ମା’ ତାରାତାରିଣୀଙ୍କୁ ଦର୍ଶନ କଲେ ମିଶନ ଶକ୍ତି ସଚିବ ସୁଜାତା କାର୍ତ୍ତିକେୟନ
ବ୍ରହ୍ମପୁର : ଆଜି ଚୈତ୍ର ମାସର ତୃତୀୟ ମଙ୍ଗଳବାର । ବିଭିନ୍ନ ଦେବୀ ପୀଠରେ ଭକ୍ତଙ୍କ ଗହଳି ଲାଗିଛି । ଏହି ପରିପ୍ରେକ୍ଷୀରେ ଗଞ୍ଜାମ ଜିଲାର ଆରଧ୍ୟା ଦେବୀ ମା’ ତାରାତାରିଣୀ ପୀଠରେ ତୃତୀୟ ପାଳି ଚୈତ୍ରଯାତ୍ରା ମଙ୍ଗଳବାର ପାଳିତ ହୋଇଛି। ଏହି ଅବସରରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥିବା ବେଳେ ପାହାଡ଼ ଚତୁଃପାର୍ଶ୍ୱ ଲୋକାରଣ୍ୟ ହୋଇଛି।
ଏହି ପାଳିରେ ରାତି ସାଢେ ୧୨ଟାରୁ ମନ୍ଦିର ଦ୍ୱାର ଫିଟା ଯାଇ ପରମ୍ପରା ଅନୁସାରେ ମଙ୍ଗଳ ଆଳତି, ଅବକାଶ, ମାଜଣା, ସିଙ୍ଗାର, ଅଭିଷେକ ଆଦି ନୀତିକାନ୍ତି ସହ ପୂଜାର୍ଚ୍ଚନା କରାଯାଥିଲା। ଏହି ପରିପ୍ରେକ୍ଷୀରେ ମା’ ତାରାତାରିଣୀଙ୍କୁ ମହାସରସ୍ବତୀ ବେଶରେ ସଜ୍ଜିତ କରାଯାଇଥିଲା। ରାତି ୩.୧୫ରେ ସାହାଣ ମେଳା ପରେ ମା’ ମହାସରସ୍ବତୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଥିଲେ। ଏହାସହ ରାତି ୨ଟାରୁ ମୁଣ୍ଡନ କାର୍ଯ୍ୟ ଆରମ୍ଭ ହୋଇଥିଲା।
ରାଜ୍ୟ ସରକାରଙ୍କ ମିଶନ ଶକ୍ତି ସଚିବ ସୁଜାତା କାର୍ତ୍ତିକେୟନ ମା’ଙ୍କୁ ଦର୍ଶନ କରିଥିଲେ। ଗଞ୍ଜାମ ଜିଲାପାଳ ଦିବ୍ୟଜ୍ୟୋତି ପରିଡ଼ା, ଏସ୍ପି ଜଗନମୋହନ ମିନା ଯାତ୍ରାର ତଦାରଖ କରିଛନ୍ତି। ଛତ୍ରପୁର ସର୍କଲ ଦେବୋତ୍ତର ବିଭାଗୀୟ ଇନ୍ସପେକ୍ଟର ପୁଷ୍ପିତା ବେହେରା, ଛତ୍ରପୁର ଉପଜିଲାପାଳ ପ୍ରସନ୍ନ କୁମାର ପାତ୍ର, ପୁରୁଷୋତ୍ତମପୁର ଏସ୍ଡିପିଓ ରଜନୀକାନ୍ତ ସାମଲ ଓ ଆଇଆଇସି ପ୍ରିୟୁଶ ରଞ୍ଜନ ଛୋଟରାୟ, ବିଡିଓ ବିଜୟ କୁମାର ବେହେରା, ତହସିଲଦାର ସନ୍ତୋଷ କୁମାର ସାହୁ, ମନ୍ଦିର ନିର୍ବାହୀ ଅଧିକାରୀ ଟିକେ ରେଡ୍ଡି ପ୍ରମୁଖ ଉପସ୍ଥିତ ରହି ଯାତ୍ରା ପରିଚାଳନା କରିଛନ୍ତି। ସେହିପରି ସେବାୟତ ସଂଘ ସଭାପତି ତପନ କୁମାର ରଣା, ସେବାୟତ ବାପୁଜୀ ରଣା, ଧ୍ରୁବ ରଣାଙ୍କ ସମେତ ସମସ୍ତ ସେବାୟତ ପୂଜାର୍ଚ୍ଚନା କରୁଛନ୍ତି।
