୪୩ ଜଣଙ୍କ ଡ୍ରାଇଭିଂ ଲାଇସେନ୍ସ ବାତିଲ, ଆକ୍ସନ ମୋଡ଼ରେ ବିଭାଗ
କେନ୍ଦୁଝର : କେନ୍ଦୁଝରସ୍ଥିତ ଆଂଚଳିକ ପରିବହନ ବିଭାଗ ପକ୍ଷରୁ ଗତ ୩ ଦିନ ଧରି ଚଢ଼ାଉ କରି ଜିଲାର ବିଭିନ୍ନ ସ୍ଥାନରେ ୪୩ ଜଣ ଲୋକଙ୍କ ଡ୍ରାଇଭିଂ ଲାଇସେନ୍ସକୁ ବାତିଲ କରାଯାଇଛି । ଯେଉଁମାନେ ମଦ୍ୟପାନ କରି ଗାଡ଼ି ଚଳାଉଛନ୍ତି ସେମାନଙ୍କ ଲାଇସେନ୍ସ ବାତିଲ କରାଯାଇଛି ବୋଲି ଆଂଚଳିକ ପରିବହନ ଅଧିକାରୀ ଗୋପାଳ କୃଷ୍ଣ ଦାସ କହିଛନ୍ତି । ଅନୁଯାୟୀ, କେନ୍ଦୁଝର ଜିଲାରେ ପ୍ରତ୍ୟେକ ଦିନ ରାସ୍ତା ଦୁର୍ଘଟଣା ଘଟି ମୃତାହତ ହେଉଥିବାରୁ ପରିସ୍ଥିତି ଚିନ୍ତାଜନକ ରହିଛି । ବିଭିନ୍ନ କାରଣରୁ ରାସ୍ତା ଦୁର୍ଘଟଣା ଘଟୁଥିବା ବେଳେ ତନ୍ମଧ୍ୟରୁ ବେପରୁଆ ଓ ନିଶାଶକ୍ତ ଅବସ୍ଥାରେ ଗାଡ଼ି ଚାଳନା ପ୍ରମୁଖ କାରଣ ହୋଇଛି । ଏଣୁ ଏହାକୁ ରୋକିବା ପାଇଁ ପରିବହନ ବିଭାଗ ପକ୍ଷରୁ ଜିଲାର ବିଭିନ୍ନ ସ୍ଥାନରେ ଯାଂଚ କରି ଏଭଳି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଲାଇସେନ୍ସ ବାତିଲ କରିବା ସହ ଚାଲାଣ କାଟି ମାମଲା କୋର୍ଟକୁ ପଠାଇଯାଇଥିବା ଜଣାପଡ଼ିଛି । ଆଂଚଳିକ ପରିବହନ ବିଭାଗ, ପୋଲିସ, ପୂର୍ତ ବିଭାଗ ଏବଂ ଜାତୀୟ ରାଜପଥ ପ୍ରାଧିକରଣ ପକ୍ଷରୁ ଏକ ସ୍ୱତନ୍ତ୍ର ଏନ୍ଫୋର୍ସମେଣ୍ଟ ଏପ୍ରିଲ ୧ ଠାରୁ ୭ ତାରିଖ ପର୍ଯ୍ୟନ୍ତ ଚଢ଼ାଉ ଜୋରଦାର କରାଯିବ । ସ୍କୁଲ ପିଲାଙ୍କୁ ଗାଡି ଚଲାଇବା ମନା କରାଯାଇଛି । ନାବାଳକ ଗାଡ଼ି ଚଳାଉଥିବା ବେଳେ ଧରାପଡ଼ିଲେ ୨୫ ହଜାର ଟଙ୍କା ଜରିମାନା ସହିତ ବାଇକ ମାଲିକଙ୍କୁ କୋର୍ଟଚାଲାଣ କରାଯିବ । କେନ୍ଦୁଝର ସହର ସମେତ ବିଭିନ୍ନ ବିଦ୍ୟାଳୟ ଆଖପାଖରେ କଡ଼ାକଡ଼ି ଯାଂଚ କରାଯିବ ।ବୋଲି ଆଂଚଳିକ ପରିବହନ ଅଧିକାରୀ ପ୍ରକାଶ କରିଛନ୍ତି ।
