ଆଇପିଏଲ-୨୦୨୩ : ଡିଏଲଏସ ମେଥଡ଼ରେ କୋଲକାତାକୁ ୭ ରନରେ ହରାଇଲା ପଞ୍ଜାବ
ମୋହାଲି : ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ)-୨୦୨୩ର ଦ୍ବିତୀୟ ଦିନରେ ମୋହାଲି ଠାରେ ଶନିବାର ଦ୍ଵିତୀୟ ମ୍ୟାଚ ପଞ୍ଜାବ କିଙ୍ଗସ ଓ କୋଲକାତା ନାଇଟ ରାଇଡର୍ସ ମଧ୍ୟରେ ଖେଳ ଯାଇଛି । ଏଥିରେ ପ୍ରଥମେ ବ୍ୟାଟିଂ କରି ରାଜପକ୍ଷ ଓ ଧାଓ୍ଵନଙ୍କ ଦମଦାର ବ୍ୟାଟିଂ ବଳରେ ପଞ୍ଜାବ କିଙ୍ଗ୍ସ କୋଲକାତାକୁ ୧୯୨ ରନର ଟାର୍ଗେଟ୍ ଦେଇଥିଲା । ଅପରପକ୍ଷେ କୋଲକାତା ୧୬ ଓଭରରେ ୭ ଉଇକେଟ ବିନିମୟରେ ୧୪୬ ରନ ସଂଗ୍ରହ କରିଥିଲା । ଏହି ମ୍ୟାଚରେ ଡିଏଲଏସ ମେଥଡ଼ରେ ୭ ରନରେ ଜିତିଲା ପଞ୍ଜାବ ।
ସୂଚନା ଯେ, ଦୀର୍ଘ ୩ ବର୍ଷ ପରେ ମୋହାଲି କ୍ରିକେଟ ଷ୍ଟାଡିୟମକୁ ଫେରିଛି ଆଇପିଏଲ୍ ମ୍ୟାଚ୍। ଘରୋଇ ମାଟିରେ ଖେଳାଯାଉଥିବା ଆଇପିଏଲର ଦ୍ଵିତୀୟ ମ୍ୟାଚ୍ରେ ପଞ୍ଜାବ କିଙ୍ଗ୍ସର ବ୍ୟାଟର ଦମଦାର ପ୍ରଦର୍ଶନ କରିଛନ୍ତି। ପ୍ରଥମ ବ୍ୟାଟିଂ କରି ପଞ୍ଜାବ ନିର୍ଦ୍ଧାରିତ ଓଭରରେ ୫ ଓ୍ଵିକେଟ୍ ହରାଇ ୧୯୧ ରନ କରିଛି। ଭାନୁକ ରାଜପକ୍ଷ ୫୦ ରନର ଅର୍ଦ୍ଧଶତକୀୟ ଇନିଂସ ଖେଳିଥିବା ବେଳେ ଅଧିନାୟକ ଶିଖର ଧାଓ୍ଵନ ୪୦ ରନର ଉପଯୋଗୀ ଯୋଗଦାନ ଦେଇଛନ୍ତି। କୋଲକାତା ନାଇଟ୍ ରାଇଡର୍ସ ସମ୍ମୁଖରେ ରହିଛି ୧୯୨ ରନର ବିଜୟ ଲକ୍ଷ୍ୟ। ଏହା ପୂର୍ବରୁ ଟସ୍ ଜିତି କୋଲକାତା ନାଇଟ୍ ରାଇଡର୍ସ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। କୋଲକାତା ପକ୍ଷରୁ ଟିମ୍ ସାଉଦି ୨ଟି ଓ୍ଵିକେଟ୍ ନେଇଥିଲେ ହେଁ ୫୪ ରନ ଦେଇ ମହଙ୍ଗା ସାବ୍ୟସ୍ତ ହୋଇଛନ୍ତି। ଦୁଇ ଦଳ ନିଜ ନିଜର ନୂତନ ଅଧିନାୟକ ସହ ମଇଦାନକୁ ଓହ୍ଲାଇଛନ୍ତି।
ଟସ୍ ହାରି ବ୍ୟାଟିଂ କରିଥିବା ପଞ୍ଜାବକୁ ୨୩ ରନ ସ୍କୋରରେ ପ୍ରଥମ ଝଟକା ଲାଗିଥିଲା। ପ୍ରଭସିମରନ ସିଂ ଦ୍ରୁତ ବ୍ୟାଟିଂ କରି ୧୨ ବଲ୍ରୁ ୨ଟି ଲେଖାଏଁ ଚୌକ ଏବଂ ଛକା ସହ ୨୩ ରନ କରିଥିଲେ। ଏହା ପରେ ଶିଖର ଧାଓ୍ଵନ ଏବଂ ରାଜପକ୍ଷ ବିସ୍ଫୋରକ ବ୍ୟାଟିଂ କରି ଦ୍ଵିତୀୟ ଓ୍ଵିକେଟ୍ ପାଇଁ ୮୬ ରନ ଯୋଡିଥିଲେ। ଦଳୀୟ ସ୍କୋର ୧୦୯ ରନରେ ରାଜପକ୍ଷ ଆଉଟ୍ ହୋଇଥିଲେ। ସେ ୩୨ ବଲ୍ରୁ ୫ ଚୌକା ଏବଂ ୨ ଛକା ଜରିଆରେ ୫୦ ରନର ଦମଦାର ଇନିଂସ ଖେଳିଥିଲେ। ମଧ୍ୟକ୍ରମରେ ପଞ୍ଜାବ ଜଲଦି ଓ୍ଵିକେଟ୍ ହରାଇଥିଲେ ହେଁ ଯେଉଁ ବ୍ୟାଟର ଆସୁଥିଲେ ଦ୍ରୁତ ବ୍ୟାଟିଂ କରୁଥିଲେ। ଜିତେଶ ଶର୍ମା ୧୧ ବଲ୍ରୁ ଦ୍ରୁତ ୨୧ ରନ କରି ପାଭିଲିୟନ ଫେରିଥିଲେ। ସିକନ୍ଦର ରାଜା(୧୬) ବିଦାୟ ନେଇଥିଲେ। ସାମ କୁରନ ୨୬ ରନ ଏବଂ ଶାହରୁଖ ଖାନ ୧୧ ରନରେ ଅପରାଜିତ ଥିଲେ। ପଞ୍ଜାବ ନିର୍ଦ୍ଧାରିତ ଓଭରରେ ୫ ଓ୍ଵିକେଟ୍ ହରାଇ ୧୯୧ ରନର ବଡ ସ୍କୋର କରିଥିଲା।
