ରାହୁଲ ଗାନ୍ଧୀଙ୍କ ସ୍ୱର ବନ୍ଦ କରିବାକୁ ମୋଦି ସରକାରଙ୍କ ଷଡ଼ଯନ୍ତ୍ରକୁ କଂଗ୍ରେସ ପଣ୍ଡ କରିବ
ବାଲେଶ୍ୱର : କଂଗ୍ରେସ ନେତା ରାହୁଲ ଗାନ୍ଧୀ ଲୋକସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅସଲ ମୁଖା ଖୋଲିଦେବାରୁ ମୋଦିଙ୍କ ଗାତ୍ର ଦାହ ହୋଇଛି । ତେଣୁ ଷଡ଼ଯନ୍ତ୍ର କରି ତାଙ୍କୁ ଅଡୁଆ ପରିସ୍ଥିତିରେ ପକାଇବାକୁ ଚକ୍ରାନ୍ତ କରାଯାଇଛି । ତେବେ କଂଗ୍ରେସ ଦଳ ମୋଦି ସରକାରଙ୍କୁ ତାଙ୍କର ଦୁର୍ନୀତି ଉପରେ ଲଗାତର ପ୍ରଶ୍ନ ପଚାରି ଚାଲିବ ଓ ଦେଶବାସୀଙ୍କ ସମ୍ମୁଖରେ ମୋଦିଙ୍କ ଅସଲ ରୂପକୁ ପଦାରେ ପକାଇବ । ଏହି ପରିପ୍ରେକ୍ଷୀରେ ବାଲେଶ୍ୱର ଜିଲା କଂଗ୍ରେସ କାର୍ଯ୍ୟଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରଦେଶ କଂଗ୍ରେସ ପର୍ଯ୍ୟବେକ୍ଷକ ନିରୋଜ ଲୋଚନ ଦାସ ଏ ସମ୍ପର୍କରେ ସୂଚନା ଦେଇଛନ୍ତି ।
୨୦୧୯ମସିହା ଅପ୍ରେଲ ୧୩ ତାରିଖରେ ରାହୁଲ ଗାନ୍ଧୀ କର୍ଣ୍ଣାଟକର କୋଲାରରେ ସବୁ ଚୋରଙ୍କ ସାଙ୍ଗିଆ କାହିଁକି ମୋଦି ବୋଲି କହିବାରୁ ସୁରଟ ବିଧାୟକ ପୁର୍ନେଶ ମୋଦି ସେହି ମାସ ୧୬ତାରିଖରେ ସୁରଟ ଅଦାଲତ ରେ ମାମଲା ରୁଜ୍ଜୁ କରିଥିଲେ । ୨୦୨୨ ମସିହା ମାର୍ଚ୍ଚ ୭ତାରିଖରେ ପୁର୍ନେଶ ନିଜ ଅଭିଯୋଗ ଉପରେ ରହିତାଦେଶ ପାଇଁ ଉଚ୍ଚନ୍ୟାୟାଳୟରେ ଅପିଲ କରି ସଫଳ ହୋଇଥିଲେ । ଚଳିତ ବର୍ଷ ଫେବୃଆରୀ ସାତରେ ସଂସଦରେ ରାହୁଲ ଗାନ୍ଧୀ ମୋଦି ଓ ଅଦାନୀଙ୍କ ମଧ୍ୟରେ ଥିବା ସୁସମ୍ପର୍କ ଉପରେ ପ୍ରଶ୍ନ ଉଠାଇ ସବୁ କଥା ସାର୍ବଜନୀନ କରି ଦେବାରୁ ପୁଣି ସେହି ମାସ ୧୬ ତାରିଖରେ ବିଜେପି ବିଧାୟକ ପୁର୍ନେଶ ମୋଦି ଉଚ୍ଚ ଅଦାଲତରେ ରହିତାଦେଶ ପ୍ରତ୍ୟହାର କରି ମାମଲାର ଶୁଣାଣି ଆରମ୍ଭର ପଥ ପରିଷ୍କାର କରିଥିଲେ, ଶୁଣାଣି ପରେ ମାର୍ଚ୍ଚ ୨୩ରେ ରାହୁଲଙ୍କୁ ଦୁଇବର୍ଷ କାରାଦଣ୍ଡା ଦେଶ ହୋଇଛି । ଲୋକସଭା ସଚିବ ମଧ୍ୟ ୨୪ଘଂଟା ମଧ୍ୟରେ ରାହୁଳଙ୍କ ସାଂସଦ ପଦ ରଦ୍ଦ କରିଛନ୍ତି । ଅଦାନୀ ଗ୍ରୁପରେ ବିଦେଶରେ ରହୁଥିବା ପରିବାର ଲୋକ ତିରିଶ ହଜାର କୋଟି ଟଙ୍କାର ପୁଞ୍ଜି ବିନିଯୋଗ କରିଥିବା ବେଳେ ଏ ଟଙ୍କା କାହାର ବୋଲି ସେ ପ୍ରଶ୍ନ କରିବାରୁ ଝାମେଲାର ସୂତ୍ରପାତ ହୋଇଛି ବୋଲି ଶ୍ରୀ ଜେନା କହିଥିଲେ । ଏହି ଅବସରରେ ଜିଲ୍ଲା କଂଗ୍ରେସ ସଭାପତି ସଞ୍ଜୀବ ଗିରି କହିଥିଲେ କି, ଆଦାନୀ କମ୍ପାନୀରେ ୨୩ ହଜାର କୋଟି ଟଙ୍କାର ଯେଉଁ ପୁଞ୍ଜି ବିନିଯୋଗ ହୋଇଛି, ତାହା ଆଦାନୀଙ୍କ ସମ୍ପତି ନୁହେଁ । ଏହାର ତଦନ୍ତ ଜେପିସି ଦ୍ୱାରା କରାଯାଉ । କିନ୍ତୁ ସରକାର ଏହାର ତଦନ୍ତ କରିବା ପରିବର୍ତେ ରାହୁଲ ଗାନ୍ଧୀଙ୍କ ସଦସ୍ୟତା ପଦ ରଦ୍ଦ ପାଇଁ ଷଡ଼ଯନ୍ତ୍ର କଲେ । ରାହୁଲ ଗାନ୍ଧୀଙ୍କ ସ୍ୱରକୁ ବନ୍ଦ୍ କରିଦେବା ଓ ଆଦାନୀ-ମୋଦିଙ୍କ ସମ୍ପର୍କକୁ ଲୋକଲୋଚନକୁ ନ ଆଣିବା ପାଇଁ ଏହା ଏକ ଅଗଣତାନ୍ତ୍ରିକ ପଦ୍ଧତି ଅଟେ । ୧୯୪୭ ମସିହାଠାରୁ ଆଜି ପର୍ଯ୍ୟନ୍ତ କୌଣସି ନିର୍ବାଚିତ ପ୍ରତିନିଧିଙ୍କୁ ମାନହାନୀ ମୋକଦ୍ଦମାରେ ସର୍ବାଧିକ ଦୁଇବର୍ଷ କାରାଦଣ୍ଡ ରାହୁଲ ଗାନ୍ଧୀଙ୍କ ବ୍ୟତୀତ ଅନ୍ୟ କାହାକୁ ମିଳିନାହିଁ । ରାହୁଲ ଗାନ୍ଧୀ ସଂସଦରେ ଆଦାନୀ ପ୍ରସଙ୍ଗ ଉଦ୍ଥାପନ କରିବାର ମାସକ ମଧ୍ୟରେ ଏଭଳି ଦଣ୍ଡାଦେଶ ଶୁଣାଯାଇଛି । ୨୦୧୪ଠାରୁ ଅଦ୍ୟାବଧି ସଂସଦୀୟ ଗଣତନ୍ତ୍ରର ସମସ୍ତ ପରମ୍ପରାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ତାଙ୍କ ମନ୍ତ୍ରିମଣ୍ଡଳର ସଦସ୍ୟ ଓ ବିଜେପିର ନେତାମାନେ ସଂସଦ ଭିତରେ ଓ ସଂସଦ ବାହାରେ ନଷ୍ଟ କରିବା ସହିତ ବହୁ ଅପଶବ୍ଦ କଂଗ୍ରେସ ନେତାଙ୍କ ବିରୋଧରେ ପ୍ରୟୋଗ କରିଛନ୍ତି । ସୋନିଆ ଗାନ୍ଧୀଙ୍କୁ କଂଗ୍ରେସର ବିଧବା, ହଲଷ୍ଟନ୍ ଗାଈ, ବାର୍ ଡ୍ୟାନ୍ସର କହିବା ସହ ରାହୁଲ ଗାନ୍ଧୀଙ୍କୁ ପପୁ ଭାବେ ଆଖ୍ୟା ଦେବା, ଗାନ୍ଧୀ ପରିବାର ଚୋର ବୋଲି କହିବା ଓ ତାଙ୍କୁ ମୀର୍ଜାଫର୍ କରିବା ଓ ଏ ବଂଶ ଲୁଟେରା ବଂଶ ତଥା ଅନ୍ୟଦଳର ନାରୀ ନେତ୍ରୀଙ୍କୁ ବେଶ୍ୟା କହିବା କେତେଦୂର ଠିକ୍ ଏକଥା ଦେଶବାସୀ ବିଚାର କରନ୍ତୁ । ନ୍ୟାୟାଳୟଙ୍କ ନିଷ୍ପତିକୁ କଂଗ୍ରେସ ଦଳ ମୁଣ୍ଡପାତି ଗ୍ରହଣ କରିଛି କିନ୍ତୁ ଘଟଣା କର୍ଣ୍ଣାଟକରେ ଘଟିଥିବାବେଳେ ସୁରଟର ସେସନ୍ ଅଦାଲତରେ କାହିଁକି ମକଦ୍ଦମା ରାହୁଲ ଗାନ୍ଧୀଙ୍କ ବିରୋଧରେ ଦାଏର କରାଗଲା ବୋଲି ଶ୍ରୀ ଗିରି ପ୍ରଶ୍ନ କରିଥିଲେ । ରାହୁଲ ଗାନ୍ଧୀଙ୍କ ପ୍ରଶ୍ନର ଉତର ଦେବା ପରିବର୍ତେ ଶାସକ ଦଳ ଜାଣିଶୁଣି ପାର୍ଲମେଂଟକୁ ଅଚଳ କରିଥିଲେ । ଏପରିକି ଭାରତବର୍ଷର ୪୫ଲକ୍ଷ ୯୭ହଜାର କୋଟି ଟଙ୍କାର ବଜେଟ୍କୁ ମାତ୍ର ୯ ମିନିଟ୍ରେ ଆଲୋଚନା ବିନା ଅନୁମୋଦନ କରାଯାଇଛି । ଏହାର କେବଳ ଜଣେ ସ୍ୱେଚ୍ଛାଚାରୀ ଶାସକ ଦ୍ୱାରା ସମ୍ଭବପର । ଭାରତବର୍ଷର ଗଣତନ୍ତ୍ର ଓ ଗଣତାନ୍ତ୍ରିକ ଅନୁଷ୍ଠାନକୁ ବଂଚାଇବା ଲାଗି ଆଜି ସମସ୍ତ ବିରୋଧୀ ଦଳ ଏକ ପୃଷ୍ଠଭୂମିରେ ଛିଡ଼ା ହୋଇଥିବାବେଳେ ବିଜୁ ଜନତା ଦଳ କାହିଁକି ନିରବତା ଅବଲମ୍ବନ କରିଛି ବୋଲି ଶ୍ରୀ ଗିରି ପ୍ରଶ୍ନ ଉଠାଇଛନ୍ତି । ଗଣତନ୍ତ୍ରକୁ ସୁଦୃଢ଼ କରିବା, ଗଣତାନ୍ତ୍ରିକ ଅନୁଷ୍ଠାନର ମର୍ଯ୍ୟାଦା ଓ ସମ୍ମାନ ରଖିବା କ’ଣ ବିଜୁ ଜନତା ଦଳର ଦାୟିତ୍ୱ ନୁହେଁ କି ବୋଲି ସେ ପ୍ରଶ୍ନ କରିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ସଭାପତି ସଂଜୀବ ଗିରି, ଜିଲ୍ଲା କଂଗ୍ରେସ ଉପସଭାପତି ଗୋପୀନାଥ ପାଢ଼ୀ, ଜିଲ୍ଲା ମହିଳା କଂଗ୍ରେସ ସଭାପତି ପ୍ରଜ୍ଞାପାରମିତା ମହାନ୍ତି, କେ.କେ.ସି ଜିଲ୍ଲା ଅଧ୍ୟକ୍ଷ ବିକାଶ ଦାସ ଓ ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ଗୌତମ ସାହୁ ପ୍ରମୁଖ ଉପସ୍ଥିତ ରହିଥିଲେ ।
