ଦ୍ଵିତୀୟ ଦିନିକିଆ : ସିରିଜ ବିଜୟ ଲକ୍ଷ୍ୟରେ ଭାରତ, ଟସ ଜିତି ଅଷ୍ଟ୍ରେଲିଆର ବୋଲିଂ ନିଷ୍ପତ୍ତି
ବିଶାଖାପାଟନା : ଆଜି ଭାରତ-ଅଷ୍ଟ୍ରେଲିଆ ଦ୍ଵିତୀୟ ଦିନିକିଆ । ଏଥିରେ ଟସ୍ ଜିତି ଅଷ୍ଟ୍ରେଲିଆ ବୋଲିଂ ନିଷ୍ପତ୍ତି ନେଇଛି । ଫଳରେ ବ୍ୟାଟିଂ କରିବାକୁ ପଡିଆକୁ ଓହ୍ଲାଇବେ ଟିମ୍ ଇଣ୍ଡିଆର ବ୍ୟାଟର । ସିରିଜ୍ରେ ଭାରତ ୧-୦ରେ ଆଗୁଆ ରହିଛି । ଦ୍ଵିତୀୟ ଦିନିକିଆରେ ଉଭୟ ଦଳରେ ପରିବର୍ତ୍ତନ ହୋଇଛି । ଦଳକୁ ଫେରିଛନ୍ତି ଅଧିନାୟକ ରୋହିତ ଶର୍ମା ।
ସିରିଜ୍ର ପ୍ରଥମ ଦିନିକିଆ ମୁମ୍ବାଇର ଓ୍ୱାଙ୍ଖେଡ୍ ଷ୍ଟାଡିୟମ୍ରେ ଖେଳାଯାଇଥିଲା । ଏହି ମ୍ୟାଚ୍ରେ ଭାରତ ୫ ଓ୍ୱକେଟ୍ରେ ବିଜୟୀ ହୋଇଥିଲା । ଯାହାଫଳରେ ଟିମ୍ ଇଣ୍ଡିଆ ସିରିଜ୍ରେ ୧-୦ରେ ଆଗୁଆ ରହିଛି । ରୋହିତ ଶର୍ମାଙ୍କ ଅନୁପସ୍ଥିତିରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଅଧିନାୟକ ଦାୟିତ୍ୱ ଦିଆଯାଇଥିଲା । ପ୍ରଥମ ଦିନିକିଆରେ ଏକ ଲୋ ସ୍କୋରିଂ ଗେମ୍ ହୋଇଥିବା ବେଳେ ରବିବାର ଖେଳାଯିବାକୁ ଥିବା ମ୍ୟାଚ୍କୁ ନେଇ କ୍ରୀଡା ପ୍ରେମୀଙ୍କ ମନରେ ବେଶ୍ ଉତ୍କଣ୍ଠା ରହିଛି । ଖାସ୍ କରି ଦୁଇ ଶ୍ରେଷ୍ଠ ଦଳଙ୍କ ମଧ୍ୟରେ ଏକ ହାଇ ସ୍କୋରିଂ ଗେମ୍ ଦେଖିବାକୁ ଫ୍ୟାନ୍ସମାନେ ଷ୍ଟାଡିୟମ୍କୁ ଆସିଛନ୍ତି । ତେବେ ୨ୟ ଦିନିକିଆରେ କେତେ ସ୍କୋର ହେଉଛି । ତାହା ଦେଖିବାକୁ ବାକି ରହିଲା ।
ବିଶାଖାପାଟଣା ପିଚ୍ ହାଇସ୍କୋରିଂ ଭେନ୍ୟୁ ଭାବେ ପରିଚିତ ଥିବାବେଳେ ଏଠାରେ ହାରାହାରି ପ୍ରଥମ ପାଳି ସ୍କୋର୍ ହେଉଛି ୨୯୫ ରନ୍। ଶେଷ ଥର ପାଇଁ ଭାରତ ଏଠାରେ ୨୦୧୯ରେ ଖେଳିଥିବା ବେଳେ ରୋହିତ ଓ ରାହୁଲଙ୍କ ଶତକ ବଳରେ ୩୮୭/୫ ସ୍କୋର୍ କରିଥିଲା। ରବିବାର କିନ୍ତୁ ଅପରାହ୍ଣରେ ବର୍ଷାର ପୂର୍ବାନୁମାନ ଥିବାରୁ ମ୍ୟାଚ୍ର ମଜା ଲୁଟିନେବା ଆଶଙ୍କା ରହିଛି।
ମୁମ୍ବାଇରେ ଭାରତର ବିଜୟ ଦିନିକିଆରେ ଦଳର ବିଜୟ ଧାରାକୁ କ୍ରମାଗତ ୮ରେ ପହଞ୍ଚାଇଥିଲା। ଅଷ୍ଟ୍ରେଲିଆର କ୍ରମାଗତ ଷଷ୍ଠ ବିଜୟ ଅଟିକିଯାଇଥିଲା। ବିଶାଖାପାଟଣାରେ ଭାରତ ଖେଳିଥିବା ୯ ଦିନିକିଆରୁ ୭ ଜିତିଛି। ଗୋଟିଏ ପରାଜୟ ଏବଂ ଗୋଟିଏ ଟାଇ ଦେଖିଛି ଘରୋଇ ଦଳ। ଏହି ଭେନ୍ୟୁରେ କୋହଲି ଖେଳିଥିବା ୬ ଦିନିକିଆ ପାଳି ସ୍କୋର୍ ରହିଛି ଏମତି-୧୧୮, ୧୧୭, ୯୯, ୬୫, ୧୫୭*, ୦। ରବିବାର କେଏଲ୍ ରାହୁଲ୍ ଯଦି ଆଉ ୫୫ ରନ୍ କରିପାରିବେ ତେବେ ଦ୍ବିତୀୟ ଦ୍ରୁତତମ ଭାରତୀୟ ଭାବେ ୨୦୦୦ ରନ୍ କ୍ଲବ୍ରେ ସାମିଲ ହେବେ। ଶିଖର ଧାୱନ ୪୮ ପାଳିରୁ ୨୦୦୦ ରନ୍ ପୂର୍ଣ୍ଣ କରି ଶୀର୍ଷରେ ଅଛନ୍ତି। ରାହୁଲ ୫୦ ପାଳିରୁ ୧୯୪୫ ରନ୍ କରିଛନ୍ତି। ଅନୁରୂପ ଭାବେ ଷ୍ଟିଭେନ୍ ସ୍ମିଥ୍ ୬୧ ରନ୍ କରିପାରିଲେ ଅଷ୍ଟ୍ରେଲିଆ ପାଇଁ ଯୁଗ୍ମ ଦ୍ବିତୀୟ ଦ୍ରୁତତମ ଭାବେ ୫,୦୦୦ ରନ୍ କ୍ଲବ୍ରେ ପ୍ରବେଶ କରିବେ।
ଭାରତୀୟ ଦଳ : ରୋହିତ ଶର୍ମା, ଶୁଭମନ୍ ଗିଲ୍, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, କେଏଲ୍ ରାହୁଲ୍, ହାର୍ଦ୍ଦିକ ପାଣ୍ଡ୍ୟା, ରବିନ୍ଦ୍ର ଜାଡେଜା, ଅକ୍ଷର ପଟେଲ୍, କୂଳଦୀପ ଯାଦବ, ମହମ୍ମଦ ସିରାଜ, ମହମ୍ମହ ସାମି ।
ଅଷ୍ଟ୍ରେଲିଆ ଦଳ : ଟ୍ରାଭିସ୍ ହେଡ୍, ମିଚେଲ୍ ମାର୍ସ, କ୍ୟାମେରୁନ୍ ଗ୍ରୀନ୍, ଷ୍ଟିଭ୍ ସ୍ମିଥ୍, ମାର୍କସ ଷ୍ଟୟନିସ୍, ଏଡାମ୍ ଜାମ୍ପା, ନାଥନ୍ ଏଲିସ୍, ସନ୍ ଆବଟ, ମାର୍ନସ ଲାବୁସେନ୍, ଆଲେକ୍ସ କେରୀ, ମିଚେଲ ଷ୍ଟାର୍କ ।
