ମୌସୁମୀ ଯୋଗୁଁ ଜୁନରେ ୩୭%ରୁ ଅଧିକ ବର୍ଷା : ଆଇଏମଡି
ନୂଆଦିଲ୍ଲୀ : ଚଳିତବର୍ଷ ଭାରତ କେବଳ ସଅଳ ନୁହେଁ ସକ୍ଷମ ମୌମୁମୀ ପାଇ ଥିବା ନେଇ ସୂଚନା ଦେଇଛନ୍ତି ଭାରତୀୟ ପାଣିପାଗ ବିଭାଗ (ଆଇଏମଡି)। ଜୁନ ପହିଲାରେ ମୌସୁମୀ ଭାରତ ମୁଖ୍ୟ ଭୂ-ଭାଗକୁ ପହଞ୍ଚିଥିଲା ପରଠାରୁ ଏପର୍ଯ୍ୟନ୍ତ ଦେଶକୁ ୩୭%ରୁ ବି ଅଧିକ ବର୍ଷା ଦେଲାଣି ବୋଲି ବିଭାଗ ଏକ ବିବୃତ୍ତିରେ କହିଛନ୍ତି। ଦୀର୍ଘାବଧି ହାରାହାରି (ଏଲପିଏ)ରେ ଆଇଏମଡି ଏହି ଆକଳନ କରିଛନ୍ତି।
ସାଧାରଣତଃ ଜୁନ୍ ୨୧ ସୁଧା ଦେଶରେ ୧୦.୫ ସେଣ୍ଟିମିଟର ବର୍ଷା ହେବା କଥା । ହେଲେ ଚଳିତବର୍ଷ ମୌସୁମୀ ଅଧିକ ସାହାଯ୍ୟ ହୋଇଛି । ଏଣୁ ୧୩.୭୮ ମିଲିମିଟରରୁ ବି ଅଧିକ ବୃଷ୍ଟିପାତ ମିଳିଲାଣି। ଏହି ଅବଧିରେ ଉତ୍ତର-ପଶ୍ଚିମ ଭାରତ ୭୧.୩ ମିଲିମିଟର ବର୍ଷା ପାଇଛି। ସାଧାରଣତଃ ଏହି ଅବଧିରେ ସର୍ବାଧିକ ୪୦.୬ ମିଲିମିଟର ବର୍ଷା ମିଳିପାରିଥାଏ। ସେହିପରି କେନ୍ଦ୍ରୀୟ ଭାରତର ସାଧାରଣ ୯୨.୨ ମିଲିମିଟର ସ୍ଥାନରେ ୧୪୫.୮ ମିଲିମିଟର ବର୍ଷା ପାଇଥିବା ଆଇଏମଡି ସୂଚିତ କରିଛନ୍ତି। ଏହି ସମୟରେ ଦକ୍ଷିଣ ପ୍ରାୟୋଦିପରେ ୧୩୩.୬ ମିଲିମିଟର ବୃଷ୍ଟିପାତ ହୋଇଛି, ଯାହା ସାଧାରଣରୁ ୨୪ ପ୍ରତିଶତ ଅଧିକ, ପୂର୍ବ ଓ ଉତ୍ତର-ପୂର୍ବ ଭାରତ ସାଧାରଣ ୨୨୪.୮ ମିଲମିଟର ସ୍ଥାନରେ ୨୫୩.୯ ମିଲମିଟରରୁ ବି ଅଧିକ ବୃଷ୍ଟି ପାଇଛି। ଚଳିତବର୍ଷ ପାଣିପାଗ ବିଭାଗକଙ୍କ ପୂର୍ବାନୁମାନର ୨ ଦିନ ବିଳମ୍ବରେ ମୌସୁମୀ କେରଳ ଛୁଇଁଥିଲା। ହେଲେ ୭ରୁ ୧୦ ଦିନ ମଧ୍ୟରେ ଦେଶର ଅଧିକାଂଶ ରାଜ୍ୟକୁ ସଞ୍ଚରି ଯାଇଛି। ଏଣୁ ସାରା ଦେଶରେ ଏବେ ମୌସୁମୀ ବର୍ଷା ଆରମ୍ଭ ହୋଇଥିବା ବେଳେ କେବଳ ଦିଲ୍ଲୀ, ରାଜସ୍ଥାନର କିଛି ଅଂଶ, ହରିୟାଣା ଓ ପଞ୍ଜାବକୁ ଆଗାମୀ ସପ୍ତାହ ବେଳକୁ ମୌସୁମୀ ପହଞ୍ଚିବ ବୋଲି ପାଣିପାଗ ବିଭାଗ ଆକଳନ କରିଛନ୍ତି।
