ପ୍ରତ୍ୟାହାର ହେଲା ଡ୍ରାଇଭରଙ୍କ ଆନ୍ଦୋଳନ
ଭୁବନେଶ୍ୱର : ଡ୍ରାଇଭରଙ୍କ ଆନ୍ଦୋଳନ ପ୍ରତ୍ୟାହାର ହୋଇଛି । ଡ୍ରାଇଭର ମହାସଂଘ ଆନ୍ଦୋଳନକୁ ସ୍ଥଗିତ ରଖିଛି ବୋଲି ସଭାପତି ପ୍ରଶାନ୍ତ ମେଣ୍ଡୁଲି ଘୋଷଣା କରିଛନ୍ତି। ଲିଖିତ ପ୍ରତିଶ୍ରୁତି ମିଳିଲା ପରେ ଏହି ନିଷ୍ପତ୍ତି ନେଇଛି ଡ଼୍ରାଇଭର ମହାସଂଘ । ପୂର୍ବରୁ ଆନ୍ଦୋଳନରୁ ଓହରିବା ପାଇଁ ମହାସଂଘକୁ ମିଳିତ ଭାବେ ମୁଖ୍ୟ ଶାସନ ସଚିବ ଓ ପୋଲିସ ଡିଜି ଅପିଲ କରିଥିଲେ। ଆଜି ଡ୍ରାଇଭର ଆନ୍ଦୋଳନ ତୃତୀୟ ଦିନରେ ପହଞ୍ଚିଥିଲା ।
ବିଭିନ୍ନ ଦାବି ନେଇ ବୁଧବାରଠାରୁ ଷ୍ଟିୟରିଂ ଛାଡ ଆନ୍ଦୋଳନ ଆରମ୍ଭ କରିଥିଲା ଡ୍ରାଇଭର ମହାସଂଘ। ଅବଶ୍ୟ କେତେକ ସଂଘ ଏହି ଆନ୍ଦୋଳନକୁ ସମର୍ଥନ କରିନଥିଲେ। ଘରୋଇ ବସ୍ ମାଲିକ ସଂଘ ଓ ରାଜ୍ୟ ଟ୍ରକ ମାଲିକ ସଂଘ ଆନ୍ଦୋଳନରୁ ଦୂରେଇ ରହିଥିଲେ। ଗୁରୁବାର ଡ୍ରାଇଭର ମହାସଂଘର କର୍ମକର୍ତ୍ତାଙ୍କ ସହ ଆଲୋଚନା କରିଥିଲେ ମୁଖ୍ୟ ଶାସନ ସଚିବ । ଆସନ୍ତା ତିନି ମାସରେ ଡ୍ରାଇଭରଙ୍କ ଦାବି ପୂରଣ ହେବ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ମୁଖ୍ୟ ଶାସନ ସଚିବ ବିବୃତି ଜାରି କରିଥିଲେ । ତିନି ମାସ ସମୟ ଅଧିକ ବୋଲି ଭାବି ପୁଣି ଆନ୍ଦୋଳନ କରିଥିଲୁ । ଡ୍ରାଇଭରଙ୍କ ଆନ୍ଦୋଳନ ଯୋଗୁ ପରିବା ଦର ବଢ଼ିଥିବା ବେଳେ ପେଟ୍ରୋଲର ଅଭାବ ଦେଖାଦେଇଛି ।ମାତ୍ର ଆଜି ଗଣମାଧ୍ୟମରେ ପୁଣି ମୁଖ୍ୟ ଶାସନ ସଚିବ ନିବେଦନ କରିବା ପରେ ଆନ୍ଦୋଳନ ସ୍ଥଗିତ ରଖିଛୁ ବୋଲି ଡ୍ରାଇଭର ମହାସଂଘ ସଭାପତି କହିଛନ୍ତି।
ସୂଚନା ଯେ, ୧୦ ଦଫା ନେଇ ଗତ ୩ ଦିନ ହେବ ଡ୍ରାଇଭରମାନେ ଷ୍ଟିୟରିଂ ଛାଡ୍ ଆନ୍ଦୋଳନ କରୁଥିଲେ। ଫଳରେ ଯାନବାହାନ ଚଳାଚଳ ସ୍ୱଭାବିକ ହୋଇପାରୁନି। ଜରୁରୀ ଜିନିଷ ମଧ୍ୟ ରାଜ୍ୟରେ ପହଞ୍ଚି ପାରୁନି। ଡ୍ରାଇଭରମାନେ ରାଜରାସ୍ତା ବିଭିନ୍ନ ସ୍ଥାନରେ ଆନ୍ଦୋଳନ କରୁଥିବାରୁ ଆଇନଶୃଙ୍ଖଳା ପରିସ୍ଥିତି