‘ସୁପର୍ଣ୍ଣଖା’ ମନ୍ତବ୍ୟ ପାଇଁ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ମାନହାନି ମକଦ୍ଦମା ଦାୟର କରିବେ ରେଣୁକା ଚୌଧୁରୀ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ମୋଦୀଙ୍କ ସାଙ୍ଗିଆକୁ ନେଇ ବିବାଦୀୟ ବୟାନ ପାଇଁ ଅପରାଧିକ ମାନହାନି ମାମଲାରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କୁ ସୁରଟର ଏକ କୋର୍ଟ ଦୁଇ ବର୍ଷ ଜେଲ ଦଣ୍ଡାଦେଶ ଦେବା ପରେ କଂଗ୍ରେସ ମୋଦୀ ସରକାର ଉପରେ ଆକ୍ରମଣ ଜୋରଦାର କରିଛି । ଏବେ କଂଗ୍ରେସ ନେତ୍ରୀ ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ରେଣୁକା ଚୌଧୁରୀ ‘ସୁପର୍ଣ୍ଣଖା’ ମନ୍ତବ୍ୟ ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିରୋଧରେ ମାନହାନି ମକଦ୍ଦମା ଦାୟର କରିବେ ବୋଲି କହିଛନ୍ତି। ୨୦୧୮ରେ ସଂସଦରେ ପ୍ରଧାନମନ୍ତ୍ରୀ ମୋଦୀ ରେଣୁକା ଚୌଧୁରୀଙ୍କ ହସକୁ ପରିହାସ କରି ତାଙ୍କୁ ପରୋକ୍ଷରେ ରାମାୟଣର ଚରିତ୍ର ସୁପର୍ଣ୍ଣଖା ସହିତ ତୁଳନା କରିଥିଲେ।
ରେଣୁକା ଚୌଧୁରୀ ଏକ ଟୁଇଟ୍ରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଇସାରା କରି ତାଙ୍କୁ ସ୍ତରହୀନ ବୋଲି କହିଛନ୍ତି । ରେଣୁକା କହିଛନ୍ତି, ସେ ମୋତେ ଗୃହରେ ସୁପର୍ଣ୍ଣଖା ବୋଲି କହିଥିଲେ । ସେ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ମାନହାନି ମାମଲା ଦାୟର କରିବେ। ଏବେ ଦେଖିବା ଏହି ଫାଷ୍ଟ କୋର୍ଟ ଗୁଡ଼ିକ କିପରି କାର୍ଯ୍ୟ କରୁଛନ୍ତି |
This classless megalonaniac referred to me as Surpanakha on the floor of the house.
— Renuka Chowdhury (@RenukaCCongress) March 23, 2023
I will file a defamation case against him. Let's see how fast courts will act now.. pic.twitter.com/6T0hLdS4YW
ସୂଚନା ଯେ, ୭ ଫେବୃଆରୀ ୨୦୧୮ରେ ଯେତେବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଜ୍ୟସଭାକୁ ସମ୍ବୋଧିତ କରୁଥିଲେ, ସେତେବେଳେ ରେଣୁକା ଚୌଧୁରୀ କୌଣସି କାରଣରୁ ହଠାତ୍ ଜୋରରେ ହସିଥିଲେ | ଏନେଇ ପ୍ରଧାନମନ୍ତ୍ରୀ ମୋଦୀ ତତ୍କାଳୀନ ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କୟା ନାଇଡୁଙ୍କୁ କହିଥିଲେ, “ଅଧ୍ୟକ୍ଷ ମହୋଦୟ, ମୁଁ ଆପଣଙ୍କୁ ଅନୁରୋଧ କରୁଛି ଯେ ରେଣୁକା ଜୀଙ୍କୁ କିଛି ନ କୁହନ୍ତୁ। ଆଜି ରାମାୟଣ ସିରିଏଲ ପରେ ଏଭଳି ହସ ଶୁଣିବାର ସୌଭାଗ୍ୟ ପାଇଛି | ପ୍ରଧାନମନ୍ତ୍ରୀ ମୋଦୀଙ୍କ ଏହି ମନ୍ତବ୍ୟ ପରେ ଶାସକ ଦଳର ସଦସ୍ୟମାନେ ହସିଥିଲେ ।
ଗୁରୁବାର ସୁରଟ କୋର୍ଟ ଦ୍ୱାରା ଏକ ମାନହାନି ମାମଲାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଦୁଇ ବର୍ଷ ଜେଲ ଦଣ୍ଡାଦେଶ ଦେଇଥିଲେ। ତେବେ ରାହୁଲ ଗାନ୍ଧୀଙ୍କୁ ସଙ୍ଗେ ସଙ୍ଗେ ଜାମିନ ମିଳିଥିଲା ଏବଂ ତାଙ୍କୁ ଏହି ରାୟ ବିରୋଧରେ ଆବେଦନ କରିବାକୁ ୩୦ ଦିନ ସମୟ ମଧ୍ୟ ଦେଇଥିଲେ କୋର୍ଟ। ରାହୁଲ ୨୦୧୯ରେ କର୍ଣ୍ଣାଟକରେ ଏକ ରାଲିରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଆକ୍ଷେପ କରି ଏକ ବିବାଦୀୟ ମନ୍ତବ୍ୟ ଦେଇଥିଲେ । ସେ କହିଥିଲେ ସବୁ ଚୋର ‘ମୋଦୀ’ ସାଙ୍ଗିଆଧାରୀ କାହିଁକି ହୋଇଥାନ୍ତି । ରାହୁଲ ଗାନ୍ଧୀଙ୍କ ଏହି ବୟାନ ବିରୋଧରେ ଗୁଜରାଟର ବିଜେପି ନେତା ତଥା ପୂର୍ବତନ ବିଧାୟକ ପୂର୍ଣ୍ଣେଶ ମୋଦୀ ମାନହାନି ମାମଲା ଦାୟର କରିଥିଲେ ।
