ହୋଇଯାଆନ୍ତୁ ସତର୍କ ! ଖରାଦିନେ ହୋଇପାରନ୍ତି ଏହିସବୁ ରୋଗର ଶୀକାର
ପ୍ରଚଣ୍ଡ ରୌଦ୍ରତାପ ପୂର୍ବରୁ ହୋଇଯାଆନ୍ତୁ ସାବଧାନ । ନଚେତ ଗରମ ପାଣିପାଗ କାରଣରୁ ଆପଣ ହୋଇପାରନ୍ତି ଅସୁସ୍ଥ । ସାଧାରଣତଃ ପାଣିପାଗ ପରିବର୍ତ୍ତନ କାରଣରୁ ଅନେକ ସାଧାରଣ ରୋଗର ଶୀକାର ହୋଇଥାନ୍ତି ଲୋକେ । ସାଧାରଣ ମନେ ହେଉଥିଲେ ବି ଠିକ ସମୟରେ ଚିକିତ୍ସା କରାନଗଲେ ଏହା ଖୁବ ମାରାତ୍ମକ ହୋଇପାରେ । ଏବେ ଆସନ୍ତୁ ଜାଣିନେବା ଏମିତି କିଛି ରୋଗ ଏବଂ ଏହାର ଉପଚାର ବିଷୟରେ ସୂଚନା।
ସାଧାରଣତଃ ଗରମ ଦିନରେ ବଦହଜମୀ, ବସନ୍ତ, ହୃଦଘାତ ପରି ରୋଗ ଅଧିକ ଦେଖାଯାଇଥାଏ । ଗରମରୁ ବର୍ତ୍ତିବା ପାଇଁ ଅତ୍ୟଧିକ ପାଣି ପିଇବା, କୋଲ୍ଡ ଡ୍ରିଙ୍କ ପିଇବା କାରଣରୁ ମଧ୍ୟ ଶରୀର ଅସୁସ୍ଥ ହୋଇଥାଏ । ଆବଶ୍ୟକତାଠାରୁ ଅଧିକ ପାନୀୟ ଗ୍ରହଣ ଯୋଗୁଁ ବଦହଜମୀ ପରି ସମସ୍ୟା ଦେଖାଦେଇଥାଏ ।
ବଦହଜମୀ :
ଗରମ ଦିନରେ ହେଉଥିବା ସବୁଠୁ ବଡ ସମସ୍ୟା ହେଉଛି ବଦହଜମୀ। ଛାତିରେ ଯନ୍ତ୍ରଣା, ବାନ୍ତି ଲାଗିବା ଭଳି ଅନେକ ସମସ୍ୟା ଦେଖାଦେଇଥାଏ । ଦୀର୍ଘଦିନ ଧରି ଏହି ସମସ୍ୟା ଲାଗି ରହିଲେ ଏହା ଶରୀରରେ ବଡ଼ ରୋଗ ସୃଷ୍ଟି କରିବା ଆଶଙ୍କା ରହିଛି । ଏହି ସମସ୍ୟାରୁ ଦୂରେଇ ରହିବା ପାଇଁ ତେଲ ଓ ମସଲାଯୁକ୍ତ ଖାଦ୍ୟରୁ ଦୂରେଇ ରହିବା ଆବଶ୍ୟକ । ଏହା ଏସିଡିଟି ଓ କୋଷ୍ଠକାଠିନ୍ୟ ସମସ୍ୟାର ମୁଖ୍ୟ କାରଣ ପାଲଟିଥାଏ ।
ବସନ୍ତ :
ଗରମ ଦିନରେ ବସନ୍ତ ବା ହାଡଫୁଟି ରୋଗ ମଧ୍ୟ ହେଉଥିବା ଦେଖିବାକୁ ମିଳିଥାଏ । ଶରୀରରେ ଲାଲ ଦାଗ ପଡିଯିବା ସହିତ ମୁଣ୍ଡବ୍ୟଥା, ଜ୍ୱର ଏବଂ ଗଳାରେ ଯନ୍ତ୍ରଣା ହୋଇଥାଏ । ଶୁଖିଲା କାଶ ସହିତ ଦେହ ଥରିବା ପରି ଲକ୍ଷଣ ଦେଖା ଦେଇଥାଏ । ସବୁଠାରୁ ବଡ଼ ସମସ୍ୟା ହେଉଛି ଏହି ରୋଗ ସଂକ୍ରାମକ । ସହଜ ଉପଚାର ଥିବା ସହ ବସନ୍ତ ରୋଗ ପାଇଁ ଏବେ ଟିକା ଉପଲବ୍ଧ ରହିଛି । ସତର୍କତା ଅବଲମ୍ବନ କରିବା ହେଉଛି ଏହାର ଏକମାତ୍ର ଉପାୟ । କୌଣସି ନୂଆ ସ୍ଥାନକୁ ଗଲେ କିମ୍ବା ବାହାରୁ ଆସିଲେ ଭଲ ଭାବେ ହାତ ଗୋଡ଼ ସଫା କରିବା ଆବଶ୍ୟକ ।
ଫୁଡ ପଏଜନିଙ୍ଗ :
ଖରାଦିନେ ଫୁଡ ପଏଜନିଙ୍ଗକୁ ଏକ ସାଧାରଣ ରୋଗ କୁହାଯାଇଥାଏ। ଶରୀରରେ ଜଳୀୟଅଂଶ କମିଯାଉଥିବାରୁ ଫୁଡ ପଏଜନିଙ୍ଗ ହୋଇଥାଏ । ଏହାର ପ୍ରଭାବରେ ଜ୍ୱର, ପେଟ ଯନ୍ତ୍ରଣା ଏବଂ ବାନ୍ତି ଭଳି କିଛି ସମସ୍ୟା ଦେଖିବାକୁ ମିଳିଥାଏ । ଏଥିରୁ ବଞ୍ଚିବା ପାଇଁ ନିଜ ଖାଦ୍ୟପେୟର ଧ୍ୟାନ ରଖିବା ସହ ଅଧିକ ମାତ୍ରାରେ ପଇଡ଼ ପାଣି ପିଇବା ଆବଶ୍ୟକ ।
