ଆସନ୍ତାକାଲି ଟିଭିରେ ସିଧା ପ୍ରସାରଣ ହେବ ‘ସ୍ନାନଯାତ୍ରା’
- ଆଜି ରାତି ୧ଟାରୁ ୪ଟା ମଧ୍ୟରେ ପହଣ୍ଡି ଆରମ୍ଭ
- ବନ୍ଦ ରହିବ ସାହାଣ ମେଳା
- ଗୁରୁବାର ପୂର୍ବାହ୍ନ ୧୧ଟାରେ ହାତୀବେଶ
ପୁରୀ : ଆସନ୍ତାକାଲି ଶ୍ରୀଜିଉଙ୍କ ‘ସ୍ନାନଯାତ୍ରା’ । ଶ୍ରୀକ୍ଷେତ୍ରରେ ଆଉ ମାତ୍ର କିଛି ସମୟ ପରେ ଶ୍ରୀଜିଉଙ୍କର ଦେବସ୍ନାନ ପୂର୍ଣ୍ଣିମା ପର୍ବ ଆରମ୍ଭ ହୋଇଯିବ । ଶ୍ରୀଜିଉଙ୍କ ସ୍ନାନଯାତ୍ରା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ମନ୍ଦିରର ନୀତି ନିର୍ଘଣ୍ଟ ଅନୁସାରେ ଗୁରୁବାର ପୂର୍ବାହ୍ନ ୧୧ଟାରୁ ମଧ୍ୟାହ୍ନ ୧୨ଟା ମଧ୍ୟରେ ମହାପ୍ରଭୁ ହାତୀବେଶରେ ଦର୍ଶନ ଦେବେ । କିନ୍ତୁ ଚଳିତ ବର୍ଷ କୋଭିଡ କଟକଣା ଯୋଗୁଁ ଭକ୍ତ ବଡ଼ଦାଣ୍ଡରେ ରହି ଠାକୁରଙ୍କ ସ୍ନାନଯାତ୍ରା ଦେଖିପାରିବେ ନାହିଁ ସାଧାରଣ ଭକ୍ତ ଓ ଜଗନ୍ନାଥପ୍ରେମୀ । ଭକ୍ତଙ୍କୁ ସ୍ନାନଯାତ୍ରାର ସିଧାପ୍ରସାରଣକୁ ଟେଲିଭିଜନ ମାଧ୍ୟମରେ ଦେଖିବାକୁ ପଡ଼ିବ । ଗୁରୁବାର ଭୋର ସକାଳୁ ସ୍ନାନଯାତ୍ରାର ସିଧା ପ୍ରସାରଣ ହେବ ।
ସୂଚନା ଯେ, ବୁଧବାର ରାତି ୧ଟାରେ ମଙ୍ଗଳାର୍ପଣ ନୀତି ଅନୁଷ୍ଠିତ ହେବ । ଏହା ପରେ ରାତି ୧ଟାରୁ ୪ଟା ପର୍ଯ୍ୟନ୍ତ ଡୋରଲାଗି ଓ ପୁଷ୍ପାଞ୍ଜଳି ହୋଇ ପହଣ୍ଡି ଆରମ୍ଭ ହେବ । ୪ଟା ୩୦ରେ ମଙ୍ଗଳ ଆଳତି, ୪ଟା ୪୦ରେ ମଇଲମ, ୫ଟାରେ ତଡ଼ପ ଲାଗି, ୫ଟା ୩୦ରେ ଅଧର ପୋଛା, ୬ଟାରେ ଅବକାଶ, ୬ଟା ୩୦ରେ ରୋଷହୋମ, ୬ଟା ୪୫ରେ ସୂର୍ଯ୍ୟ ପୂଜା, ୭ଟାରେ ଦ୍ୱାରପାଳ ପୂଜା ଏବଂ ବେଶଶେଷ, ୭ଟା ୩୦ରୁ ୯ଟା ୩୦ ମଧ୍ୟରେ ଜଳ ବିଜେ, ପୂଜା, ସ୍ନାନ, ୧୦ଟାରେ ମଇଲମ, ନୂଆଲୁଗା ଲାଗି ବେଶ, ୧୦ଟା ୩୦ରେ ଛେରା ପହଁରା ନୀତି ଅନୁଷ୍ଠିତ ହେବ । ହାତୀ ବେଶ ଅନୁଷ୍ଠିତ ହେବା ପରେ ମଧ୍ୟାହ୍ନ ୧୨ଟାରେ ମହନ୍ତ ଶାଢ଼ୀବନ୍ଧା, ଅପରାହ୍ନ ୧ଟାରୁ ୩ଟା ପର୍ଯ୍ୟନ୍ତ ଘଣ୍ଟଛତା ସକାଳଧୂପ, ୪ଟାରେ ହାତୀବେଶ ମଇଲମ, ପୁଷ୍ପାଞ୍ଜଳି ଓ ଡୋରଲାଗି, ସନ୍ଧ୍ୟା ୫ଟାରୁ ରାତି ୮ଟା ପର୍ଯ୍ୟନ୍ତ ବାହୁଡ଼ା ପହଣ୍ଡି ଅନୁଷ୍ଠିତ ହେବ । ୮ଟା ୩୦ରେ ସୁନା ଚିତା ଓ ରାହୁରେଖା ମଇଲମ, ୯ଟାରୁ ୧୨ଟା ମଧ୍ୟରେ ଚାଟି ବନ୍ଧା ନୀତି ହେବ । ସେହିପରି ୨୫ ତାରିଖ (ମଧ୍ୟରାତ୍ରୀ) ୧୨ଟା ୩୦ରେ ଦଶ ଅବତାର ବିଜେ, ୧ଟାରେ ମହାସ୍ନାନ, ୧ଟା ୩୦ରେ ମଇଲମ ବେଶ, ୨ଟାରୁ ୩ଟା ପର୍ଯ୍ୟନ୍ତ ମଧ୍ୟାହ୍ନ ଧୂପ, ଭୋର ୩ଟା ୩୦ରେ ଦକ୍ଷିଣିଘର ରୋଗ ଏବଂ ଜୟ-ବିଜୟ ଦ୍ୱାର ବନ୍ଦ, ବେହେରଣ ଦ୍ୱାର ଫିଟିବା, ସକାଳ ୪ଟାରେ ଅନବସର ନୀତି, ୪ଟା ୫୦ରେ ପଣା ଭୋଗ ଓ ସକାଳ ୫ଟାରେ ବେହେରଣ ଦ୍ୱାର ବନ୍ଦ ଏବଂ ଜୟ-ବିଜୟ ଦ୍ୱାର ଫିଟିବା ନୀତି ଅନୁଷ୍ଠିତ ହେବ । ସୂଚନାଯୋଗ୍ୟ ଚଳିତ ବର୍ଷ ସାହାଣମେଳା ନୀତି ବନ୍ଦ ରହିବ ।
