ଅରୁଣାଚଳ ପ୍ରଦେଶ ଜି-୨୦ ବୈଠକ : ଭାଗ ନେଲେ ୫୦ରୁ ଅଧିକ ଦେଶର ପ୍ରତିନିଧି, ସାମିଲ ହେଲାନି ଚୀନ
ନୂଆଦିଲ୍ଲୀ: ଅରୁଣାଚଳ ପ୍ରଦେଶ ଜି-୨୦ ବୈଠକରେ ବିଭିନ୍ନ ବିଦେଶୀ ରାଷ୍ଟ୍ରଙ୍କ ଉପସ୍ଥିତି ଦେଖିବାକୁ ମିଳିଛି । ଆମେରିକା ସହିତ ପ୍ରାୟ ୫୦ରୁ ଅଧିକ ଦେଶର ଅନ୍ତରାଷ୍ଟ୍ରୀୟ ପ୍ରତିନିଧି ଜି-୨୦ ରିସର୍ଚ୍ଚ ଇନୋଭେସନ ଇନସିଏଟିଭ୍ ମିଟିଂରେ ଭାଗ ନେଇଥିଲେ। ମାତ୍ର ସାମିଲ ହେଲାନି ଚୀନ ।
ସୂଚନା ଯେ, ବୈଠକରେ ସାମିଲ ହେବାକୁ ଆସିଥିବା ଅନେକ ରାଷ୍ଟ୍ରର ପ୍ରତିନିଧିମାନେ ମିଟିଂ ପରେ ଅରୁଣାଚଳ ପ୍ରଦେଶ ବିଧାନସଭା ଗସ୍ତ କରିଥିଲେ । ସ୍ଥାନୀୟ ନିର୍ବାଚନମଣ୍ଡଳୀ ବୁଲି ଦେଖିବା ସହିତ ଜନପ୍ରତିନିଧିଙ୍କ ସହିତ ଆଲୋଚନା କରିଥିଲେ । ଚୀନ ଅରୁଣାଚଳ ପ୍ରଦେଶକୁ ଭାରତର ଅଂଶ ବୋଲି ମାନୁନାହିଁ । ସେ ଏହାକୁ ଦକ୍ଷିଣ ତିବତ୍ତର ଏକ ଅଂଶ ବୋଲି ଦାବି କରୁଛି । ଏଭଳି ସ୍ଥିତିରେ ଜି-୨୦ ସଦସ୍ୟ ଦେଶର ପ୍ରତିନିଧିଙ୍କ ଅରୁଣାଚଳ ପ୍ରଦେଶ ବିଧାନସଭା ଗସ୍ତା କରିବା ଡ୍ରାଗନକୁ ବ୍ୟାକ୍ ଫୁଟକୁ ଠେଲି ଦେଇଛି ।
ଅନ୍ୟପଟେ ଚୀନ ଇଟାନଗର ବୈଠକକୁ ବିରୋଧ କରୁଛି କି ନାହିଁ ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ । ଏବାବଦରେ ଚୀନ୍ ଅଧିକାରୀ ମଧ୍ୟ କୌଣସି ଆପତ୍ତି ଉଠାଇନାହାନ୍ତି । ବେଜିଂ ଏଯାଏଁ ଭାରତରେ ଆୟୋଜନ ହେଉଥିବା ଜି-୨୦ ବୈଠକକୁ ସମର୍ଥନ କରିଆସୁଥିଲା । ଚୀନ୍ ବିଦେଶ ମନ୍ତ୍ରୀ କିନ୍ ଗୈଙ୍ଗ ବିଦେଶ ମନ୍ତ୍ରୀ ଏସ୍ ଜୟଶଙ୍କରଙ୍କ ସହିତ ବୈଠକ ପାଇଁ ଭାରତ ଗସ୍ତ କରିଥିଲେ ।
