ଆଇପିଏଲ-୨୦୨୩ : ବ୍ୟାଟିଂ ପରେ ଚମତ୍କାର ବୋଲିଂ, ହାଇଦ୍ରାବାଦକୁ ୭୨ ରନରେ ହରାଇଲା ରାଜସ୍ଥାନ
ହାଇଦ୍ରାବାଦ୍ : ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)-୨୦୨୩ରେ ରବିବାର ୪ର୍ଥ ମ୍ୟାଚରେ ସନ୍ରାଇଜର୍ସ ହାଇଦ୍ରାବାଦ୍କୁ ହରାଇଲା ରାଜସ୍ଥାନ ରୟାଲ୍ସ। ପ୍ରଥମେ ବ୍ୟାଟିଂ ଓ ପରେ ଚମତ୍କାର ବୋଲିଂ ଯୋଗୁଁ ୭୨ ରନରେ ହାଇଦ୍ରାବାଦ୍କୁ ହରାଏ ବୃହତ ବିଜୟ ହାସଲ କରିଛି ରାଜସ୍ଥାନ। ରାଜସ୍ଥାନ ବିଜୟରୁ ଏବଂ ହାଇଦ୍ରାବାଦ ପରାଜୟରୁ ଚଳିତ ସଂସ୍କରଣରେ ନିଜର ଅଭିଯାନ ଆରମ୍ଭ କରିଛନ୍ତି। ରାଜସ୍ଥାନ ବିଜୟରେ ତିନି ବ୍ୟାଟର ଜୋସ ବଟଲର, ଯଶସ୍ଵୀ ଜୟସଓ୍ଵାଲ ଏବଂ ଅଧିନାୟକ ସଞ୍ଜୁ ସାମସନଙ୍କ ସହିତ ବୋଲର ୟୁଜବେନ୍ଦ୍ର ଚହଲ ପ୍ରମୁଖ ଭୂମିକା ନିଭାଇଛନ୍ତି।
ରାଜସ୍ଥାନ ଟିମ୍ ପ୍ରଥମେ ବ୍ୟାଟିଂ କରିଥିବା ବେଳେ ସଞ୍ଜୁ ସାମସନ, ଜୋସ୍ ବଟଲର ଏବଂ ଯଶସ୍ଵୀ ଜୟସଓ୍ଵାଲଙ୍କ ଅର୍ଦ୍ଧଶତକୀୟ ଇନିଂସ ବଳରେ ନିର୍ଦ୍ଧାରିତ ୨୦ ଓଭରରେ ୫ ଓ୍ଵିକେଟ୍ ହରାଇ ୨୦୩ ରନର ବିଶାଳ ସ୍କୋର କରିଥିଲା। ହାଇଦ୍ରାବାଦ୍ ଟିମ୍କୁ ଜିତିବା ପାଇଁ ୨୦୪ ରନ୍ର ବିଜୟ ଲକ୍ଷ୍ୟ ରହିଥିଲା। ମାତ୍ର ପ୍ରଥମରୁ ହିଁ ବ୍ୟାଟିଂ ବିପର୍ଯ୍ୟରେ ସମ୍ମୁଖୀନ ହୋଇଥିଲେ ହାଇଦ୍ରାବାଦ୍ ଖେଳାଳି । ରାଜସ୍ଥାନ ବୋଲରଙ୍କୁ ସାମ୍ନା ନ କରିପାରି ଗୋଟେ ପରେ ଗୋଟେ ଉଇକେଟ ହରାଇଥିଲେ । ଅବଦୁଲ ସମାଦ ୩୨, ଉମରଣ ମାଲିକ ୧୯ ନଟଆଉଟ ରହିଥିବା ବେଳେ ମୟଙ୍କ ଅଗ୍ରୱାଲ ୨୭, ହେରି ବ୍ରୁକ ୧୩, ଅବଦୁଲ ସମାଦ ୩୨*, ଆଦିଲ ରସିଦ ୧୮ ରନ କରିଥିଲେ । ଅନ୍ୟ କୌଣସି ଖେଳାଳି ୨ ଅଙ୍କ ଛୁଇଁ ପରି ନଥିଲେ । ଫଳରେ ଦଳ ନିର୍ଦ୍ଧାରିତ ୨୦ ଓଭରରେ ୮ ଉଇକେଟ ହରାଇ ମାତ୍ର ୧୩୧ ରନ ସଂଗ୍ରହ କରି ୭୨ ରନରେ ପରାଜୟ ବାରଣ କରିଥିଲେ । ରାଜସ୍ଥାନ ପକ୍ଷରୁ ୟୁଜବେନ୍ଦ୍ର ଚହଲ ସର୍ବାଧିକ ୪ଟି ଉଇକେଟ ନେଇଥିବା ବେଳେ ଟ୍ରେନ୍ଟ ବୋଲ୍ଟ ୨ଟି, ଜସନ ହୋଲଡର ଓ ରବିଚନ୍ଦ୍ରନ ଅଶ୍ୱିନ ଗୋଟିଏ ଲେଖାଏଁ ଉଇକେଟ ହାସଲ କରିଥିଲେ ।
ହାଇଦ୍ରାବାଦ୍ ରାଜୀବ ଗାନ୍ଧି ଇଣ୍ଟରନ୍ୟାସନାଲ ଷ୍ଟାଡିୟମ୍ରେ ରବିବାର ଅପରାହ୍ନରେ ଟସ୍ ଜିତି ହାଇଦ୍ରାବାଦ୍ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା। ଫଳରେ ରାଜସ୍ଥାନ ଟିମ୍ ବ୍ୟାଟିଂ କରିଥିଲା। ଯଶସ୍ବୀ ଓ ଜୋସ୍ ବଟଲର ରାଜସ୍ଥାନର ପାଳି ଆରମ୍ଭ କରିଥିଲେ। ଉଭୟ ପ୍ରଥମ ୱିକେଟ୍ ପାଇଁ ୮୫ ରନ୍ ଯୋଡ଼ିଥିଲେ। ଯଶସ୍ବୀ ୩୭ଟି ବଲ୍ ଖେଳି ୯ଟି ଚୌକା ସହାୟତାରେ ବ୍ୟକ୍ତିଗତ ଭାବେ ୫୪ ରନ୍ କରିଥିଲେ। ବଟଲର ୨୨ଟି ବଲ୍ ଖେଳି ୭ଟି ଚୌକା ଓ ୩ଟି ଛକା ବଳରେ ୫୪ ରନ୍ ଯୋଡ଼ିଥିଲେ। ୩୨ଟି ବଲ୍ ଖେଳି ୩ଟି ଚୌକା ଓ ୪ଟି ଛକା ସହ ଅଧିନାୟକ ସଞ୍ଜୁ ସାମସନ ୫୫ ରନ୍ କରିଥିଲେ । ଦେବଦୂତ ପଡ଼ିକଲ ୨, ରିଆନ ପରାଗ ୭, ସିମରନ ହେଟମେୟର ୨୨ (ଅପରାଜିତ) ଓ ରବିଚନ୍ଦ୍ରନ ଅଶ୍ବିନ ୧ ରନ୍ କରିଥିଲେ। ହାଇଦ୍ରାବାଦ ପକ୍ଷରୁ ଟି ନଟରାଜନ ଏବଂ ଫଜଲହକ ଫାରୁକି ପ୍ରତ୍ୟେକ ୨ଟି ଲେଖାଏଁ ଓ୍ଵିକେଟ୍ ନେଇଥିବା ବେଳେ ବାକି ସମସ୍ତଙ୍କ ବୋଲର ମହଙ୍ଗା ସାବ୍ୟସ୍ତ ହୋଇଛନ୍ତି।
