ରାବି ନଦୀର ଜଳରାଶି ଉପରେ ପ୍ରତିଜ୍ଞା ନେଇଥିଲେ ଦେଶ ମାତୃକା ପାଇଁ ଜୀବନ ଦେବେ ଭଗତ ସିଂ
ପବିତ୍ର ବୀରଭୂମି ଭାରତ ଯାହାର ପ୍ରାଚୀନ ଐତିହ ସଂସ୍କୃତି, ଗୌରବ ସମ୍ବଳିତ, ଯେଉଁଠାରେ ଜନ୍ମ ନେଇଥିଲେ ପର୍ଶୁରାମ, ରାମ ଓ ବଳରାମ । ସେହି ପୂନ୍ୟ ଭୂମିରେ ଦେଶପ୍ରେମ ମାନବର ଏକ ମହନୀୟ ପ୍ରବୃତି । ଦେଶପ୍ରେମ ଏକ ଦିବ୍ୟ ଚେତନା । ଯେଉଁ ଦେଶ ପ୍ରେମରେ ଉଦ୍ବୁଦ୍ଧ ହୋଇ ସାହସୀ ଯୁବକଟିଏ ହସି ହସି ଫାଶୀଖୁଣ୍ଟରେ ଝୁଲି ସହିଦ ହୋଇଗଲା ତାର ନାମ ଭଗତ୍ ସିଂ ।
୧୯୦୭ ମସିହା ସେପ୍ଟମ୍ବର ମାସ ୨୭ ତାରିଖରେ ପଞ୍ଜାବର ଲୟାଲପୁର ଜିଲ୍ଲା (ବର୍ତମାନର ପାକିସ୍ତାନ) ବଙ୍ଗାଗ୍ରାମର ସର୍ଦ୍ଦାର କିଷନ୍ ସିଂ ଓ ବିଦ୍ୟାବତୀ କୋଳ ମଣ୍ଡନ କଲେ ଦେଶ ପ୍ରେମୀ ସାହାସୀ ଭଗତ୍ ସିଂ । ଭଗତ୍ ସିଂ ଜେଜେବାପା ଅଜ୍ଜୁର୍ନ ସିଂ ଇଂରେଜ ଶାସନକୁ ଘୃଣା କରୁଥିଲେ । ତାଙ୍କର ପ୍ରଭାବ ପିଲମାନଙ୍କ ଉପରେ ପଡିଥିଲା । ବିଦ୍ରୋହରେ ଯୋଗଦେଇ ସର୍ଦ୍ଦାର କିଷନ୍ ସିଂ ଓ ତାଙ୍କର ଦୁଇଭାଇ ଜେଲ୍ ଭୋଗିଲେ । ସେମାନେ ବନ୍ଦୀଶାଳାରେ ଥିବା ସମୟରେ ଭଗତ୍ ସିଂ ଜନ୍ମ ଗ୍ରହଣ କରିଥିଲେ । ଭଗତ୍ ସିଂ ପ୍ରଥମେ ଖାଲସା ସ୍କୁଲ, ପରେ ଲାହୋରର ଆଂଗ୍ଲୋବେଦିକ୍ ସ୍କୁଲରେ ପାଠ ପଢିଲେ । ସେହି ସ୍କୁଲରେ ମାଟ୍ରିକୁଲେଶନ ପାଶ୍ କରିବା ପରେ ଲାହୋର ନ୍ୟାସନାଲ କଲେଜରେ ପାଠ ପଢିଲେ । ସେ କଲେଜରେ ବିପ୍ଲବୀ ଛାତ୍ର ସୁଖଦେବ ଓ ଯଶ ପାଲଙ୍କ ସହିତ ତାଙ୍କର ପରିଚୟ ହେଲା ।
