ଆଇପିଏଲ୍ ଟ୍ରଫି ଉପରେ ସଂସ୍କୃତରେ ଲେଖା ହୋଇଛି ଶ୍ଲୋକ, ଆସନ୍ତୁ ଜାଣିବା କଣ ରହିଛି ଏହାର ଅର୍ଥ
ମୁମ୍ବାଇ : ୧୬ତମ ଆଇପିଏଲ ସଂସ୍କରଣ ଚଳିତ ବର୍ଷ ମାର୍ଚ୍ଚ ୩୧ ତାରିଖରୁ ଆରମ୍ଭ ହେବାକୁ ଯାଉଛି। ଏହି ଟି୨୦ ଲିଗ ମୁକାବିଲା ଆରମ୍ଭ ହେବାକୁ ଆଉ ୨ ଦିନ ବାକି ରହିଛି। ଚଳିତ ସଂସ୍କରଣର ପ୍ରଥମ ମ୍ୟାଚ୍ ଗତ ଥରର ବିଜେତା ଗୁଜୁରାଟ ଟାଇଟାନ୍ସ ଏବଂ ପୂର୍ବତନ ବିଜେତା ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ଶୁକ୍ରବାର ଅନୁଷ୍ଠିତ ହେବ। ସମସ୍ତ ଦଳର ନଜର ଆଇପିଏଲ୍ ଟ୍ରଫି ଉପରେ ରହିଛି। ପ୍ରତ୍ୟେକ ଆଇପିଏଲ ସଂସ୍କରଣରେ ଏହି ଟ୍ରଫି ପାଇବା ପାଇଁ ସମସ୍ତ ଦଳ ମଧ୍ୟରେ ଜବରଦସ୍ତ ପ୍ରତିଯୋଗିତା ହୋଇଥାଏ।
ସର୍ବପ୍ରଥମେ ୨୦୦୮ ବର୍ଷରେ ଇଣ୍ଡିଆନ ପ୍ରମିୟର ଲିଗ୍ ଆରମ୍ଭ ହୋଇଥିଲା। ଆଇପିଏଲ ପ୍ରଥମ ସଂସ୍କରଣରେ ପ୍ରଦାନ କରାଯାଇଥିବା ଟ୍ରଫି ଚଳିତ ସଂସ୍କରଣରେ ପ୍ରଦାନ କରାଯାଉଥିବା ଟ୍ରଫି ଠାରୁ ସମ୍ପୂର୍ଣ୍ଣ ଭିନ୍ନ। ପୂର୍ବ ସଂସ୍କରଣରେ ପ୍ରଦାନ କରାଯାଇଥିବା ଟ୍ରଫି ଆକାର ଭାରତର ମାନଚିତ୍ର ଭଳି ରହିଥିଲା। ବିଗତ କିଛି ବର୍ଷ ପରେ ଟ୍ରଫି ଆକାର ବହୁତ ବଦଳି ଯାଇଥିଲା। ଏହା ପରେ ଟାଇଟଲ୍ ଏବଂ ପ୍ରଯୋଜକ ସମୟ ସମୟରେ ବଦଳି ଚାଲିଥିଲେ।
ବର୍ତ୍ତମାନ ସମୟରେ ଟାଟା କମ୍ପାନୀ ଆଇପିଏଲ ଟାଇଟଲ୍ ପ୍ରଯୋଜକ ହୋଇ ରହିଛି। ସଂସ୍କୃତ ଭାଷାରେ ଏକ ଶବ୍ଦ ନୂତନ ଟ୍ରଫି ଉପରେ ଲେଖାଯାଇଥିବା ଦେଖାଯାଏ। ଯାହା ଯୁବକଙ୍କୁ ବହୁତ ଉତ୍ସାହିତ କରିଥାଏ। ଆଇପିଏଲ ଟ୍ରଫି ଉପରେ ସଂସ୍କୃତ ଶ୍ଲୋକ ଲେଖା ହୋଇଥିବା ନଜର ଆସୁଛି। ଯାହା ହେଉଛି “ୟତ୍ର ପ୍ରତିଭା ପ୍ରାପ୍ନୋତି। ” ଯାହାର ଅର୍ଥ ହେଉଛି ଯେଉଁଠାରେ ପ୍ରତିଭା ଏବଂ ସୁଯୋଗ ମିଳିଥାଏ।
