ଏପ୍ରିଲ୍ ୧ରେ କାହିଁକି ପାଳନ ହୁଏ ଉତ୍କଳ ଦିବସ ? ଜାଣନ୍ତୁ କଣ ରହିଛି ଇତିହାସ
୧୯୩୬ ଅପ୍ରେଲ ପହିଲା । ଉତ୍କଳ ଇତିହାସର ସ୍ୱର୍ଣ୍ଣିମ ଦିନ । ବ୍ରିଟିଶ୍ ଶାସନ କାଳରେ ସ୍ୱତନ୍ତ୍ର ରାଜ୍ୟ ଭାବେ ରାଜ୍ୟ ଭାବେ ଏପ୍ରିଲ୍ ୧ରେ ନବଗଠିତ ହୋଇଥିଲା ଓଡ଼ିଷା । ଏହି ସ୍ମୃତିକୁ ଉଜ୍ଜୀବତ କରିବା ଲାଗି ପ୍ରତିବର୍ଷ ଏପ୍ରିଲ୍ ୧ରେ ପାଳନ ହେଉଛି ଉତ୍କଳ ଦିବସ ।
ଭାଷା ଭିତ୍ତିରେ ରାଜ୍ୟଗଠନ ହେବାରେ ଓଡ଼ିଶା ଭାରତର ପ୍ରଥମ ରାଜ୍ୟ । ୧୫୬୮ରେ ଶେଷ ହିନ୍ଦୁ ରାଜା ମୁକୁନ୍ଦ ଦେବଙ୍କ ଦେହାନ୍ତ ପରେ, ବ୍ରିଟିଶ ଶାସନରୁ ଅଲଗା ହୋଇ ଓଡ଼ିଶାକୁ ଏକ ଅଲଗା ରାଜ୍ୟ କରିବା ପାଇଁ ମଧୁସୂଦନ ଦାସ, ଫକୀର ମୋହନ ସେନାପତି, ଗୋପବନ୍ଧୁ ଦାସ, ନୀଳକଣ୍ଠ ଦାସ, ଗଙ୍ଗାଧର ମେହେର, ରାଧାନାଥ ରାୟ, ବାସୁଦେବ ସୁଢ଼ଳ ଦେବ ଓ କୃଷ୍ଣଚନ୍ଦ୍ର ଗଜପତିଙ୍କ ଚେଷ୍ଟାରେ ଆନ୍ଦୋଳନ ତେଜିଥିଲା ।
ପ୍ରଥମେ ଓଡ଼ିଶା ରାଜ୍ୟ ଛଅଟି ଜିଲା କଟକ, ପୁରୀ, ବାଲେଶ୍ୱର, ସମ୍ବଲପୁର, କୋରାପୁଟ ଓ ଗଞ୍ଜାମକୁ ନେଇ ତିଆରି କରାଯାଇଥିଲା । ସାର ଅଷ୍ଟିନ ହବାକ ଓଡ଼ିଶାର ପ୍ରଥମ ରାଜ୍ୟପାଳ ଭାବରେ ଶପଥ ନେଇଥିଲେ । ୧୯୩୬ ମସିହା ଏପ୍ରିଲ ପହିଲା ଦିନ ଓଡ଼ିଶାକୁ ଏକ ସ୍ୱତନ୍ତ୍ର ରାଜ୍ୟର ମାନ୍ୟତା ମିଳିଲା। ୧୯୯୨ ମସିହାରେ ଓଡ଼ିଶାର ୧୩ଟି ଜିଲାକୁ ପୁନର୍ବିଭାଜନ କରି ୩୦ଟି ଜିଲାରେ ଭାଗ କରାଗଲା । ପ୍ରତିବର୍ଷ ଏପ୍ରିଲ ପହିଲା ଦିନଟିକୁ ଓଡ଼ିଶା ଦିବସ ରୂପେ ପାଳନ କରାଯାଇ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର କର୍ଣ୍ଣଧାରମାନଙ୍କୁ ସମ୍ମାନ ଅର୍ପଣ କରାଯାଏ ।
ପୂର୍ବରୁ ଉତ୍କଳ ଖଣ୍ଡବିଖଣ୍ଡିତ ହୋଇ ପଡ଼ି ରହିଥିଲା। ପଶ୍ଚିମରେ ସମ୍ବଲପୁର ମଧ୍ୟପ୍ରଦେଶ ସହିତ ମିଶିଥିବା ବେଳେ ଉତ୍ତରରେ ବାଲେଶ୍ୱରରେ ବଙ୍ଗଳାର ପ୍ରଭାବ ଥିଲା, କେତେକ ଅଞ୍ଚଳ ବିହାରରେ ଥିବା ବେଳେ, ଦକ୍ଷିଣରେ ଗଂଜାମ, ମାଡ୍ରାସ୍ ପ୍ରେସିଡେନ୍ସି ଅଧୀନରେ ଥିଲା। ହେଲେ ଉତ୍କଳ ଗୌରବ ମଧୁସୂଦନ ଦାସ, ଉତ୍କଳ ମଣି ଗୋପବନ୍ଧୁ ଦାସ, ମହାରାଜା କୃଷ୍ଣଚନ୍ଦ୍ର ଗଜପତି, ବ୍ୟାସ କବି ଫକୀର ମୋହନ ସେନାପତି, ରାଧାନାଥ ରାୟ, ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ପରି କେତେକ ବୀରପୁତ୍ର ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ କରିବା ପାଇଁ ସଂଘର୍ଷ କରିଥିଲେ। ଏହି ବୀରପୁତ୍ରଙ୍କ ସଂଘର୍ଷରେ ୧୯୦୩ରେ ପ୍ରଥମେ ଗଠନ ହେଲା ଉତ୍କଳ ସମ୍ମିଳନୀ । ଏହା ପରେ ଜୋରଦାର ହୋଇଥିଲା ସଂଗ୍ରାମ । ଶେଷରେ ସାକାର ହେଲା ସ୍ୱପ୍ନ । ଓଡ଼ିଆଙ୍କୁ ମିଳିଥିଲା ନିଜ ପାଇଁ ଏକ ସ୍ୱତନ୍ତ୍ର ଭୌଗୋଳିକ ଭୂଖଣ୍ଡ।ପ୍ରାୟ ପାଞ୍ଚ ଶହ ବର୍ଷ ସୀମାହୀନ, ଜାତିହୀନ ଓ ଭାଷାହୀନ ଅବସ୍ଥାରେ ଖଣ୍ତ-ବିଖଣ୍ତିତ ହୋଇ ରହିବା ପରେ, ୧୯୩୬ ମସିହାରେ ଏପ୍ରିଲ ୧ ଏହି ଦିନରେ ଓଡ଼ିଶା ଏକତ୍ର ହୋଇଥିଲା।
