ଡ୍ର’ରେ ସରିଲା ଚତୁର୍ଥ ଟେଷ୍ଟ, ୨-୧ରେ ବର୍ଡର-ଗାଭାସ୍କର ଟ୍ରଫି ଜିତିଲା ଭାରତ
ଅହମ୍ମଦାବାଦ : ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯାଇଥିବା ବର୍ଡର ଗାଭାସ୍କର ଟ୍ରଫିର ଚତୁର୍ଥ ତଥା ନିର୍ଣ୍ଣାୟକ ମ୍ୟାଚ୍ ଡ୍ର । ଏଥିସହ ୪ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ଶୃଙ୍ଖଳାକୁ ଭାରତ ୨-୧ରେ ଜିତି ନେଇଛି। ପ୍ରଥମ ଏବଂ ଦ୍ୱିତୀୟ ମ୍ୟାଚ୍ ଭାରତ ଜିତିଥିଲା। ତୃତୀୟ ମ୍ୟାଚ୍ରେ ଅଷ୍ଟ୍ରେଲିଆ ବିଜୟ ପଥକୁ ଫେରିଥିଲା।
ଦ୍ଵିତୀୟ ଇନିଂସରେ ଅଷ୍ଟ୍ରେଲିଆ ୨ ଓ୍ଵିକେଟ୍ ହରାଇ ୧୭୫ ରନ କରିବା ସହ ପଞ୍ଚମ ଦିନର ଖେଳ ଶେଷ ହୋଇଛି। ଚତୁର୍ଥ ଟେଷ୍ଟ ଡ୍ର ହେବା ସହ ଭାରତ ବିଶ୍ଵ ଟେଷ୍ଟ ଚାମ୍ପିଅନସିପର ଫାଇନାଲ୍ରେ କ୍ରମାଗତ ଦ୍ଵିତୀୟ ଥର ପ୍ରବେଶ କରିଛି। ଅଷ୍ଟ୍ରେଲିଆର ପ୍ରଥମ ଇନିଂସ ୪୮୦ ରନ ଜବାବରେ ଭାରତ ପ୍ରଥମ ଇନିଂସରେ ୫୭୧ ରନ କରିଥିଲା। ଦଳ ପକ୍ଷରୁ ବିରାଟ କୋହଲି ୧୮୬ ରନର ଦମଦାର ଇନିଂସ ଖେଳିଥିବା ବେଳେ ଶୁଭମନ ଗିଲ୍ ୧୨୮ ରନ କରିଥିଲେ। ଅକ୍ଷର ପଟେଲ୍ ୭୯ ରନ କରିଥିଲେ।

ଚତୁର୍ଥ ମ୍ୟାଚ୍ରେ ଅଷ୍ଟ୍ରେଲିଆ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତି ନେଇଥିଲା। ପ୍ରଥମ ପାଳିରେ ଅଷ୍ଟ୍ରେଲିଆ ୪୮୦ ରନ୍ ସଂଗ୍ରହ କରିଥିଲା। ଏହାର ଜବାବରେ ଭାରତ ଏହାର ପ୍ରଥମ ପାଳିରେ ୫୭୧ ରନ୍ ସ୍କୋର କରିଥିଲା। ଏହିପରି ଭାବେ ଭାରତକୁ ୯୧ ରନ୍ର ଅଗ୍ରଣୀ ମିଳିଥିଲା। ପଞ୍ଚମ ଦିନରେ ଅଷ୍ଟ୍ରେଲିଆକୁ ପ୍ରଥମେ ଝଟକା କୁହେମାନ ଭାବରେ ହରାଇଥିଲା। ଏହାପରେ ଟ୍ରାଭିସ୍ ହେଡ୍ ତାଙ୍କର ଅର୍ଦ୍ଧଶତକ ପୁରଣ କରିଥିଲେ। ମାର୍ନୁସ୍ ଲାବୁଶେନ୍ ଏହି ସିରିଜରେ ୧୫୦ ବଲରେ ନିଜର ପ୍ରଥମ ଅର୍ଦ୍ଧଶତକ ପୂରଣ କରିଥିଲେ। ହେଡ୍ ୯୦ ରନ୍ ସ୍କୋର କରି ଆଉଟ୍ ହୋଇଥିଲେ। ତେବେ ମ୍ୟାଚ୍ ଶେଷ ବେଳକୁ ଲାବୁଶେନ୍ ୬୩ ଏବଂ ସ୍ମିଥ୍ ୧୦ ରନ୍ ସ୍କୋର କରିବା ପରେ ଅପରାଜିତ ରହିଥିଲେ। ଅଷ୍ଟ୍ରେଲିଆ ୨ ୱିକେଟ୍ ହରାଇ ୧୭୫ ରନ୍ ସଂଗ୍ରହ କରିଥିଲେ। ତେବେ ଅହମ୍ମଦାବାଦ ଟେଷ୍ଟର ଶେଷ ଦିନରେ ଟିମ ଇଣ୍ଡିଆପାଇଁ ନ୍ୟୁଜିଲାଣ୍ଡରୁ ଭଲ ଖବର ଆସିଥିଲା। କ୍ରାଇଷ୍ଟଚର୍ଚ୍ଚରେ ଶ୍ରୀଲଙ୍କା-ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟରେ ଶ୍ରୀଲଙ୍କାକୁ ମାତ୍ ଦେବା ପରେ ବିଶ୍ୱ ଟେଷ୍ଟ ଚମ୍ପିଆନସିପ ଫାଇନାଲରେ ଏଣ୍ଟ୍ରି କରିଛି ଭାରତ। ଅର୍ଥାତ୍ ଚଳିତବର୍ଷ ଟେଷ୍ଟ ଚମ୍ପିଆନସିପ ଫାଇନାଲରେ ଟ୍ରଫି ପାଇଁ ଅଷ୍ଟ୍ରେଲିଆକୁ ଭେଟିବ ରୋହିତ ସେନା। ଗତ ଚମ୍ପିଆନସିପରେ ନ୍ୟୁଜିଲାଣ୍ଡ ସହ ଭାରତ ଫାଇନାଲରେ ପ୍ରବେଶ କରିଥିଲା। ଚଳିତବର୍ଷ ପ୍ରଥମେ ଅଷ୍ଟ୍ରେଲିଆ ଫାଇନାଲରେ ପ୍ରବେଶ କରିଥିବା ବେଳେ ଭାରତ ଏବେ ପାଇଛି ଫାଇନାଲ ଟିକେଟ। ମ୍ୟାଚର ପଞ୍ଚମ ଓଭରରେ ନ୍ୟୁଜିଲାଣ୍ଡକୁ ୨୫୭ ରନର ବିଜୟ ଲକ୍ଷ୍ୟ ଥିବା ବେଳେ ଶ୍ରୀଲଙ୍କାକୁ ୯ ୱିକେଟର ଆବଶ୍ୟକତା ରହିଥିଲା। କିନ୍ତୁ ଶ୍ରୀଲଙ୍କା ବୋଲର ନ୍ୟୁଜିଲାଣ୍ଡର ବ୍ୟାଟ୍ସମ୍ୟାନଙ୍କ ସାମନାରେ ଫେଲ ମାରିଛନ୍ତି। କେନ୍ ୱିଲିୟମସନଙ୍କ ଶତକ(୧୨୧) ସହିତ ୮ ୱିକେଟ ହରାଇ ଏହି ଟାର୍ଗେଟ ହାସଲ କରିଥିଲା କିୱି ଦଳ। ଫଳରେ ଏହି ପରାଜୟ ଶ୍ରୀଲଙ୍କାର ରାଙ୍କିଙ୍ଗ ପଏଣ୍ଟରେ କମ୍ କରି ଦେଇଛି। ଯାହାର ଫାଇଦା ସିଧାସଳଖ ଭାବରେ ଟିମ ଇଣ୍ଡିଆକୁ ମିଳିଛି। ଭାରତର ପଏଣ୍ଟ ଅନୁସାରେ ଫାଇନାଲର ଟିକେଟ ହାସଲ କରିଛି ରୋହିତ ସେନା।