ଭଗତ୍ ସିଂ ନବମ ପଢୁଥିବା ସମୟରେ କାନପୁରଠାରେ ବସିଥିବା କଂଗ୍ରେସ ଅଧିବେଶନରେ ଯୋଗଦେଲେ । ୧୪ ବର୍ଷର ପିଲାଟି ଇଂରେଜ ସରକାରଙ୍କ ଅତ୍ୟାଚାର ସହି ନପାରି ପଞ୍ଜାବର ବିପ୍ଲବୀ ଦଳରେ ମିଶି ପ୍ରତିବାଦ ଆରମ୍ଭ କରିଦେଲେ । ସେ କହୁଥିଲେ ‘ ରକ୍ତ ବଦଳରେ ରକ୍ତ’ ନ୍ୟାସନାଲ କଲେଜର ବାତାବରଣ ଥିଲା ଦେଶପ୍ରେମ ଓ ଦେଶଭକ୍ତିର ପରିବେଶ । ଏହି କଲେଜର ଉଦ୍ଦେଶ୍ୟ ଥିଲା । ସ୍ୱରାଜ୍ୟ ଲାଭ ପାଇଁ କର୍ମୀ ତିଆରି କରିବା । ଏହି କଲେଜର ଛାତ୍ରମାନେ ସରଳ ନିଡାମ୍ବର ଜୀବନଯାପନ ସାଙ୍ଗକୁ ନିଜ କାମ ନିଜେ କରୁଥିଲେ । ଦିନେ ଭଗତ୍ ସିଂ, ଯଶପାଲଙ୍କ ସାଥିରେ ରାବି ନଦୀରେ ସନ୍ଧ୍ୟା ସମୟରେ ନୌକା ବିହାର କରୁଥିଲେ । ହଠାତ୍ ଯଶପାଲ କହିଲେ ଭଗତ୍ ଆମେ ଆଜି ଉଭୟ ଦେଶ ପାଇଁ ଜୀବନ ଦେବାକୁ ପଣ କରିବା । ଭଗତ୍ ସିଂ ପ୍ରତିଜ୍ଞା କଲେ ଉଭୟ ଦେଶ ପାଇଁ ଲଢିବା, ଇଂରେଜ ଶାସନ କବଳରୁ ଦେଶକୁ ମୁକ୍ତ କରିବା । ଦେଶ ମାତୃକା ପାଇଁ ଜୀବନ ଦେଇ ଦେବା । ଉଭୟ ବନ୍ଧୁଙ୍କର ରାବି ନଦୀର ଜଳରାଶି ଉପରେ ପ୍ରତିଜ୍ଞା ଦିନେ ଫଳବତୀ ହେଲା । ପରାଧିନତାର ଶୃଙ୍ଖଳରେ ଶୋଇଥିବା ଦେଶକୁ ଉଠାଇବ କିଏ?
ଭଗତ୍ ସିଂ ଓ ତାଙ୍କର କିଛି ବନ୍ଧୁ ମିଶି ‘କୃଷ୍ଣ ବିଜୟ’ ନାମରେ ଏକ ନାଟକ ଅଭିନୟ କଲେ । ଏହି ନିଟକରେ ଇଂରଜେମାନଙ୍କୁ କୌରବ ଓ କଂଗ୍ରେସକୁ ପାଣ୍ଡବ “ଭାବରେ ବର୍ଣ୍ଣନା କରାଗଲା । ଏହି ନାଟକଟି ସରକାରଙ୍କ ବିରୋଧି ହେଲା । ଇଂରେଜ ସରକାର ନାଟକଟିକୁ ବେଆଇନ ଘୋଷଣା କଲେ । ୧୯୨୬ ମସିହାରେ ଭଗତ୍ ସିଂ ଏଫ.ଏ ପାଶ କରି ବି.ଏ ଶ୍ରେଣିରେ ନାମ ଲେଖାଇଲେ । ଏଠାରେ ପ୍ରସିଦ୍ଧ ବିପ୍ଲବୀ ଶଚ୍ଚୀନ୍ଦ୍ର ନାଥ ସାନ୍ୟାଲଙ୍କର ସେଥିଲେ ଅତି ବିଶ୍ୱସ୍ତ । ଶଚ୍ଚୀନ୍ଦ୍ର ତାଙ୍କ ବହି ‘ବନ୍ଦୀ ଜୀବନ’ରେ ଭଗତ୍ ସିଂଙ୍କ ବିଷୟରେ ଲେଖିଛନ୍ତି । ଭଗତ୍ ସିଂଙ୍କ ଛାତ୍ର ଜୀବନର ପୂର୍ଣ୍ଣଛେଦ ପଡିଲା । ପିତା କିଷନ୍ ସିଂ ବଡ ପୁଅ ଜଗତ୍ ସିଂଙ୍କର ମୃତ୍ୟୁପରେ ବୋହୂଟିଏ ଆଣିବାକୁ ମନସ୍ତ କରିଥିଲେ । କିନ୍ତୁ ତାହା ହୋଇପାରିଲା ନାହିଁ । ଭଗତ ସିଂ ଦେଶ ମାତୃକାର ସେବା ପାଇଁ ବିବାହ ବନ୍ଧନକୁ ଆଡେଇ ଦେଇଥିଲେ । ସେ ବିଭା ହୁଅନ୍ତେ କିପରି? ଦେଶ ପାଇଁ ଜୀବନ ଦେବାକୁ ପଣ କରିଛନ୍ତି । ବିବାହ ବନ୍ଧନକୁ ଆଡେଇ ଦେଇ ନିଖୋଜ ହୋଇଗଲେ । ପିତାଙ୍କ ନିକଟକୁ ଲେଖିଥିବା ଚିଠିରେ ଦେଶ ମାତୃକାର ସେବା ଥିଲା ତାଙ୍କର ପ୍ରଧାନ ଆଭିମୁଖ୍ୟ । ଦେଶଭକ୍ତ ପିତା ଚିଠିଟି ପଢି ଖୁସିରେ ଆଖିରୁ ଦୁଇଟୋପା ଲୁହ ନିଗାଡି ଦେଇଥିଲେ ।
କିଛି ଦିନପରେ କିଷନ୍ ସିଂ ପୁତ୍ର ନିକଟକୁ ଚିଠି ଲେଖିଲେ । ଜେଜେମାଙ୍କ ଦେହ ଖରାପ ଓ ତୋତେ ବିଭାଦେବାକୁ ବାଧ୍ୟ କରାଯିବ ନାହିଁ । ଛମାସ ପରେ ଭଗତ୍ ସିଂ ଘରକୁ ଫେରି ଜେଜେମାର ସେବା କଲେ । ଗଙ୍ଗାନଦୀରେ ବନ୍ୟା ଆସିଥାଏ । ସ୍ୱେଚ୍ଛାସେବୀ ଅନୁଷ୍ଠାନ ସହିତ ଭଗତ୍ ସିଂ ବନ୍ୟାଦ୍ୱାରା କ୍ଷତି ହୋଇଥିବା ଲୋକମାନଙ୍କ ସେବାରେ ଲାଗିପଡଲେ । ଏହି ସମୟରେ ତାଙ୍କର ବିପ୍ଲବୀ ଚନ୍ଦ୍ରଶେଖର ଆଜାଦ୍ଙ୍କ ସହିତ କାନପୁର ଠାରେ ସାକ୍ଷାତହେଲା । ଏହି ସାକ୍ଷାତ ଏକ ଗୁରୁତ୍ୱପୂର୍ଣ୍ଣ ମୂହୁର୍ତଥିଲା । ସତେ କଣ ମଣୀକାଂଚନର ଅପୂର୍ବ ମିଳନ ଘଟିଲା । ଦଶହରା ପର୍ବ, ମା ଦୁର୍ଗାଙ୍କ ପୂଜା ଚାଲିଯାଏ । ଲାହୋରରେ ‘ରାମଲୀଳା’ ଉତ୍ସବରେ ଲୋକମାନଙ୍କ ଉପରେ ବୋମାମାଡ ହେଲା । ପଞ୍ଜାବ ପୋଲିସ୍ ବାହିନୀର ଅତ୍ୟାଚାରରେ ଗିରଫ ହେଲେ ୧୯ ବର୍ଷର ଭଗତ ସିଂ । ବିନାଦୋଷରେ ବନ୍ଦୀ ଜୀବନ କଟାଇଲେ ବ୍ରୋଷ୍ଟଲ ଜେଲର ଅନ୍ଧକାର ଗୃହ ମଧ୍ୟରେ । ମାଜିଷ୍ଟ୍ରେଟ ଷାଠିଏ ହଜାର ଟଙ୍କା ବନ୍ଧକ ଦେଇ ଜାମିନରେ ଛାଡିଦେବାକୁ ରାୟ ଦେଲେ । ତାଙ୍କର ପଇସାର ଅଭାବ ନଥିଲା । ଅନ୍ୟାୟକୁ ପ୍ରଶୟ ଦେଲେ ନାହିଁ । ଶେଷରେ ଉଚ୍ଚ ଅଦାଲତରେ ନିର୍ଦ୍ଦୋଷରେ ଖଲାସ ହେଲେ । ୧୯୨୮ମସିହାରେ ସାଇମନ କମିଶନ ଭାରତ ଆସିଥିଲେ । ଏହି କମିଶନରେ ସାତଜଣ ସଭ୍ୟ କେହି ଭାରତୀୟ ନଥିଲେ । ଭାରତୀୟମାନେ ଏହାକୁ ବିରୋଧ କଲେ ।
