ଆଇପିଏଲ-୨୦୨୩ : ବଟଲର-ସାମସନ-ଜୟସଓ୍ଵାଲଙ୍କ ଅର୍ଦ୍ଧଶତକ, ହାଇଦ୍ରାବାଦକୁ ୨୦୪ ରନର ବିଜୟ ଲକ୍ଷ୍ୟ ଦେଲା ରାଜସ୍ଥାନ
ହାଇଦ୍ରାବାଦ୍ : ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)-୨୦୨୩ରେ ରବିବାର ୪ର୍ଥ ମ୍ୟାଚ୍ ସନ୍ରାଇଜର୍ସ ହାଇଦ୍ରାବାଦ୍ ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ମ୍ୟାଚ ଜାରି ରହିଛି । ରାଜସ୍ଥାନ ଟିମ୍ ପ୍ରଥମେ ବ୍ୟାଟିଂ କରିଥିବା ବେଳେ ସଞ୍ଜୁ ସାମସନ, ଜୋସ୍ ବଟଲର ଏବଂ ଯଶସ୍ଵୀ ଜୟସଓ୍ଵାଲ ବ୍ୟାଟ ଗର୍ଜିଛି । ଏହି ୩ ଖେଳାଳିଙ୍କ ଅର୍ଦ୍ଧଶତକୀୟ ଇନିଂସ ବଳରେ ରାଜସ୍ଥାନ ରୟାଲ୍ସ ନିର୍ଦ୍ଧାରିତ ୨୦ ଓଭରରେ ୫ ଓ୍ଵିକେଟ୍ ହରାଇ ୨୦୩ ରନର ବିଶାଳ ସ୍କୋର କରିଛି। ଫଳରେ ହାଇଦ୍ରାବାଦ୍ ଟିମ୍କୁ ୨୦୪ ରନ୍ର ବିଜୟ ଲକ୍ଷ୍ୟ ମିଳିଛି।
ହାଇଦ୍ରାବାଦ୍ ରାଜୀବ ଗାନ୍ଧି ଇଣ୍ଟରନ୍ୟାସନାଲ ଷ୍ଟାଡିୟମ୍ରେ ରବିବାର ଅପରାହ୍ନରେ ଟସ୍ ଜିତି ହାଇଦ୍ରାବାଦ୍ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା। ଫଳରେ ରାଜସ୍ଥାନ ଟିମ୍ ବ୍ୟାଟିଂ କରିଥିଲା। ଯଶସ୍ବୀ ଓ ଜୋସ୍ ବଟଲର ରାଜସ୍ଥାନର ପାଳି ଆରମ୍ଭ କରିଥିଲେ। ଉଭୟ ପ୍ରଥମ ୱିକେଟ୍ ପାଇଁ ୮୫ ରନ୍ ଯୋଡ଼ିଥିଲେ। ଯଶସ୍ବୀ ୩୭ଟି ବଲ୍ ଖେଳି ୯ଟି ଚୌକା ସହାୟତାରେ ବ୍ୟକ୍ତିଗତ ଭାବେ ୫୪ ରନ୍ କରିଥିଲେ। ବଟଲର ୨୨ଟି ବଲ୍ ଖେଳି ୭ଟି ଚୌକା ଓ ୩ଟି ଛକା ବଳରେ ୫୪ ରନ୍ ଯୋଡ଼ିଥିଲେ। ୩୨ଟି ବଲ୍ ଖେଳି ୩ଟି ଚୌକା ଓ ୪ଟି ଛକା ସହ ଅଧିନାୟକ ସଞ୍ଜୁ ସାମସନ ୫୫ ରନ୍ କରିଥିଲେ । ଦେବଦୂତ ପଡ଼ିକଲ ୨, ରିଆନ ପରାଗ ୭, ସିମରନ ହେଟମେୟର ୨୨ (ଅପରାଜିତ) ଓ ରବିଚନ୍ଦ୍ରନ ଅଶ୍ବିନ ୧ ରନ୍ କରିଥିଲେ। ହାଇଦ୍ରାବାଦ ପକ୍ଷରୁ ଟି ନଟରାଜନ ଏବଂ ଫଜଲହକ ଫାରୁକି ପ୍ରତ୍ୟେକ ୨ଟି ଲେଖାଏଁ ଓ୍ଵିକେଟ୍ ନେଇଥିବା ବେଳେ ବାକି ସମସ୍ତଙ୍କ ବୋଲର ମହଙ୍ଗା ସାବ୍ୟସ୍ତ ହୋଇଛନ୍ତି।
