହୁ, ତାପସ ପଣ୍ଡା ଓ ଦେବାଶିଷ ପତି ପ୍ରମୁଖକୁ ପ୍ରଶଂସା ପତ୍ର ପ୍ରଦାନ କରିଥିଲେ । ଉତ୍କଳ ଦିବସର ମଧ୍ୟାହ୍ନରେ ଚିତ୍ରଶିଳ୍ପୀ ସହ ନିମନ୍ତ୍ରିତ ଅତିଥି ମାନଙ୍କୁ ଜଉକଣ୍ଢେଇ ଶିଳ୍ପୀ କନକଲତା ଦାସ, କବିତା ଦେ, ସୁକାନ୍ତି ସାହୁ, ପୁଷ୍ପିତା କରଣ, ସୁକାନ୍ତି ମାଝି ଓ ମଞ୍ଜୁଲତା ଦାସ ପ୍ରମୁଖ ୩୫ ପ୍ରକାର ନିରାମିଷ ଓ ୫ ପ୍ରକାର ଆମିଷ ଓଡ଼ିଆ ଘରର ହଜିଯାଉଥିବା ବ୍ୟଞ୍ଜନ ପ୍ରସ୍ତୁତ କରି ପରିବେଷଣ କରିଥିଲେ । ଅପରାହ୍ନ ୪ ଟାରେ ବନ୍ଦେ ଉତ୍କଳ ଜନନୀ କବିତା ଆସରକୁ କବି ଶ୍ରୀଦେବ ସଭାପତିତ୍ବ କରିଥିବା ବେଳେ ନିରଞ୍ଜନ ଖୁଣ୍ଟିଆ, ଡ ହରିଶ୍ଚନ୍ଦ୍ର ବେହେରା, ଅଶ୍ବିନୀ କୁମାର ଦାଶ, ପ୍ରଶାନ୍ତ କୁମାର ଦାସ, ଡ ରବିନାରାୟଣ ଦାଶ, ଜୟନ୍ତୀ ବିଶ୍ବାଳ ବେହୁରିଆ, ଲିଙ୍ଗରାଜ ନାୟକ ଓ ପ୍ରଳୟ ନାୟକ ପ୍ରମୁଖ କବିତା ପାଠ କରିଥିଲେ ।
୫ ଟାରେ ପ୍ରଥମ ଉତ୍କଳ ଜନନୀ ଚିତ୍ର ପ୍ରଦର୍ଶନୀକୁ ମନୋଜ ପାଢୀ, ମନୋଜ ନାୟକ, ଭଗବାନଦାସ ଖଣ୍ଡେୱଆଲ, ଡ ଭଗବାନ ପ୍ରସାଦ ଦାସ, ପ୍ରଦୀପ ମିଶ୍ର,କମଳ ବିହାରୀ ଦାସ, ଗୋପାଳ ଦାସ, ଦିଲ୍ଲୀପ ପଣ୍ଡା, ସୁମନ୍ତ ଜେନା, ଅଞ୍ଜନ ଚାନ୍ଦ, ଶିରିଶ ଚାନ୍ଦ, ବିଶ୍ବଜିତ ପରମାଣିକ, ମରୁତ ରାଉତ ପ୍ରମୁଖ ପ୍ରଦର୍ଶନୀ ବୁଲି ପ୍ରଶଂସା କରିବା ସହ ବନ୍ଦେ ଉତ୍କଳ ଜନନୀ ସଂଗୀତ ପରି ଉତ୍କଳ ଜନନୀ ଚିତ୍ରକୁ ସରକାରୀ ମାନ୍ୟତା ମିଳିବା ଦରକାର ବୋଲି ଅନେକେ ମତାମତ ଦେଇଥିଲେ । ଭୁବନେଶ୍ୱରର କର୍ମଶାଳାର ସହଯୋଗୀ ଶକୁନ୍ତଳା ଆର୍ଟ ଗ୍ୟାଲେରୀ ତରଫରୁ ଜନାର୍ଦ୍ଦନ ପତି ସମସ୍ତ ଶିଳ୍ପୀଙ୍କୁ ମୁଖ୍ୟ ଅତିଥିଙ୍କ ଦ୍ଵାରା ପିତ୍ତଳ ଘଣ୍ଟି ଉପହାର ପ୍ରଦାନ କରିଥିଲେ ।
ଅନଲାଇନ କର୍ମଶାଳାରେ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ୬୦ ଜଣରୁ ଊର୍ଦ୍ଧ୍ୱ ଚିତ୍ରଶିଳ୍ପୀ ଭାଗ ନେଇଥିଲେ । ତନ୍ମଧ୍ୟରୁ ଗଦାଧର ମହାନ୍ତି, ପୂର୍ଣ୍ଣେନ୍ଦୁ ପତି, ଧନଞ୍ଜୟ ଧଳ, ରୂପକ ଦାସ, ପପୁନ ପ୍ରଧାନ, ରୋଜାଲିନା ପାଢୀ, ନରେନ୍ଦ୍ର ସେଠୀ, ଭବାନୀ ଶଙ୍କର ନାୟକ ଓ ଅଙ୍କିତ ଦାସ ମଞ୍ଚରୁ ମୁଖ୍ୟ ଅତିଥିଙ୍କ ଠାରୁ ପ୍ରମାଣ ପତ୍ର ଗ୍ରହଣ କରିଥିବା ବେଳେ ଅନ୍ୟମାନଙ୍କୁ ଅନଲାଇନ ଯୋଗେ ପ୍ରଦାନ କରାଯାଇଛି । ଶିଳ୍ପୀ କେଶୁଦାସ ଓ ଯୁବ ବିକାଶର ଗୋବିନ୍ଦ ଦଳାଇ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।
