ରଥଯାତ୍ରା-୨୦୨୩ ପ୍ରସ୍ତୁତି ବୈଠକ, ବିଭାଗୀୟ ଅଧିକାରୀଙ୍କୁ ଆକ୍ସନ ପ୍ଲାନ ରିପୋର୍ଟ ଦାଖଲ ନେଇ ନିର୍ଦ୍ଦେଶ
ବିପଦ ସଂକୁଳ କୋଠାଗୁଡ଼ିକୁ ଚିହ୍ନଟ, ସ୍ଥିତି ଅନୁଧ୍ୟାନ ପାଇଁ ସ୍ୱତନ୍ତ୍ର ଟିମ୍ ଗଠନ
ପୁରୀ : ଚଳିତ ବର୍ଷ ରଥଯାତ୍ରା ନିମନ୍ତେ ଶେଷ ହେଲା ପ୍ରସ୍ତୁତି ବୈଠକ। ବିଭାଗୀୟ ଅଧିକାରୀ ମାନଙ୍କୁ ଆକ୍ସନ ପ୍ଲାନ ରିପୋର୍ଟ ପ୍ରଥମ ରଥ ସମନ୍ୱୟ ବୈଠକ ପୂର୍ବରୁ ଦାଖଲ କରିବା ନେଇ ନିର୍ଦ୍ଦେଶ ଦେଇଛନ୍ତି ଜିଲାପାଳ। ସେପଟେ ଚଳିତ ବର୍ଷ ରଥଯାତ୍ରାକୁ ୟୁନେସ୍କୋ ମାନ୍ୟତା ମିଳିବା ନେଇ ପ୍ରକ୍ରିୟା ଆରମ୍ଭ କରିଛି ମନ୍ଦିର ପ୍ରଶାସନ। ରଥଯାତ୍ରା ପୂର୍ବରୁ ଜୋରସୋରରେ ପ୍ରସ୍ତୁତି ଆରମ୍ଭ କରିଛି ପ୍ରଶାସନ । ସହରରେ ଥିବା ବିପଦ ଶଙ୍କୁଳ କୋଠା ଗୁଡି଼କ ଚିହ୍ନଟ କରାଯାଇ ଏହାର ସ୍ଥିତି ଅନୁଧ୍ୟାନ କରିବା ପାଇଁ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଛି। ରଥଯାତ୍ରା ପୂର୍ବରୁ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଶେଷ କରିବା ନେଇ ପଦକ୍ଷେପ ଗ୍ରହଣ କରାଯାଇଛି। ଆସନ୍ତା ମାସ ଏପ୍ରିଲ ୨୩ ତାରିଖରେ ପବିତ୍ର ଅକ୍ଷୟ ତୃତୀୟା ପଡୁଥିବାରୁ ତା ପୂର୍ବରୁ ଭୋଇ ସେବକ ଓ ମହାରଣା ସେବକଙ୍କ ସହ ଆଲୋଚନା କରାଯିବ ବୋଲି ସୂଚନା ଦେଇଛନ୍ତି ଜିଲ୍ଲାପାଳ । ।
ଆସନ୍ତା ଜୁନ୍ ୨୦ ତାରିଖରେ ଜଗତର ନାଥ ପ୍ରଭୁ ଜଗନ୍ନାଥଙ୍କ ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା। ଇତି ମଧ୍ୟରେ ରଥଯାତ୍ରାକୁ ଆଉ ମାତ୍ର ୮୨ ଦିନ ବାକି ରହିଛି। ଏପ୍ରିଲ ୨୩ ତାରିଖରେ ପବିତ୍ର ଅକ୍ଷୟ ତୃତୀୟା ଓ ରଥ ନିର୍ମାଣ ଅନୁକୂଳ ହେବ। ଏହା ସହିତ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରାର ପ୍ରାରମ୍ଭିକ ପ୍ରକ୍ରିୟା ଆରମ୍ଭ ହୋଇଯିବ। ତେବେ ଏହି ପ୍ରସିଦ୍ଧ ରଥଯାତ୍ରାରେ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ବୈଠକରେ ସ୍ୱତନ୍ତ୍ର ଆଲୋଚନା କରାଯାଇଛି । ୨୦୨୩ ରଥଯାତ୍ରାକୁ କିଭଳି ଶୃଙ୍ଖଳିତ ଓ ସୁସଂଗଠିତ କରାଯିବ ସେନେଇ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ଅଧ୍ଯକ୍ଷତାରେ ଏକ ପ୍ରସ୍ତୁତି ବୈଠକ ବସିଥିଲା । ପୂର୍ବ ବର୍ଷ ଭଳି ଏବେ ଠାରୁ ବିଭାଗୀୟ ଅଧିକାରୀ ମାନଙ୍କୁ ଆଲର୍ଟ କରାଯାଇଛି। ରାସ୍ତାଘାଟ, ବିଜୁଳି, ସ୍ୱାସ୍ଥ୍ଯ ଓ ପରିମଳ, ଗମନାଗମନ, ପୌରସଂସ୍ଥା ,ସୁରକ୍ଷା ଓ ଶୃଙ୍ଖଳାକୁ ନେଇ ବିଭାଗୀୟ ଅଧିକାରୀ ମାନଙ୍କୁ ଆକ୍ସନ ପ୍ଲାନ ରିପୋର୍ଟ ପ୍ରଥମ ରଥ ସମନ୍ୱୟ ବୈଠକ ପୂର୍ବରୁ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ତେବେ ଚଳିତ ବର୍ଷ ରଥଯାତ୍ରାକୁ ମିଳିବ ୟୁନେସ୍କୋ ମାନ୍ଯତା। ରାଜ୍ୟ ସଂସ୍କୃତି ବିଭାଗ ପକ୍ଷରୁ ଏହି ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏକ ସ୍ୱତନ୍ତ୍ର କମିଟି କରାଯାଇ ରଥଯାତ୍ରା ସମ୍ବନ୍ଧୀୟ ତଥ୍ଯ ଓ ଏହାର ସମସ୍ତ ଡକ୍ଯୁମେଣ୍ଟାରୀ ପ୍ରସ୍ତୁତ କରାଯାଇ ୟୁନେସ୍କୋକୁ ପଠାଯାଇଛି।
ସେପଟେ ଚଳିତବର୍ଷ ରଥଯାତ୍ରାରେ ୧୫ ଲକ୍ଷରୁ ଉର୍ଦ୍ଧ୍ବ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ପୋଲିସ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ବ୍ଲ ପ୍ରିଣ୍ଟ ପ୍ରସ୍ତୁତ କରାଯାଇଛି । ଏଥର ସିସିଟିଭି ,ଟ୍ରାଫିକ ଓ ପାର୍କିଂ, ଶ୍ରୀମନ୍ଦିର ଓ ତଟ ସୁରକ୍ଷା, ଚନ୍ଦନ ଯାତ୍ରା, ସ୍ନାନ ପୂର୍ଣ୍ଣିମା ଓ ରଥଯାତ୍ରା ପାଇଁ ୨୦୨୨ ପୋଲିସ ବ୍ୟବସ୍ଥା ଭଳି ଚଳିତ ରଥଯାତ୍ରାରେ ସେହି ପ୍ଲାନ କାର୍ଯ୍ଯକାରୀ କରାଯିବ। ଏହା ସହ ପାର୍କିଂକୁ ନେଇ ପୌରସଂସ୍ଥା ଓ ରାଜସ୍ବ ବିଭାଗର ଜଏଣ୍ଟ ଟିମ୍ ଦ୍ୱାରା ପୁରୀ ପୋଲିସ କାର୍ଯ୍ୟ କରିବ ବୋଲି କହିଛନ୍ତି ପୁରୀ ଏସପି। ଶ୍ରୀକ୍ଷେତ୍ରର ରଥଯାତ୍ରା ବିଶ୍ୱ ପ୍ରସିଦ୍ଧ ହୋଇଥିବାରୁ ଏହାକୁ ୟୁନେସ୍କୋ ମାନ୍ଯତା ମିଳିବା ଆବଶ୍ୟକ ବୋଲି କହିଛନ୍ତି ସଂସ୍କୃତି ପ୍ରେମୀ। ଅକ୍ଷୟ ତୃତୀୟା ପୂର୍ବରୁ ପ୍ରଥମ ରଥ ସମନ୍ୱୟ ବୈଠକ ହେବ। ତେବେ ଶୃଙ୍ଖଳିତ ରଥଯାତ୍ରା ପାଇଁ ପରିକ୍ରମା ପ୍ରକଳ୍ପ କାର୍ଯ୍ଯକୁ ମେ ମାସ ସୁଦ୍ଧା ସମ୍ପୂର୍ଣ୍ଣ କରିବା ପ୍ରଶାସନ ପାଇଁ ଏକ ବଡ଼ ଚ୍ଯାଲେଞ୍ଚ ଅଟେ।