ଲାଲା ଲଜପତ୍ ରାୟଙ୍କ ନେତୃତ୍ୱରେ ଲୋକମାନେ ଆନ୍ଦୋଳନ କଲେ । ବିକ୍ଷୋଭକାରୀ ମାନଙ୍କ ଉପରେ ପୋଲିସ୍ ସୁପରିନ୍ଟେଣ୍ଡଟ୍ ସ୍କଟ୍ ଓ ଯେ.ପି ସାଣ୍ଡର୍ସ ସାହେବ ଲାଠି ଚଳାଇଲେ । ଏହି ଲାଠି ମାଡରେ ଲାଲା ଲଜପତ୍ ରାୟ ୧୯୨୮ ମସିହା ନଭେମ୍ବର ୧୭ ତାରିଖରେ ପ୍ରାଣ ହରାଇଥିଲେ । ଦେଶରେ ଶୋକର ଛାୟା ଖେଳିଗଲା । ଭଗତ୍ ସିଂ କାନ୍ଦି ଉଠିଲେ । ପ୍ରତିଶୋଧ ନେବା ପାଇଁ ହିନ୍ଦୁସ୍ଥାନ ସୋସାଲିଷ୍ଟ ରିପବ୍ଲକାନ୍ ଆର୍ମି ନାମକ ଏକ ସଙ୍ଗଠନ ଗଢାହେଲା । ଏଥିରେ ଚନ୍ଦ୍ରଶେଖର ଆଜାଦ୍, ସୁଖଦେବ,ଦୁର୍ଗାଦେବୀ ଓ ଭଗତ ସିଂ ଆଦି ବିପ୍ଲବୀ ଯୋଗଦେଲେ ।୧୯୨୮ ଡିସେମ୍ବର ୨୭ ତାରିଖ ଦିନ ପଞ୍ଜାବ ସଚିବାଳୟ ସାମ୍ନାରେ ଯେ.ପି ସାଣ୍ଡର୍ସ ଓ ଜଣେ ଗୋରା କନେଷ୍ଟବଳକୁ ହତ୍ୟା କରାଗଲା । ଏହାର ମୁଖ୍ୟନାୟକ ଥିଲେ ଭଗତ୍ ସିଂ । ରାଜଗୁର, ସୁକଦେବ, ଦୁର୍ଗାଦେବୀ ଓ ଭଗତ୍ ସିଂ ଛଦ୍ମବେଶରେ ପୋଲିସ୍ ଆଖିରେ ଧୂଳିଦେଇ କଲିକତା ପଳାଇଗଲେ । ଖଟିଖିଆ ଶ୍ରମିକମାନଙ୍କ ବିରୁଦ୍ଧରେ ଏକ ବିଲ୍ ବିଧାନସଭାରେ ଆଗତହେଲା । ଏହାକୁ ବିରୋଧ କରି “ଭଗତ୍ ସିଂ ବିପ୍ଲବୀ ବନ୍ଧୁମାନଙ୍କୁ ନେଇ ବିଧାନସଭାରେ ଦୁଇଟି ବୋମା ପକାଇଦେଲେ । ଗୋରା ସାହେବ ମାନେ ଜୀବନ ବିକଳରେ ପଳାଇଗଲେ । ବିପ୍ଲବୀମାନଙ୍କ ଇନ୍କିଲାବ ଜିନ୍ଦାବାଦ୍ ଧ୍ୱନିରେ ବିଧାନସଭା ପ୍ରକମ୍ପିତ ହେଲା । ଭଗତ୍ ସିଂ ଓ ଅନ୍ୟାନ୍ୟ ବିପ୍ଲବୀମାନେ ପୋଲିସ ହାତରେ ଧରାପଡି ଗିରଫ ହେଲେ । ଜେଲର ଚାରିକାନ୍ଥ ଭିତରେ ଭଗତ ସିଂଙ୍କ ଉପରେ ହେଲା ଅତ୍ୟାଚାର ।
