ମୃତଦେହ ଉଦ୍ଧାର କରିବାକୁ ଯାଇ ମାଡ଼ ଖାଇଲେ ପୋଲିସ, ଶତାଧିକ ଗ୍ରାମବାସୀଙ୍କ ନାମରେ ମାମଲା
ଭୋଗରାଇ : ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ଅଧୀନ ଟୁକୁରୀହାଜିରା ବାଗଞ୍ଜର ପାହି ଠାରେ ଗୁରୁବାର ଜଣେ ଝୁଲନ୍ତା ଯୁବକର ମୃତଦେହ ଉଦ୍ଧାର କରିବାକୁ ଯାଇ ପୋଲିସ ମାଡ଼ ଖାଇବା ଘଟଣା ଭିନ୍ନମୋଡ଼ ନେଇଛି । ଏହି ଘଟଣାରେ ଭୋଗରାଇ ଥାନା ପକ୍ଷରୁ ପୃଥକ୍ ଭାବେ ଦୁଇଟି ମାମଲା (ନଂ. ୧୧୭ ।୨୩ ଓ ୧୧୮ ।୨୩) ରୁଜୁ କରାଯାଇଛି । ପୋଲିସ ସହ ମୃତ ଯୁବକର ସ୍ତ୍ରୀ ଓ ଶାଶୁଙ୍କୁ ମାଡ଼ ମାରିଥିବାର ଅଭିଯୋଗରେ ଶତାଧିକ ଗ୍ରାମବାସୀଙ୍କ ନାମରେ ମାମଲା ହୋଇଥିବାର ସୂଚନା ମିଳିଛି ।
ସୂଚନା ଅନୁଯାୟୀ, ମୟୂରଭଞ୍ଜ ଜିଲାର ଖୁଣ୍ଟା ବୈଶିଙ୍ଗା କରଞ୍ଜପଡ଼ା ଅଞ୍ଚଳର ସଦନ ଦେହୁରୀ ନାମକ ଯୁବକ ଭୋଗରାଇପାହି ଠାରେ ବିଭିନ୍ନ ଚିଙ୍ଗୁଡ଼ି ଝିଲ ମାଲିକ ଫାର୍ମରେ ଦୀର୍ଘଦିନ ଧରି କାମ କରି ଆସୁଥିଲେ । ଟୁକୁରୀ ହାଜରା ପଞ୍ଚାୟତ ରଣକୋଠା ଗ୍ରାମର ପ୍ରିୟଙ୍କା ପାତ୍ରଙ୍କୁ ଭଲ ପାଇ ପ୍ରେମ ବିବାହ କଲା ପରେ ଶ୍ୱଶୁର ଘରେ ରହି ଜୀବନ ନିର୍ବାହ କରୁଥିଲେ । ଗତ କିଛିମାସ ଧରି ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଘରୋଇ ଗଣ୍ଡଗୋଳ ଲାଗି ରହୁଥିବା ବେଳେ ସ୍ୱାମୀକୁ ପରିବାର ଲୋକେ ହତ୍ୟା କରିଥିବାର ଗ୍ରାମବାସୀ ଓ ମୃତ ଯୁବକ ପରିବାର ଲୋକେ ଭୋଗରାଇ ଥାନାରେ ଏତଲା ଦେଇଥିଲେ । ମୃତ ଯୁବକଙ୍କୁ ପୋଲିସ ଉଦ୍ଧାର କରିବାକୁ ଯାଇ ସ୍ଥାନୀୟ ଗ୍ରାମବାସୀଙ୍କ ଆକ୍ରମଣର ଶୀକାର ହୋଇଥିଲେ । ଗ୍ରାମବାସୀମାନେ ହତ୍ୟାକାରୀଙ୍କୁ ଗିରଫ ନ ହେବା ପର୍ଯ୍ୟନ୍ତ ଶବ ଛାଡ଼ିବେ ନାହିଁ ବୋଲି ଅଡ଼ି ବସିବା ପରେ ପୋଲିସ ସହିତ ଗ୍ରାମବାସୀଙ୍କ ଯୁକ୍ତିତର୍କ ଓ ପରେ ଗଣ୍ଡଗୋଳ ସୂତ୍ରପାତ ହୋଇଥିଲା । ଗ୍ରାମବାସୀମାନେ ପୋଲିସ ପହଞ୍ôଚବା ପୂର୍ବରୁ ମୃତ ଯୁବକର ସ୍ତ୍ରୀ ପ୍ରିୟଙ୍କା ପାତ୍ର ଓ ତାଙ୍କ ଶାଶୁ ଆହ୍ଲାଦି ପାତ୍ରଙ୍କୁ ମାଡ଼ ମାରିଥିଲେ । ପୋଲିସ ସେମାନଙ୍କୁ ଉଦ୍ଧାର କରିବାକୁ ଯାଇ ଉତ୍ତେଜିତ ଜନତା ଉଗ୍ରରୂପ ଧାରଣ କରି ପୋଲିସ କର୍ମଚାରୀଙ୍କୁ ଠେଲାପେଲା, ଢ଼େଲା ମାଡ଼ ସହ ବାଉଁଶ ଠେଙ୍ଗାରେ ଆକ୍ରମଣ କରିଥିଲେ । ୮ଶହରୁ ଉର୍ଦ୍ଧ୍ୱ ଲୋକଙ୍କ ଘେରା ବନ୍ଦିରେ ୨୦ଜଣ ପାଖାପାଖି ପୋଲିସ କର୍ମଚାରୀ କୌଣସି ଦୁଃସାହସୀ ପଦକ୍ଷେପ ନନେଇ ନୀରବ ରହିଥିଲେ । ପରେ ସ୍ଥାନୀୟ ଜନପ୍ରତିନିଧିଙ୍କ ପ୍ରତିଶ୍ରୁତି ପରେ କୌଶଳଗତ ଭାବେ ପୋଲିସ ଶବ ସହ ଲୋକଙ୍କ କବଳରୁ ଶାଶୁ, ସ୍ତ୍ରୀଙ୍କୁ ଉଦ୍ଧାର କରି ଥାନାକୁ ଆଣି ଡାକ୍ତରଖାନାରେ ଚିକିତ୍ସା କରାଇଥିଲେ । ଆହତ ହୋଇଥିବା ୪ ଜଣ ପୋଲିସ କର୍ମଚାରୀ ସମେତ ଡ୍ରାଇଭର ଚିକିତ୍ସା ହେଉଥିବାର ପୋଲିସ ସୂତ୍ରରୁ ପ୍ରକାଶ ।
