ପ୍ରବଳ ବର୍ଷା ନେଇ ଆଜି ଏହିସବୁ ଜିଲାକୁ ଆର୍ଲଟ ଜାରି
ଭୁବନେଶ୍ୱର : ଆଜିଠୁ ରାଜ୍ୟରେ ଆଉ ଏକ ପଶ୍ଚିମା ଝଡ଼ । ଏହାର ପ୍ରଭାବରେ କେତେକ ସ୍ଥାନରେ କାଳବୈଶାଖୀ ଲାଗି ରହିଥିବା ବେଳେ ଆଜି ମଧ୍ୟ ରାଜ୍ୟର କେତେକ ସ୍ଥାନରେ ବର୍ଷା ହେବା ନେଇ ସମ୍ଭାବନା ରହିଛି। ଖୋର୍ଦ୍ଧା, ଯାଜପୁର, କଟକ, ଜଗତସିଂହପୁର, ବାଲେଶ୍ବର, ଢେଙ୍କନାଳ, ଭଦ୍ରକ ଓ ମୟୂରଭଞ୍ଜ ଆଦି ଜିଲାରେ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଏହି ଜିଲା ଗୁଡ଼ିକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ତେବେ ଆସନ୍ତାକାଲିଠାରୁ ଏହାର ପ୍ରଭାବ ବଢିବା ନେଇ ସମ୍ଭାବନା ରହିଛି । ଫଳରେ ଗୁରୁବାର ଦିନଠାରୁ ଏପ୍ରିଲ ମାସ ୧ ତାରିଖ ଯାଏଁ ଏହାର ପ୍ରଭାବରେ ବିଜୁଳି, ଘ଼ଡ଼ଘଡ଼ି ସହ ଝଡ଼ ବର୍ଷା ନେଇ ସମ୍ଭବନା ରହିଛି । ୩୧ ତାରିଖ ଦିନ ପଶ୍ଚିମା ଝଡ଼ର ପ୍ରଭାବ ରାଜ୍ୟ ଉପରେ ସର୍ବାଧିକ ରହିବ। ଏହି ସମୟରେ ଝଡ଼ ବର୍ଷା ନେଇ ଆକଳନ କରାଯାଇଛି ।
ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଦୁଇ ଦିନ ପରେ ଅର୍ଥାତ୍ ୩୧ ତାରିଖ ବେଳେକୁ ରାଜ୍ୟରେ ଝଡ଼ି ବର୍ଷା ହେବ। ଖାସ କରି, ଉପକୂଳ ଓ ଏହାର ସଂଲଗ୍ନ ଜିଲାରେ ବର୍ଷା ହେବାର ସମ୍ଭାବନା ରହିଛି । କେନ୍ଦୁଝର, ଅନୁଗୁଳ, ସୁନ୍ଦରଗଡ଼, ଢେଙ୍କାନାଳ, ଯାଜପୁର, କଟକ ଓ ମୟୂରଭଞ୍ଜ ଆଦି ଜିଲାରେ ପ୍ରବଳ ବର୍ଷା ହେବା ନେଇ ସମ୍ଭାବନା ରହିଛି । ସେହିପରି ଏପ୍ରିଲ ୧ ତାରିଖ ଦିନ ବାଲେଶ୍ବର, ନୟାଗଡ଼, ଗଞ୍ଜାମ, ଗଜପତି, ମୟୂରଭଞ୍ଜ, ଢେଙ୍କାନାଳ, କନ୍ଧମାଳ, ରାୟଗଡ଼ା ଓ କୋରାପୁଟ, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା ଜିଲାରେ ବର୍ଷା ହେବ। ଏଣୁ ଆସନ୍ତା ୩ ଦିନ ନିମନ୍ତେ ଝଡ଼-ପବନ ବର୍ଷା ପାଇଁ ପାଣିପାଗ କେନ୍ଦ୍ର ୟେଲୋ ୱାର୍ଣ୍ଣିଂ ଜାରି କରିଛି ।
ଗତକାଲି କାଳବୈଶାଖୀ ବର୍ଷା ଫଳରେ ରାଜଧାନୀର କେତେକ ସ୍ଥାନରେ ବର୍ଷା ହୋଇଥିବା ଦେଖିବାକୁ ମିଳିଥିଲା । ଅସରାଏ ବର୍ଷାରେ ଭୁବନେଶ୍ବର ସିଆରପି ଛକଠାରୁ ଇସ୍କନ ମନ୍ଦିର ଯାଏଁ ପାଣି ଭରି ଯାଇଥିବା ଦେଖିବାକୁ ମିଳିଥିଲା । ଫଳରେ ଯାତାୟତରେ ସମସ୍ୟା ଭୋଗିଥିଲେ ରାଜଧାନୀବାସୀ । ଅନେକ ସମୟ ଧରି ରାସ୍ତାରେ ଗାଡ଼ି ଗୁଡ଼ିକ ଅଟକି ରହିଥିଲା । ଦୀର୍ଘ ସମୟ ପରେ ରାସ୍ତାରୁ ପାଣି ହଟିବା ପରେ ଯାତାୟତ ସ୍ବାଭାବିକ ହୋଇଥିଲା ।
