ବୈଦିକ ଯୁଗରେ ନାରୀ’ ଶୀର୍ଷକ କର୍ମଶାଳା ଓ ପୁସ୍ତକ ଉନ୍ମୋଚନ
କୋଣାର୍କ : କୋଣାର୍କ ଯାତ୍ରୀନିବାସ ସମ୍ମେଳନ କକ୍ଷରେ ଅଖିଳ ଭାରତୀୟ କବୟିତ୍ରୀ ସମ୍ମେଳନ ଓଡିଶା ଶାଖା ଆନୁକୁଲ୍ୟରେ ଗୁରୁବାର ସଂଧ୍ୟାରେ “ବୈଦିକ ଯୁଗରେ ନାରୀ” ଶୀର୍ଷକ କର୍ମଶାଳା ଓ ପୁସ୍ତକ ଉନ୍ମୋଚନ ସମାରୋହ ଅନୁଷ୍ଠିତ ହୋଇଯାଇଛି । ବିଶିଷ୍ଟ ଶିଶୁ ସାହିତ୍ଯିକା ଶୈଳବାଳା ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କର୍ମଶାଳା ଓ ପୁସ୍ତକ ଉନ୍ମୋଚନ ସମାରୋହରେ ସମ୍ମାନିତ ବକ୍ତା ଭାବେ ବିଶିଷ୍ଟ ଐତିହାସିକ ପ୍ରଫେସର ଡଃ ଲ୍ୟାରି ଆଜାଦ ଯୋଗଦେଇ ବୈଦିକ ଯୁଗରେ ମହୀୟସୀ ନାରୀ ମାନଙ୍କର ଆଚାର, ବ୍ୟବହାର, ଚାଲିଚଳନ ଓ ବୀରତ୍ୱର ଗୁଣାତ୍ମକ ତଥ୍ୟ ଉପରେ ବିଶଦ ଭାବରେ ଆଲୋକପାତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ବକ୍ସି ଜଗବନ୍ଧୁ ସ୍ୱୟଂ ଶାସିତ ମହାବିଦ୍ୟାଳୟର ପ୍ରାକ୍ତନ ପ୍ରାଧ୍ୟାପକ ପ୍ରମୋଦ କୁମାର ପରିଡା, ଏକାମ୍ର ମହାବିଦ୍ୟାଳୟର ପ୍ରାକ୍ତନ ପ୍ରାଧ୍ୟାପକ ମିହିର କୁମାର ନାୟକ, ବିଶିଷ୍ଟ ଗାଳ୍ପିକ ଓ ସାହିତ୍ଯିକ ହରିଶ କୁମାର ମିଶ୍ର ପ୍ରମୁଖ ଯୋଗଦେଇଥିଲେ । ଏହି ପରିପ୍ରେକ୍ଷୀରେ ବିଶିଷ୍ଟ ଲେଖିକା ପ୍ରାକ୍ତନ ପ୍ରାଧ୍ୟାପିକା କମଳ କୁମାରୀ ଦାଶଙ୍କ ସ୍ୱରଚିତ ଉପନ୍ୟାସ “ମରୁ ନଦୀର ତୃଷ୍ଣା” ଏବଂ ବିଶିଷ୍ଟ ଗାଳ୍ପିକ ତଥା ଲେଖକ ହରିଶ କୁମାର ମିଶ୍ରଙ୍କ ସ୍ୱରଚିତ ଗଳ୍ପ ସଂକଳନ “ଜୀବନର ସ୍ୱରଲିପି” ଅତିଥି ମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା । ମରୁନଦୀର ତୃଷ୍ଣା ଉପନ୍ୟାସ ପୁସ୍ତକଟିର ସମୀକ୍ଷା କରିଥିଲେ ପ୍ରାକ୍ତନ ପ୍ରାଧ୍ୟାପକ ମିହିର କୁମାର ନାୟକ ଓ ଜୀବନର ସ୍ୱରଲିପି ଗଳ୍ପ ସଙ୍କଳନ ପୁସ୍ତକଟିକୁ ପ୍ରାକ୍ତନ ପ୍ରାଧ୍ୟାପକ ପ୍ରମୋଦ କୁମାର ପରିଡା ସମୀକ୍ଷା କରିଥିଲେ । ଏହି କର୍ମଶାଳା ଓ ପୁସ୍ତକ ଉନ୍ମୋଚନ ସମାରୋହରେ ଗୋପ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ଖଟୋଇ, ସାହିତ୍ୟିକ ମାନସ ରଞ୍ଜନ ମହାପାତ୍ର, ପ୍ରାକ୍ତନ ପ୍ରାଧ୍ୟାପକ ଶରତ ଚନ୍ଦ୍ର ପ୍ରଧାନ, ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷାବିତ ତଥା ବିଶିଷ୍ଟ ଲେଖିକା ସ୍ୱର୍ଣ୍ଣ ଲତା ତ୍ରିପାଠୀ, ଗବେଷକ ସୁବାସ ଚନ୍ଦ୍ର ବରାଳ, ବରିଷ୍ଠ ସମାଜସେବୀ ହରିଶ୍ଚନ୍ଦ୍ର ଦାଶ, ଶିକ୍ଷାବିତ ରାମକୃଷ୍ଣ ମହାନ୍ତି ଙ୍କ ସମେତ ଓଡ଼ିଶାର କୋଣ ଅନୁକୋଣରୁ ସଂସ୍କୃତି ପ୍ରେମୀ, ସାହିତ୍ୟ ପ୍ରେମୀ, ବୁଦ୍ଧିଜୀବୀ ଓ ଶିକ୍ଷାପ୍ରେମୀ ସଚେତନ ନାଗରିକ ମାନେ ଯୋଗଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ୧୦୦ରୁ ଉର୍ଦ୍ଧ୍ୱ ସଂସ୍କୃତି ଓ ସାହିତ୍ୟ ପ୍ରେମୀ ବ୍ଯକ୍ତି ବିଶେଷ ମାନେ ଅଂଶଗ୍ରହଣ କରିଥିଲେ । ଶିକ୍ଷକ ପ୍ରତାପ କୁମାର ରାଉତ ମଞ୍ଚ ସଂଯୋଜନା କରିଥିଲେ । ଏହି ପରିପ୍ରେକ୍ଷୀରେ ନ୍ଯାସନାଲ ବୁକ ଟ୍ରଷ୍ଟ ଅଫ ଇଣ୍ଡିଆର ପ୍ରାକ୍ତନ ନିର୍ଦ୍ଦେଶକ ମାନସ ରଞ୍ଜନ ମହାପାତ୍ରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।
