ଆଜି ସହିଦ ଦିବସ ! ହସିହସି ଦେଶ ପାଇଁ ଫାଶୀ ଖୁଣ୍ଟରେ ଝୁଲି ଯାଇଥିଲେ ଭଗତ ସିଂହ, ସୁଖଦେବ ଓ ରାଜଗୁରୁ
ଭାରତର ସ୍ବାଧୀନତା ଅନ୍ଦୋଳନ ଇତିହାସରେ ମାର୍ଚ୍ଚ ୨୩ ଏକ ସ୍ମରଣୀୟ ଦିବସ। ଭାରତ ମାତାର ବୀର ସୁପୁତ୍ର କ୍ରାନ୍ତିକାରୀ ଶହୀଦ-ଏ-ଆଜମ୍ ଭଗତସିଂହ, ଶିବରାମ ରାଜଗୁରୁ ଏବଂ ସୁଖଦେବ ୧୯୩୧ ମସିହା ଆଜିର ଦିନରେ ହସିହସି ଦେଶ ପାଇଁ ଫାଶୀ ଖୁଣ୍ଟରେ ଝୁଲି ଯାଇଥିଲେ। ଆଉ ତାଙ୍କରି ସ୍ମୃତିରେ ଆଜିର ଦିନଟିକୁ ଶହୀଦ ଦିବସ ଭାବେ ପାଳନ କରୁଛି ପୂରା ଦେଶ। ୧୯୨୯ ମସିହା ଏପ୍ରିଲ ୮ ତାରିଖରେ ଭଗତସିଂହ ଏବଂ ତାଙ୍କ ସାଥୀ ବଟୁକେଶ୍ବର ଦତ୍ତ ସେଣ୍ଟ୍ରାଲ୍ ଆସେମ୍ବଲି ଭିତରକୁ ବୋମା ପକାଇ ଥିଲେ।
ଏହି ଘଟଣାରେ ଭଗତସିଂହ ବୀର ଭଳି ହସିହସି ନିଜକୁ ଇଂରେଜ ସରକାରଙ୍କ ଆଡକୁ ଟେକି ଦେଇଥିଲେ। ଏହାସହ ୧୯୨୮ ମସିହାରେ ଲାହୋରଠାରେ ଏକ ବ୍ରିଟିଶ ପୋଲିସ ଅଧିକାରୀଙ୍କୁ ହତ୍ୟା କରିଥିଲେ ଭଗତ ସିଂ ଓ ତାଙ୍କ ସାଥୀ ସୁଖଦେବ ଏବଂ ରାଜଗୁରୁ । ଏହି ଘଟଣାରେ ଇଂରେଜ ସରକାର ଏହି ତିନିଜଣଙ୍କୁ ଫାଶୀଦଣ୍ଡ ଶୁଣାଇଥିଲେ। ଏହି ତିନି ଜଣଙ୍କୁ ୨୪ ମାର୍ଚ୍ଚ ସକାଳ ୮ଟାରେ ଫାଶୀ ଦିଆଯିବ ବୋଲି ନିର୍ଦ୍ଧାରିତ ହୋଇଥିଲା। କିନ୍ତୁ ସେତେବେଳେ ବହୁ ସଂଖ୍ୟାରେ କ୍ରାନ୍ତିକାରୀଙ୍କ ବିକ୍ଷୋଭକୁ ନେଇ ଇଂରେଜ ସରକାର ଡରିଯାଇଥିଲେ।
ଇଂରେଜ ସରକାର ଭୟରେ ମାର୍ଚ୍ଚ ୨୩ ସଂଧ୍ୟାରେ ହିଁ ସେମାନଙ୍କୁ ଫାଶୀ ଦେଇଥିଲେ। ଏହି ତିନି ବୀର କ୍ରାନ୍ତିକାରୀ ହସିହସି ଫାଶୀଖୁଣ୍ଟରେ ଝୁଲି ଯାଇଥିଲେ। ଫାଶୀ ଖୁଣ୍ଟରେ ଝୁଲିବା ସମୟରେ ଭଗତସିଂହ, ସୁଖଦେବଙ୍କ ବୟସ ମାତ୍ର ୨୩ ବର୍ଷ ହୋଇଥିବାବେଳେ ରାଜଗୁରୁ ମାତ୍ର ୨୨ ବର୍ଷର ଥିଲେ। ଲାହୋରର ପଞ୍ଜାବଠାରେ ଏହି ୩ଜଣଙ୍କୁ ଫାଶୀ ଦିଆଯାଇଥିଲା। ଯୁବକ ଅବସ୍ଥାରୁ ନିର୍ଭୀକତାର ପରିଚୟ ଦେଇଥିଲେ ଏହି ତିନି ମହାନ୍ ବିପ୍ଳବୀ।
