ଆଜି ଚାଷୀଙ୍କୁ ମିଳିବ କାଳିଆ ସହାୟତା, ୫୩ ଲକ୍ଷରୁ ଅଧିକ ଚାଷୀ ହେବେ ଉପକୃତ
ଭୁବନେଶ୍ୱର : ଉତ୍କଳ ଦିବସରେ ଆଜି ରାଜ୍ୟର ଚାଷୀଙ୍କୁ ମିଳିବ କାଳିଆ ସହାୟତା। ସିଧାସଳଖ ଯୋଗ୍ୟ ଚାଷୀଙ୍କ ଆକାଉଣ୍ଟକୁ ଯିବ କାଳିଆ ଟଙ୍କା । ୨ ହଜାର ଟଙ୍କା ଲେଖାଏଁ କାଳିଆ ସହାୟତା ଚାଷୀଙ୍କ ଆକାଉଣ୍ଟକୁ ଯିବ । ରାଜ୍ୟର ୫୩ ଲକ୍ଷରୁ ଅଧିକ ଚାଷୀଙ୍କୁ କାଳିଆ କିସ୍ତି ଅର୍ଥ ବଣ୍ଟନ କରାଯିବ । ଉପନିର୍ବାଚନ ପାଇଁ ଆଚରଣବିଧି ଲାଗୁ ହୋଇଯାଇଥିବାରୁ ଝାରସୁଗୁଡ଼ାକୁ ଛାଡ଼ିଦେଇ ଅନ୍ୟ ଜିଲାର ଚାଷୀଙ୍କୁ କାଳିଆ ଟଙ୍କା ମିଳିବ।
ସୂଚନା ଯେ, ରାଜ୍ୟର କ୍ଷୁଦ୍ର, ନାମମାତ୍ର ଓ ଭୂମିହୀନ ଚାଷୀମାନଙ୍କୁ ରାଜ୍ୟ ସରକାର ଯୋଗାଇ ଆସୁଛନ୍ତି କାଳିଆ ସହାୟତା । ଗତ ୨୦୧୮ ଡିସେମ୍ବର ମାସରେ ରାଜ୍ୟର ଚାଷୀମାନଙ୍କ କଲ୍ୟାଣ ନିମନ୍ତେ ମୁଖ୍ୟମନ୍ତ୍ରୀ ‘କାଳିଆ’ ଯୋଜନା ପ୍ରଚଳନ କରିଥିଲେ। ଏହି ଯୋଜନାରେ ପ୍ରତିବର୍ଷ ହିତାଧିକାରୀମାନଙ୍କୁ ଦୁଇଟି ପର୍ଯ୍ୟାୟରେ ୪ ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯାଉଛି। ରାଜ୍ୟ ବଜେଟ୍ରେ ଏଥିପାଇଁ ସ୍ୱତନ୍ତ୍ର ବ୍ୟୟବରାଦ କରାଯାଇଛି। ରାଜ୍ୟର ୧୪ ଲକ୍ଷ ଭୂମିହୀନ କୃଷି ଶ୍ରମିକ ଓ ୫୩ ଲକ୍ଷ ଚାଷୀଙ୍କୁ ଆର୍ଥିକ ସହାୟତା ପ୍ରଦାନ ପାଇଁ ଯୋଜନା ହୋଇଛି। ଏହି ଅର୍ଥରାଶି ସିଧାସଳଖ ହିତାଧିକାରୀଙ୍କ ବ୍ୟାଙ୍କ ଖାତାରେ ଜମା କରାଯାଉଛି।
