ବିଧାନସଭାରେ ଉଠିଲା ବିଦ୍ୟୁତ ଶୁଳ୍କ ଆଦାୟ ପ୍ରସଙ୍ଗ! ମାଗଣା ଦେଲେ ଶ୍ରୀଲଙ୍କା ଭଳି ସ୍ଥିତି ହେବ : ମନ୍ତ୍ରୀ
ଭୁବନେଶ୍ୱର : ବିଧାନସଭାରେ ଉଠିଥିଲା ଟାଟା ପାୱାରର ବିଦ୍ୟୁତ ଶୁଳ୍କ ଆଦାୟ ପ୍ରସଙ୍ଗ । ବିରୋଧୀ ବିଜେପି ଓ କଂଗ୍ରେସ ଏହି ପ୍ରସଙ୍ଗ ଉଠାଇ ଉଦ୍ବେଗ ପ୍ରକାଶ କରିଥିଲେ । ମୁଲତବୀ ଆଲୋଚନା ବେଳେ ରାଜ୍ୟ ସରକାରଙ୍କ ଦାୟିତ୍ୱ ଓ ଟାଟା ପାୱାରର ଆଭିମୁଖ୍ୟକୁ ନେଇ ବିରୋଧୀ ବର୍ଷିଥିଲେ । ବିରୋଧୀଙ୍କୁ ଜବାବ ଦେବାକୁ ଯାଇ ମନ୍ତ୍ରୀ କହିଥିଲେ, ମାଗଣା ଦେଲେ ଶ୍ରୀଲଙ୍କା ଭଳି ସ୍ଥିତି ହେବ ।
ମୂଲତବୀ ଆଲୋଚନା ବେଳେ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ କହିଥିଲେ, ଉପଭୋକ୍ତାଙ୍କ ସ୍ୱାର୍ଥକୁ ଗୁରୁତ୍ୱ ନଦେଇ ତଂଟି ଚିପି ବିଲ୍ ଆଦାୟ କରାଯାଉଛି । ବିଦ୍ୟୁତ ସଂସ୍କାରରେ ଓଡ଼ିଶା ପ୍ରଥମ ରାଜ୍ୟ ହୋଇଥିବା ବେଳେ ସରକାରଙ୍କ ଭୁଲ୍ ନୀତି ଓ ବିଭାଗୀୟ ଅପାରଗତା ପାଇଁ ବିଜୁଳି ଦର ବଢୁଛି । ଜାତୀୟ ହାର ୟୁନିଟ ପିଛା ୫ ଟଙ୍କା ୧୧ ପଇସା ଥିବା ବେଳେ ରାଜ୍ୟରେ ୫.୨୨ ପଇସା ରହିଛି । ପରିଚାଳନା ଗତ ତ୍ରୁଟି ପାଇଁ ହେଉଥିବା ବାଣିଜ୍ୟିକ କ୍ଷତିକୁ ଗ୍ରାହକଙ୍କ ଉପରେ ଲଦା ଯାଉଛି । ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ ଦାୟୀତ୍ୱ ନିର୍ବାହରେ ଫେଲ୍ ମାରିଛି । ଅକ୍ଷୟ ଶକ୍ତିକୁ ଗୁରୁତ୍ୱ ନଦେଇ ତାପଜ ବିଦ୍ୟୁତ ଉପରେ ନିର୍ଭରଶୀଳ ବଢୁଥିବାରୁ ଦର କମୁନାହିଁ ବୋଲି ମୋହନ ମାଝୀ କହିଥିଲେ । ସେହିପରି କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା କହିଛନ୍ତି, ବିଦ୍ୟୁତ ପରିବହନ ଜନିତ କ୍ଷତିକୁ ହ୍ରାସ କରିବାରେ ବିଫଳ ହୋଇଛନ୍ତି ସରକାର । ଓଡ଼ିଶା ଏକ ବିଦ୍ୟୁତ ବଳକା ରାଜ୍ୟ ହୋଇଥିଲା ବେଳେ ବିଦ୍ୟୁତ ଟାରିଫ ବଢି ବଢ଼ି ଚାଲିଛି । ଏହା ଲୋକଙ୍କ ଉପରେ ବୋଝ ହୋଇଛି । ଦିଲ୍ଲୀ, ପଞ୍ଜାବ ଭଳି ଆମ ରାଜ୍ୟ ସରକାର ଉପଭୋକ୍ତାଙ୍କୁ ୨୦୦ ୟୁନିଟ୍ ପର୍ଯ୍ୟନ୍ତ ବିଜୁଳି ମାଗଣାରେ ଦିଅନ୍ତୁ ଶ୍ରୀ ସାଲୁଜା କହିଛନ୍ତି ।
ବିରୋଧୀଙ୍କ ଅଭିଯୋଗର ଉତର ଦେଇଛନ୍ତି ମନ୍ତ୍ରୀ । ସେ କହିଛନ୍ତି, ବିରୋଧୀ ଯେଉଁ ଅଭିଯୋଗ ଆଣିଛନ୍ତି ବାସ୍ତବତା ଉପରେ ଆଧାରିତ ନୁହେଁ । ୨୦୦୦ ମସିହାରେ ୨୮ ପ୍ରତିଶତ ଘରକୁ ବିଜୁଳି ସଂଯୋଗ ହୋଇଥିବା ବେଳେ ବର୍ତମାନ ୯୭ ପ୍ରତିଶତ ଘରକୁ ବିଜୁଳି ସଂଯୋଗ ଦିଆଯାଇଛି । ୨୦୦୦ ମସିହାରେ ୧୬ ଲକ୍ଷ ବିଦ୍ୟୁତ ଉପଭୋକ୍ତା ରହିଥିବା ବେଳେ ବିଦ୍ୟୁତ ଚାହିଦା ୧୦ ହଜାର ମିଲିୟନ୍ ୟୁନିଟ ଆବଶ୍ୟକ ପଡ଼ୁଥିଲା । ୨୦୨୩ ମସିହାରେ ଉପଭୋକ୍ତା ସଂଖ୍ୟା ୯୮ ଲକ୍ଷରେ ପହଂଚିଛି । ଚାହିଦା ୨୭ ହଜାର ୪୦୦ ମିଲିୟନ ୟୁନିଟକୁ ବୃଦ୍ଧି ପାଇଛି । ପିକ୍ ଆୱାରରେ ୫,୨୦୦ ମିଲିୟନ ୟୁନିଟ ଆବଶ୍ୟକ ପଡୁଛି । ବିଦ୍ୟୁତ ପରିବହନ ଜନିତ କ୍ଷତି ନିୟନ୍ତ୍ରଣ କରିବାରେ ସଫଳତା ମିଳିଛି । ୨୦୦୦ ମସିହାରେ ୫୭ ପ୍ରତିଶତ କ୍ଷତି ହେଉଥିଲା ବେଳେ ୨୦୨୩ରେ ଏହା ୨୬ ପ୍ରତିଶତକୁ ହ୍ରାସ ପାଇଛି । ପାଣି ପବନ ବିଜୁଳି ଏକାନ୍ତ ଆବଶ୍ୟକ । ମାଗଣା ଦେଲେ ଶ୍ରୀଲଙ୍କା ଭଳି ସ୍ଥିତି ହେବେ ବୋଲି ଶକ୍ତି ମନ୍ତ୍ରୀ ପ୍ରତାପ ଦେବ କହିଛନ୍ତି ।