ମଧ୍ୟ ସୃଷ୍ଟି ହୋଇଛି। ଆନ୍ଦୋଳନରୁ କ୍ଷାନ୍ତ ରହିବାକୁ ଡ୍ରାଇଭରମାନଙ୍କୁ ନିବେଦନ କରିଥିଲେ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା। ଆଜି ଏକ ଭିଡିଓ ବାର୍ତ୍ତା ଜାରି କରି ମୁଖ୍ୟ ସଚିବ କହିଥିଲେ, ଡ୍ରାଇଭରଙ୍କ ଦାବି ଯଥାର୍ଥ । ଏ ସବୁ ପୂରଣ ପାଇଁ ସରକାର ୩ ମାସ ସମୟ ନେଇଛି। ସେପଟେ ଆନ୍ଦୋଳନରତ ଡ୍ରାଇଭରଙ୍କୁ ସତର୍କ ଚେତାବନୀ ଦେଇଥିଲେ ଡିଜିପି ସୁନୀଲ ବଂଶଲ। ସେ କହିଛନ୍ତି, ପ୍ରତିଶ୍ରୁତି ସତ୍ତ୍ୱେ ଡ୍ରାଇଭର ମହାସଂଘ ଆନ୍ଦୋଳନ କରୁଛନ୍ତି। ଏହା ବେଆଇନ୍। ଗତକାଲି ପୂଲିସକୁ ଆକ୍ରମଣ ହୋଇଛି। ଆଇନକୁକୁ ହାତକୁ ନିଆଯାଇଛି। ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଥିଲେ। ସେହିପରି ଡ୍ରାଇଭରମାନଙ୍କଠାରୁ ସହଯୋଗ ଲୋଡିଥିଲେ ପରିବହନ ମନ୍ତ୍ରୀ ଟୁକୁନୀ ସାହୁ ।
ଡ୍ରାଇଭର ମହାସଂଘ ପକ୍ଷରୁ ରଖାଯାଇଥିବା ଦାବିଗୁଡ଼ିକ ହେଲା ଡ୍ରାଇଭରମାନଙ୍କୁ କରୋନା ଯୋଦ୍ଧାର ମାନ୍ୟତା, ଲୋକଙ୍କ ଆକ୍ରୋସର ଶିକାର ହେଉଥିବା ଡ୍ରାଉଭରଙ୍କ ସୁରକ୍ଷା ନିମନ୍ତେ ସ୍ୱତନ୍ତ୍ର ଆଇନ ଆଣିବା, ୫୫ ବର୍ଷ ବୟସ ପରେ ମାସିକ ୫ ହଜାର ଟଙ୍କା ପେନସନ୍ ପ୍ରଦାନ ସହ ଗୃହ ନିର୍ମାଣ ନିମନ୍ତେ ୫ ଲକ୍ଷ ସହାୟତା ପ୍ରଦାନ, ରାସ୍ତାର ୧୦୦ କିମି ଅନ୍ତରରେ ଡ୍ରାଇଭରମାନଙ୍କ ନିମନ୍ତେ ବିଶ୍ରାମାଗାର ଓ ଗାଡି ପାର୍କିଂ ସ୍ଥଳ ନିର୍ମାଣ, ଦୁର୍ଘଟଣାରେ ପ୍ରାଣ ହରାଉଥିବା ଡ୍ରାଇଭରଙ୍କୁ ୨୦ ଲକ୍ଷ ଟଙ୍କା ବୀମା ଓ ଅର୍କମନ୍ୟ ହେଲେ ୧୦ ଲକ୍ଷର ବୀମା ସହ ଚିକିତ୍ସା ସହାୟତା, ଡ୍ରାଇଭର ସଂଖ୍ୟା ସର୍ଭେ ଓ କାର୍ଯ୍ୟ ସମୟସୀମା ଧାର୍ଯ୍ୟ କରିବା, ଡ୍ରାଇଭରଙ୍କୁ ଦ୍ୱିତୀୟ ସୈନିକ ମାନ୍ୟତା, ଡ୍ରାଇଭରଙ୍କ ପିଲାମାନଙ୍କ ଉଚ୍ଚଶିକ୍ଷାର ବ୍ୟବସ୍ଥା କରିବା, ଗାଡ଼ି ଚେକିଂ ଆଳରେ ଡ୍ରାଇଭରଙ୍କୁ ହଇରାଣ ନକରିବା ଏବଂ ଡ୍ରାଇଭିଂ ଲାଇସେନ୍ସ ୧୫ ହଜାର ଟଙ୍କାରୁ କମାଇବା।
