ବାଲେଶ୍ୱରରୁ ଚାନ୍ଦିପୁର ଜଳଯାତ୍ରା ଆରମ୍ଭ, ଉତ୍ସବ ସହ ମିଳିବ ରାତ୍ରିଯାପନ ସୁବିଧା
ବାଲେଶ୍ୱର : ବାଲେଶ୍ୱରରେ ଆରମ୍ଭ ହେଲା କ୍ରୁଜ୍ ଟୁର୍ର ମଜା । ଫଳରେ ପାଣି ଭିତରେ ବିଳାସପୂର୍ଣ୍ଣ ପରିଭ୍ରମଣର ମଜା ନେବେ ପର୍ଯ୍ୟଟକ । ବୁଢ଼ାବଳଙ୍ଗ ନଦୀର ବାଲିଘାଟ ନିକଟରେ ଏହି ସୁସଜ୍ଜିତ ବିଳାସପୂର୍ଣ୍ଣ କ୍ରୁଜ୍ର ଉଦ୍ଘାଟନ ହୋଇଛି । ବାଲେଶ୍ୱରର ଅତିରିକ୍ତ ଜିଲାପାଳ ନିଲୁ ମହାପାତ୍ର ଏହାକୁ ଉଦ୍ଘାଟନ କରି ଲୋକଙ୍କ ମନୋରଞ୍ଜନ ପାଇଁ ଏଭଳି ପ୍ରୟାସ ସ୍ୱାଗତଯୋଗ୍ୟ ବୋଲି କହିଥିଲେ ।
ଏହି କ୍ରୁଜ୍ରେ ଉତ୍ସବ ସହ ମିଳିବ ରାତ୍ରିଯାପନ ସୁବିଧା । ଏଥିସହ ରହିବା ଓ ଖାଇବା ସହିତ ପ୍ରାକୃତିକ ଦୃଶ୍ୟକୁ ମନୋଭରି ଉପଭୋଗ କରିବେ ପର୍ଯ୍ୟଟକ । ରାତ୍ରୀଯାପନର ସୁବିଧା ସହିତ ବିଭିନ୍ନ ଉତ୍ସବ ମନାଇବାର ମଧ୍ୟ ସୁବିଧା ରହିଛି । ବିଶେଷ କରି ସନ୍ଧ୍ୟା ସମୟରେ ଏହାର ମଜା ନେବେ ପର୍ଯ୍ୟଟକ । ଏଣିକି ପ୍ରତିଦିନ ଅପରାହ୍ନ ୪ଟାରେ ବାଲିଘାଟ ଠାରୁ ଚାନ୍ଦିପୁର ପର୍ଯ୍ୟନ୍ତ ପର୍ଯ୍ୟଟକଙ୍କୁ ନେଇ ନଦୀ ଭିତରେ ୩ ଘଣ୍ଟା ରହଣି ପରେ ପୁଣି ଘାଟକୁ ଫେରିବ । ଏଥିରେ ଜଣେ ଲୋକ ପାଇଁ ୫ ଶହ ଟଙ୍କା ଭଡ଼ା ରହିଛି । ଯେଉଁଥିରେ ପର୍ଯ୍ୟଟକଙ୍କ ପାଇଁ ଥଣ୍ଡା ପାନୀୟ ସହିତ ଖାଇବାର ସୁବିଧା ମଧ୍ୟ ରହିଛି । ସେହିପରି ୨୪ ଘଣ୍ଟା ରୁମ୍ ବୁକିଂ ପାଇଁ ୫ ହଜାର ଟଙ୍କା ଏବଂ ଏଥିରେ ପାର୍ଟିର ଆୟୋଜନ କରିବାକୁ ଚାହିଁଲେ ୩ ଘଣ୍ଟା ପାଇଁ ୨୫ ହଜାର ଟଙ୍କା ଭଡ଼ା ରହିଛି । ଏଥିରେ ୫୦ ଜଣଙ୍କ ପାଇଁ ବ୍ୟବସ୍ଥା କରାଯାଇଛି । ଏଥିରେ ୬ଟି ରୁମ୍ ରହିଥିବା ବେଳେ ପ୍ରତି ରୁମ୍ ସହିତ ଶୌଚାଳୟର ବ୍ୟବସ୍ଥା ରହିଛି । ଅତିଥି ଭାବେ ଜିଲା କ୍ରୀଡ଼ା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ଜେନା, ଜିଲା ପର୍ଯ୍ୟଟନ ଅଧିକାରୀ ଗଗନ କୁମାର ସାହୁ, ବାସ୍ତୁବିତ୍ ପଣ୍ଡିତ ମନ୍ମଥ ମିଶ୍ର, ସ୍ଥାନୀୟ କାଉନ୍ସିଲର ମୀନା ମହାନ୍ତି, କାଉନସିଲର ଅନିନ୍ଦେୟ ପଣ୍ଡା, ସଞ୍ଜୟ କୁମାର ସାହୁ ପ୍ରମୁଖ ଯୋଗ ଦେଇଥିଲେ । ଦେବାଶିଷ ମଲ୍ଲିକ, ହେମନ୍ତ ରାଜ, ଶୁଭଙ୍କର ପିରୀ, କାର୍ତ୍ତିକ ଭଟ୍ଟାଚାର୍ଯ୍ୟ, ନମିତା ବେହେରା, ସତ୍ୟଜିତ ପରିଡ଼ା, ସନ୍ତୋଷ ନାୟକ ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।
ବାଲେଶ୍ୱରରେ ପ୍ରଥମ ଥର ପାଇଁ ଏଭଳି ଏକ ନିଆରା ପଦକ୍ଷେପ ନେଇଛନ୍ତି ଯୁବ ବ୍ୟବସାୟୀ ତଥା ଚଳଚ୍ଚିତ୍ର ଅଭିନେତା ଡାକ୍ତର ଦେବବ୍ରତ ପ୍ରଧାନ । ଜଣେ ସଫଳ ବ୍ୟବସାୟୀ ସହିତ ଚଳଚ୍ଚିତ୍ର ‘ପ୍ରେମ ତୋର ନଟି ନଟି’ ରେ ମୁଖ୍ୟ ଅଭିନେତା ଭାବେ ଅଭିନୟ କରିଛନ୍ତି ଶ୍ରୀ ପ୍ରଧାନ । ଇନ୍ ଲାଣ୍ଡ ୱାଟର ଟ୍ରାନ୍ସପୋର୍ଟ ଠାରୁ ଅନୁମତି ନେଇ ସେ ଏହି କ୍ରୁଜ୍ ସେବା ଆରମ୍ଭ କରିଛନ୍ତି । ଏହି କ୍ରୁଜ୍କୁ ତିଆରି କରିବା ପାଇଁ ବଳରାମଗଡ଼ିର ୧୫ ଜଣ କାରିଗର ବର୍ଷେ ହେଲା କାମରେ ଲାଗିଥିଲେ ।
ଏନେଇ ଡାକ୍ତର ଦେବବ୍ରତ ପ୍ରଧାନ କହନ୍ତି, ବାଲିଘାଟରୁ ଲୋକଙ୍କୁ ନେବା ଓ ଆଣିବା ପାଇଁ ସ୍ୱତନ୍ତ୍ର ପାହାଚର ବ୍ୟବସ୍ଥା ନାହିଁ । ଏବେ ବାଉଁଶ ପୋଲ ତିଆରି କରି ଯାତାୟାତର ସୁବିଧା କରାଯାଇଛି । ପାହାଚର ସୁବିଧା ହେଲେ ଆହୁରି ଭଲ ହୋଇପାରନ୍ତା । ପର୍ଯ୍ୟଟକଙ୍କ ଚାହିଦା ବଢ଼ିଲେ ଆଗାମୀ ଦିନରେ ଏହି କ୍ରୁଜ୍ ଟୁର୍କୁ ପୁରୀ ପର୍ଯ୍ୟନ୍ତ ନିଆଯିବ ବୋଲି ସେ କହିଛନ୍ତି ।
