ଜିଲାସ୍ତରୀୟ ଜୀବେ ନିଷ୍ଠୁରତା ନିରାକରଣ ଆଇନ୍ ସଚେତନତା ବୈଠକ
ବାଲେଶ୍ୱର : ବାଲେଶ୍ୱର ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଥିବା ମହାତ୍ମାଗାନ୍ଧୀ ସମ୍ମିଳନୀ କକ୍ଷରେ ଜିଲା ଜୀବେ ନିଷ୍ଠୁରତା ନିରୋଧ ସମିତିର ବାର୍ଷିକ ସାଧାରଣ ବୈଠକ ଶନିବାର ଅପରାହ୍ନରେ ଅନୁଷ୍ଠିତ ହୋଇଯାଇଛି ।
ଜିଲା ପ୍ରାଣୀଧନ କାର୍ଯ୍ୟାଳୟ ପକ୍ଷରୁ ଆୟୋଜିତ ବୈଠକରେ ସମିତିର ଅଧ୍ୟକ୍ଷ ତଥା ଜିଲାପାଳ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେଙ୍କ ଅଧ୍ୟକ୍ଷତା କରି ସରକାର ବିଭିନ୍ନ ଜୀବ ମଙ୍ଗଳ ଯୋଜନାରେ ଯୋଗାଉଥିବା ଅର୍ଥକୁ ସୁବିନିଯୋଗ ସହ ବିଭିନ୍ନ ସଂସ୍ଥାମାନଙ୍କୁ ସମ୍ପୃକ୍ତ କରି ଏହାର କାର୍ଯ୍ୟକାରିତା ଉପରେ ଗୁରୁତ୍ୱ ଆରୋପ କରିଥିଲେ । ବୈଠକରେ ସମିତି ଉପାଧ୍ୟକ୍ଷ ତଥା ବାଲେଶ୍ୱର ଜିଲା ଆରକ୍ଷୀ ଅଧୀକ୍ଷକ ସାଗରିକା ନାଥ ଯୋଗଦେଇ ପ୍ରାଣୀଧନ ସୁରକ୍ଷା ପାଇଁ ଥିବା ବିଭିନ୍ନ ଆଇନ୍ ଧାରା ଲାଗୁ ଉପରେ ଆଲୋଚନା କରିଥିଲେ । ସମିତିର ଅବୈତନିକ ସମ୍ପାଦକ ତଥା ଜିଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡା. ବନମାଳୀ ସାହୁ ସଭା ପରିଚାଳନା କରି ବିଭିନ୍ନ ଜୀବ ମଙ୍ଗଳ ଯୋଜନା ଉପରେ ଆଲୋକପାତ କରିଥିଲେ । ସମିତିର ଅନ୍ୟତମ ସଭ୍ୟ ତଥା ଉପ-ଜିଲାପାଳ କୁନାଲ ମୋତିରାମ ଚଭନ ଯୋଗଦେଇ ବୁଲା ଗାଈଗୋରୁଙ୍କୁ ଗୋଶାଳା ପହଞ୍ଚାଇବା ଉଦ୍ଦେଶ୍ୟରେ ପୌରପାଳିକା ତରଫରୁ ଗାଡ଼ି, କର୍ମଚାରୀ ତଥା ଅନ୍ୟାନ୍ୟ ସାହାଯ୍ୟ ଯୋଗାଇ ଦେବାକୁ କହିଥିଲେ । ସଭ୍ୟ ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଭବାନୀ ଶଙ୍କର ଭୂୟାଁ, ଜିଲା ପଞ୍ଚାୟତ ଅଧିକାରୀ ଏବଂ ଆଞ୍ଚଳିକ ପରିବହନ ଅଧିକାରୀ ବୈଠକରେ ଯୋଗ ଦେଇଥିଲେ । ସମିତିର ସଭ୍ୟ ମନୋରଞ୍ଜନ ପତି, ସୋର ଗୋଶାଳାର ସମ୍ପାଦକ ଡମ୍ବରୁଧର ନାୟକ, ମା’ ତାରିଣୀ ଗୋଶାଳାର ସମ୍ପାଦକ ଜିତେନ୍ଦ୍ର ସ୍ୱାଇଁ ଏବଂ ସମିତିର ନିରୀକ୍ଷକ ଧ୍ରୁବ ନାରାୟଣ ପଣ୍ଡା ପ୍ରମୁଖ ଗୋଶାଳା ସମ୍ପୃକ୍ତ ବିଭିନ୍ନ ସମସ୍ୟା ଆଲୋଚନା କଲାବେଳେ ଜିଲାପାଳ ଶ୍ରୀ ଶିନ୍ଦେ ସମାଧାନର ସୂତ୍ର ବାହାର କରିଥିଲେ । ଜିଲା ପ୍ରାଣୀ ଚିକିତ୍ସାଳୟର ଉପ-ନିର୍ଦ୍ଦେଶକ ଡା. ସଦାଶିବ ମହାପାତ୍ର ଜୀବେ ନିଷ୍ଠୁରତା ନିରାକରଣ ଆଇନ୍ର ବିଭିନ୍ନ ଦିଗ ଉପରେ ପାୱାର ପଏଣ୍ଟ ପ୍ରେଜେଣ୍ଟେସନ୍ ଦେଖାଇଥିଲେ । ଶେଷରେ ଅତିରିକ୍ତ ଜିଲା ପ୍ରାଣୀ ଚିକିତ୍ସା ଅଧିକାରୀ (ଜୀବମଙ୍ଗଳ) ଡା. ଅଜିତ କୁମାର ସାମଲ ଧନ୍ୟବାଦ ଦେଇଥିଲେ ।