ଅନେକ ଦଳ ବର୍ତ୍ତମାନ ପର୍ଯ୍ୟନ୍ତ ଆଇପିଏଲ୍ ଟ୍ରଫି ହାସଲ କରିବାରେ ସଫଳ ହୋଇନାହାଁନ୍ତି। ମୁମ୍ବାଇ ଇଣ୍ଡିଆନ୍ସ ଦଳ ସର୍ବାଧିକ ଥର ଆଇପିଏଲ ଟ୍ରଫି ହାସଲ କରିବାରେ ସଫଳ ହୋଇଛି। ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ମୁମ୍ବାଇ ଦଳ ୫ ଥର ଆଇପିଏଲ ଟ୍ରଫି ହାସଲ କରିଛି। ଏହା ସହିତ ମହେନ୍ଦ୍ର ସିଂହ ଧୋନୀଙ୍କ ନେତୃତ୍ୱାଧିନ ଚେନ୍ନାଇ ସୁପର କିଙ୍ଗ୍ସ ୪ ଥର ଆଇପିଏଲ ଟ୍ରଫି ହାତେଇଛି। ଚଳିତ ବର୍ଷ ମହେନ୍ଦ୍ର ସିଂହ ଧୋନୀଙ୍କ ଶେଷ ଆଇପିଏଲ୍ ସଂସ୍କରଣ ହେବ ବୋଲି ବିଶ୍ୱାସ କରାଯାଏ। ଏବେ ଏହା ଦେଖିବାକୁ ବାକି ରହିଲା ଯେ ସେ ଟ୍ରଫି ସହିତ ନିଜର ଆଇପିଏଲ କ୍ୟାରିୟର ଉପରେ ପୂର୍ଣ୍ଣଚ୍ଛେଦ ପକାଇବାରେ ସଫଳ ହେଉଛନ୍ତି ନା ନାହିଁ।
କେଉଁ ସଂସ୍କରଣରେ କେଉଁ ଦଳ ବିଜୟୀ :
*୨୦୦୮: ରାଜସ୍ଥାନ ରୟାଲ୍ସ
*୨୦୦୯: ଡେକାନ ଚାଜର୍ସ
*୨୦୧୦: ଚେନ୍ନାଇ ସୁପର କିଙ୍ଗ୍ସ
*୨୦୧୧: ଚେନ୍ନାଇ ସୁପର କିଙ୍ଗ୍ସ
*୨୦୧୨: କୋଲକାତା ନାଇଟ ରାଇଡର୍ସ
*୨୦୧୩: ମୁମ୍ବାଇ ଇଣ୍ଡିଆନ୍ସ
*୨୦୧୪: କୋଲକାତା ନାଇଟ ରାଇଡର୍ସ
*୨୦୧୫: ମୁମ୍ବାଇ ଇଣ୍ଡିଆନ୍ସ
*୨୦୧୬: ସନରାଇଜର୍ସ ହାଇଦ୍ରାବାଦ
*୨୦୧୭: ମୁମ୍ବାଇ ଇଣ୍ଡିଆନ୍ସ
*୨୦୧୮: ଚେନ୍ନାଇ ସୁପର କିଙ୍ଗ୍ସ
*୨୦୧୯: ମୁମ୍ବାଇ ଇଣ୍ଡିଆନ୍ସ
*୨୦୨୦: ମୁମ୍ବାଇ ଇଣ୍ଡିଆନ୍ସ
*୨୦୨୧: ଚେନ୍ନାଇ ସୁପର କିଙ୍ଗ୍ସ
*୨୦୨୨: ଗୁଜୁରାଟ ଟାଇଟନ୍ସ
