ପ୍ରଥମ ଦିନିକିଆ : ଅଷ୍ଟ୍ରେଲିଆକୁ ୫ ଓ୍ବିକେଟରେ ହରାଇଲା ଭାରତ
ମୁମ୍ବାଇ : ମୁମ୍ବାଇର ଓ୍ବାଙ୍ଖଡ଼େ ଷ୍ଟାଡିୟମରେ ଚାଲିଥିବା ପ୍ରଥମ ଦିନିକିଆରେ ଅଷ୍ଟ୍ରେଲିଆକୁ ୫ ଓ୍ବିକେଟରେ ପରାସ୍ତ କରିଛି ଭାରତ । ଟେଷ୍ଟ ଫର୍ମାଟରେ କ୍ରମାଗତ ବିଫଳ ଓ ଭାରତୀୟ ଟିମର ଉପ ଅଧିନାୟକ ପଦରୁ ବିଦା ହେବା ପରେ ଜବରଦସ୍ତ କମବ୍ୟାକ କରିଛନ୍ତି କେଏଲ ରାହୁଲ। ନିଜର ଫର୍ମ ପାଇଁ ସମାଲୋଚନାର ଶିକାର ହେଉଥିବା ରାହୁଲ ଆଜି ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଦିନିକିଆରେ ନିଜର ଦକ୍ଷତା ଦେଖାଇଛନ୍ତି। ସେ ଅପରାଜିତ ୭୫ ରନର ଇନିଂସ ଖେଳି ଭାରତକୁ ୫ ୱିକେଟରେ ଜିତାଇଛନ୍ତି । ରାହୁଲଙ୍କ ସହ ରବୀନ୍ଦ୍ର ଜାଡେଜା ମଧ୍ୟ ଦମଦାର ବ୍ୟାଟିଂ କରି ଅପରାଜିତ ୪୫ ରନର ଇନିଂସ ଖେଳିଛନ୍ତି। ଏହି ବିଜୟ ସହ ଟିମ ଇଣ୍ଡିଆ ୩ଟିକିଆ ଦିନିକିଆ ସିରିଜରେ ୧-୦ରେ ଆଗୁଆ ହୋଇ ଯାଇଛି। ଆସନ୍ତା ୧୯ ତାରିଖରେ ବିଶାଖାପଟନମରେ ଖେଳାଯିବ ଦ୍ଵିତୀୟ ଦିନିକିଆ।
ମ୍ୟାଚରେ ଭାରତ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରୁଥିବା ଅଷ୍ଟ୍ରେଲିଆ ଆରମ୍ଭରୁ ଟ୍ରାଭିସ ହେଡଙ୍କୁ ହରାଇ ଝଟକା ପାଇଥିଲା । ତେବେ ମିଚେଲ ମାର୍ସ ଓ ଷ୍ଟିଭେନ ସ୍ମିଥ ଲଢୁଆ ବ୍ୟାଟିଂ କରି ଦଳୀୟ ସ୍କୋରକୁ ଆଗେଇ ନେଇଥିଲେ । ମାର୍ସ ୮୧ ରନ କରି ରବୀନ୍ଦ୍ର ଜାଦେଜାଙ୍କ ବଲରେ ଆଉଟ ହୋଇଥିଲେ । ସ୍ମିଥ ୨୨ରନ କରିଥିଲେ । କିନ୍ତୁ ଏହା ପରେ ଦଳର ବ୍ୟାଟିଂ ବିପର୍ଯ୍ୟୟ ଆରମ୍ଭ ହୋଇଥିଲା । ଦଳର ମଧ୍ୟକ୍ରମ ବ୍ଯାଟରମାନେ ସଂପୂର୍ଣ୍ଣ ବିଫଳ ହୋଇଥିଲେ । କେବଳ ଇଙ୍ଗଲିସ୍ ୨୬ ରନ କରିଥିବାବେଳେ ଲାବୁସଚେନ ୧୫ରନ କରିଥିଲେ । ଗ୍ଲେନ ମାକ୍ସଓ୍ବେଲ ମାତ୍ର ୮ ରନ କରି ଆଉଟ ହୋଇଥିଲେ । ମୁମ୍ବାଇର ୱାଙ୍ଖେଡେରେ ଖେଳା ଯାଉଥିବା ଏହି ମ୍ୟାଚ୍ରେ ପ୍ରଥମେ ଟିମ ଇଣ୍ଡିଆର ଦୁଇ ମହମ୍ମଦ କମାଲ କରିଥିଲେ। ମହମ୍ମଦ ସିରାଜ ଓ ମହମ୍ମଦ ଶାମି ମିଳିତ ଭାବେ ୬ ୱିକେଟ ଦଖଲ କରିବା ସହ ଅଷ୍ଟ୍ରେଲିଆର ରନ ହାରରେ ବ୍ରେକ ଲଗାଇ ଦେଇଥିଲେ। ଜାଡେଜା ମଧ୍ୟ ବୋଲିଂରେ ନିଜର କଳା ଦେଖାଇ ୨ଟି ୱିକେଟ ଦଖଲ କରିଥିଲେ। ହାର୍ଦ୍ଦିକ ପାଣ୍ଡ୍ୟା ଓ କୁଲଦୀପ ଯାଦବ ଗୋଟିଏ ଲେଖାଏ ସଫଳତା ପାଇଥିଲେ। ଅଷ୍ଟ୍ରେଲିଆ ପକ୍ଷରୁ ମିଚେଲ ମାର୍ଶ ୮୧ ରନର ଇନିଂସ ଖେଳିଥିଲେ ମଧ୍ୟ ପୂରା ଟିମ ୩୫.୪ ଓଭରରେ ୧୮୮ ରନ କରି ଅଲଆଉଟ ହୋଇଯାଇଥିଲା।
୧୮୯ ରନର ଟାର୍ଗେଟ ମିଳିଥିବାରୁ ଭାରତ ବେଶ ସହଜରେ ମ୍ୟାଚ ଜିତି ନେବ ବୋଲି ସମସ୍ତେ ଆଶା କରିଥିଲେ। ହେଲେ ମିଚେଲ ଷ୍ଟାର୍କ ଓ ମାର୍କସ ଷ୍ଟୋଇନିସ ଭାରତର ସବୁ ଯୋଜନାରେ ପାଣି ପକାଇ ଦେଇଥିଲେ। ଷ୍ଟୋଇନିସ ଦ୍ୱିତୀୟ ଓଭରରେ ହିଁ ଈଶାନ କିଶନ(୩)ଙ୍କୁ ଆଉଟ କରିଥିଲେ। ଏହାପରେ ଷ୍ଟାର୍କ ୫ମ ଓଭର ୫ମ ବଲରେ ବିରାଟ କୋହଲି(୪) ଓ ୬ଷ୍ଠ ବଲରେ ସୂର୍ଯ୍ୟ କୁମାର ଯାଦବ(୦)ଙ୍କୁ ଆଉଟ କରି ଭାରତକୁ ଝଟକା ଦେଇଥିଲେ। ଶୁବମନ ଗିଲ କିଛି ଭଲ ଶଟ ମାରିଥିଲେ ହେଁ ୨୦ ରନ କରି ଷ୍ଟାର୍କଙ୍କ ତୃତୀୟ ଶିକାର ବନିଥିଲେ। ୩୯ ରନରେ ଦଳ ୪ଟି ୱିକେଟ ହରାଇ ସଙ୍କଟରେ ପଡ଼ିଥିଲା। ଏହି ସମୟରେ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସହ ମିଶି