ବନ୍ଦୀ ଜୀବନରେ ଭଗତ୍ ସିଂ ବହୁତ ବହି ପଢୁଥିଲେ । ୧୯୩୦ ମସିହାରେ ତିନି ବିପ୍ଲବୀ ବନ୍ଧୁ ସୁଖଦେବ ଓ ଶିବରାମଙ୍କ ସହିତ ଭଗତ୍ ସିଂଙ୍କୁ ଫାଶୀଦଣ୍ଡ ଆଦେଶହେଲା । ଫାଶୀ ଦଣ୍ଡ କଥା ଶୁଣି ଦେଶର ଲୋକମାନେ ଆନ୍ଦୋଳନ ଆରମ୍ଭ କରିଦେଲେ । ୧୯୩୧ ମସିହା ମାର୍ଚ ୩ ତାରିଖ ଦିନ ଭଗତ୍ ସିଂଙ୍କ ବାପାମାଆ ଓ ଅନ୍ୟମାନେ ଭଗତ୍ ସିଂଙ୍କୁ ଦେଖାକଲେ । ଭଗତ୍ ସିଂ ତାଙ୍କ ମାଙ୍କୁ କହିଲେ ଫାଶୀ ପରେ ମୋର ଶବକୁ ନେବା ପାଇଁ ଆସିବ ନାହିଁ । ଜଣେ ବିପ୍ଲବୀ ବୀରର ମାଆ ହିସାବରେ କାନ୍ଦିବ ନାହିଁ । ଏହା କହି ହସି ଉଠିଥିଲେ । ୧୯୩୧ ମସିହା ମାର୍ଚ୍ଚ ୨୩ ତାରିଖ ଦିନ ଭଗତ୍ ସିଂ, ସୁଖଦେବ, ରାଜଗୁରୁଙ୍କର ଥିଲା ଶେଷ ଦିନ ।
ଭଗତ୍ ସିଂ କହିଲେ- ମାଜିଷ୍ଟ୍ରେଟ ସାହେବ । ଆଜି ଆପଣ ନିଜ ଆଖିରେ ଦେଖିବାକୁ ସୁଯୋଗ ପାଇଛନ୍ତି ବିପ୍ଲବୀ କିପରି ନିଜ ଆଦର୍ଶ ରକ୍ଷା କରୁଛି । ହସି ହସି ମୃତ୍ୟୁକୁ ଆଲିଙ୍ଗନ କରୁଛି? ଭଗତ୍ ସିଂ ସାଥିମାନଙ୍କ ସହ ଫାଶୀ ମଂଚ ଉପରକୁ ଉଠି ପଡିଲେ । ଫାଶୀ ଦଉଡିକୁ ଚୁମ୍ବନଦେଇ ଇନକିଲାବ୍ ଜିନ୍ଦାବାଦ ସାମ୍ରାଜ୍ୟବାଦ ମୁର୍ଦ୍ଦାବାଦ । ଭଗତ୍ ସିଂ ଓ ଦୁଇ ବନ୍ଧୁ ନିଜ ବେକରେ ଫାଶୀ ଦଉଡି ଗଳେଇ ଦେଇ ଘାତକୁ କହିଲେ ଦୟାକରି ତୁମେ ଏ ଫାଶୀକୁ ଠିକ କରିଦିଅ । ସେଠାରେ ଥିବା ସମସ୍ତ ଗୋରା ସାହେବ ଏହି ତିନି ବନ୍ଧୁଙ୍କର ସାହସ ଦେଖି କାନ୍ଦି ପକାଇଥିଲେ । ଭାରତମାତାର ଏହି ତିନି ବୀର ଦେଶ ମାତୃକାର ଚରଣ ତଳେ ଅର୍ପିତ ହୋଇଗଲେ । ତାଙ୍କର ଆଦର୍ଶ, ଦେଶପ୍ରେମ ଓ ଆତ୍ମବଳିର ପଟାନ୍ତର ନାହିଁ । ଭଗତ୍ ସିଂ ମରି ମଧ୍ୟ ଆଜି ଅମର, ଆଜି ଭାରତର ମାଟି, ପାଣି, ପବନରେ ତାଙ୍କର ବଳିଦାନର ଅପୂର୍ବଗାଥା ଗୁଞ୍ଜରିତ ହୋଉଛି ଓ ଭବିଷ୍ୟତରେ ହେଉଥିବ ।