ରାହୁଲ ପାଳି ସମ୍ଭାଳିବାକୁ ଚେଷ୍ଟା କରିଥିଲେ। କିନ୍ତୁ ପାଣ୍ଡ୍ୟା ୨୫ ରନ କରିଥିବା ବେଳେ ତାଙ୍କୁ ଷ୍ଟୋଇନିସ ଜବରଦସ୍ତ ବାଉନ୍ସର ମାଧ୍ୟମରେ ଆଉଟ କରି ଦେଇଥିଲେ। ୮୩ ରନରେ ଦଳ ୫ ଜଣ ବ୍ୟାଟରଙ୍କୁ ହରାଇଥିଲା। ରାହୁଲ କ୍ରିଜରେ ଥିଲେ ମଧ୍ୟ ଫର୍ମ ପାଇଁ କିଛି ସମୟ ସଂଘର୍ଷ କରିଥିଲେ। ତାଙ୍କୁ ଜାଡେଜାଙ୍କ ସାଥ ମିଳିଥିଲା। ଉଭୟ ବେଶ ସତର୍କତାର ସହ ବ୍ୟାଟିଂ କରି ପ୍ରଥମେ କିଛି ସମୟ ପିଚ୍ରେ ବିତାଇଥିଲେ। ଏହାପରେ ରାହୁଲ ତାଙ୍କର ଅସଲ ଜଲୱା ଦେଖାଇଥିଲେ। ସେ ଦମଦାର ଶଟ ମାରି ୭୩ଟି ବଲରେ ନିଜର ଅର୍ଦ୍ଧଶତକ ହାସଲ କରିଥିଲେ। ଏହାପରେ ସେ କାମେରନ ଗ୍ରୀନଙ୍କୁ ୪ ଓ ଆଡାମ ଜାମ୍ପାଙ୍କୁ ୬କା ମାରି ନିଜର ବିସ୍ଫୋରକ ରୂପ ଦେଖାଇଥିଲେ। ଗୋଟିଏ ପଟେ ରାହୁଲ ଖୋଲା ଶଟ ଖେଳୁଥିବା ବେଳେ ଜାଡେଜା ତାଙ୍କୁ ଭରପୂର ସହଯୋଗ କରିଥିଲେ। ଶେଷରେ ଉଭୟ ଅପରାଜିତ ରହି ଭାରତକୁ ମ୍ୟାଚ୍ ଜିତାଇଥିଲେ। ୬ଷ୍ଠ ୱିକେଟ ପାଇଁ ରାହୁଲ ଓ ଜାଡେଜା ଅପରାଜିତ ୧୦୯ ରନ ଯୋଡ଼ିଛନ୍ତି। ଦଳକୁ ଜିତିବା ପାଇଁ ୬ ରନ ଦରକାର ଥିବା ବେଳେ ଜାଡେଜା ଦ୍ରୁତ ବୋଲର ଷ୍ଟାର୍କଙ୍କୁ ୨ଟି ଚୌକା ମାରି ବିଜୟ ମୁଣ୍ଡି ମାରିଛନ୍ତି। ଟାର୍ଗେଟ ୧୮୯ ଥିବା ବେଳେ ଭାରତ ୩୯.୫ ଓଭରରେ ୫ ୱିକେଟ ହରାଇ ୧୯୧ ରନ ନେଇଥିଲା। ରାହୁଲ ତାଙ୍କ ୭୫ ରନ ଇନିଂସରେ ୭ଟି ଚୌକା ଓ ଗୋଟିଏ ଛକା ମାରିଛନ୍ତି। ସେହିପରି ଜାଡେଜା ୫ଟି ଚୌକା ସହ ଅପରାଜିତ ୪୫ ରନ କରିଛନ୍ତି। ଅଷ୍ଟ୍ରେଲିଆ ପକ୍ଷରୁ ଷ୍ଟାର୍କ ୩ଟି ୱିକେଟ ନେଇଥିବା ବେଳେ ଷ୍ଟୋଇନିସ ୨ଟି ସଫଳତା ପାଇଛନ୍ତି।
