ଯେଉଁ କାମ ଦିଗ୍ଗଜ ଖେଳାଳିମାନେ କରିପାରି ନାହାଁନ୍ତି, ସେହି କାମ କରିଦେଖାଇଲେ କେଏସ୍ ଭରତ
ନୂଆଦିଲ୍ଲୀ : ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ୪ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ ଚାଲିଛି । ଏହି ସିରିଜର ଶେଷ ତଥା ନିର୍ଣ୍ଣାୟକ ମ୍ୟାଚ ଅହମ୍ମଦାବାଦରେ ଜାରି ରହିଛି । ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଅହମ୍ମଦାବାଦ ଟେଷ୍ଟରେ ଚତୁର୍ଥ ଦିନରେ ଭାରତୀୟ ବ୍ୟାଟ୍ସମ୍ୟାନ୍ ଚମତ୍କାର ପ୍ରଦର୍ଶନ କରିଛନ୍ତି । ଟିମ୍ ଇଣ୍ଡିଆର ଷ୍ଟାର୍ ବ୍ୟାଟ୍ସମ୍ୟାନ୍ ବିରାଟ କୋହଲି ପ୍ରାୟ ତିନି ବର୍ଷ ପରେ ଟେଷ୍ଟରେ ଏକ ଶତକ ହାସଲ କରିଛନ୍ତି । ବିଶେଷ କଥା ହେଉଛି ଏହି ମ୍ୟାଚରେ ଟିମ୍ ଇଣ୍ଡିଆର ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ଶ୍ରୀକର ଭାରତ (ମଧ୍ୟ ଚମତ୍କାର ବ୍ୟାଟିଂ କରି ସିରିଜରେ ରେକର୍ଡ ସୃଷ୍ଟି କରିଛନ୍ତି ।
ବାସ୍ତବରେ, ବର୍ଡର-ଗାଭାସ୍କର ଟ୍ରଫିରେ ବିରାଟ କୋହଲି, ରୋହିତ ଶର୍ମା, ଷ୍ଟିଭ ସ୍ମିଥଙ୍କ ସମେତ ବଡ଼ ବଡ଼ ଦିଗ୍ଗଜ ଏହି ଚାରିଟି ମ୍ୟାଚ୍ରେ ଯେଉଁ କାର୍ଯ୍ୟ କରିପାରିନଥିଲେ ଶ୍ରୀକର ଭାରତ ତାହା କରିଦେଖାଇଛନ୍ତି । କାରଣ ଭରତ ଗୋଟିଏ ଓଭରରେ ୨୧ ରନ୍ କରିଥିଲେ । କେଏସ୍ ଭରତ ଏହି ଓଭରରେ ଏପରି ବ୍ୟାଟିଂ କରିଥିଲେ ଯେପରି ସେ ଟେଷ୍ଟ ନୁହେଁ ଟି-୨୦ କ୍ରିକେଟ୍ ଖେଳୁଛନ୍ତି ।
ଶ୍ରୀକର ଭରତ ଅଷ୍ଟ୍ରେଲୀୟ ଅଲରାଉଣ୍ଡର କ୍ୟାମେରନ୍ ଗ୍ରୀନଙ୍କ ଲେନ୍ଥ ଓ ଲାଇନକୁ ବିଗାଡ଼ି ଦେଇଥିଲେ । ଅଷ୍ଟ୍ରେଲୀୟ ବୋଲରମାନେ ବାଉନ୍ସର୍ ସହିତ ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ଉପରେ ଆକ୍ରମଣ କରୁଥିବାବେଳେ ଶ୍ରୀକର ଭରତ ପାଲଟା ଆକ୍ରମଣ କରି ପ୍ରଥମେ ଗ୍ରୀନଙ୍କ ଦୁଇଟି ବଲରେ ଚମତ୍କାର ଛକା ମାରିଥିଲେ ଓ ପରେ ଚୌକା ମାରିଥିଲେ । ଫଳରେ କ୍ୟାମେରନ୍ ଗ୍ରୀନ୍ ସମ୍ପୂର୍ଣ୍ଣ ଚାପରେ ଆସିଯାଇଥିଲେ ଓ ସେ ନୋ ବଲ୍ ମଧ୍ୟ ଫିଙ୍ଗି ଥିଲେ । କେଏସ୍ ଭରତ ୨ଟି ଚୌକା ଓ ୩ଟି ଛକା ସହାୟତାରେ ଗୋଟିଏ ଓଭରରେ ୨୧ ରନ୍ ସଂଗ୍ରହ କରିଥିଲେ ।
ବିରାଟ କୋହଲିଙ୍କ ସହ ଶ୍ରୀକର ଭରତ ଚମତ୍କାର ବ୍ୟାଟିଂ କରିଥିଲେ, ସେ କୋହଲିଙ୍କ ସହ ଏକ ଶତକୀୟ ପାର୍ଟନରଶିପ୍ ମଧ୍ୟ କରିଥିଲେ । ତେବେ ୮୮ଟି ବଲରେ ୪୪ ରନର ଇନିଂସ ଖେଳିବା ପରେ ଶ୍ରୀକର ଭରତ ଆଉଟ୍ ହୋଇଥିଲେ । ଏହି ସମୟ ମଧ୍ୟରେ ସେ ଚମତ୍କାର ଚୌକା ଓ ଛକା ମାରିଥିଲେ । ସେ ନିଜର ପ୍ରଥମ ଟେଷ୍ଟ ଅର୍ଦ୍ଧଶତକରୁ ମାତ୍ର ୬ ରନରେ ବଞ୍ଚିତ ହୋଇଥିଲେ ।
ଆପଣ ଜାଣି ଆଶ୍ଚର୍ଯ୍ୟ ହୋଇପାରନ୍ତି, କିନ୍ତୁ ଟିମ୍ ଇଣ୍ଡିଆର ଦ୍ରୁତ ବୋଲର ଜସପ୍ରୀତ ବୁମ୍ରା ଟେଷ୍ଟ କ୍ରିକେଟରେ ଏକ ଓଭରରେ ସର୍ବାଧିକ ରନ୍ ସ୍କୋର କରିବାର କାରନାମା କରିଛନ୍ତି । ସେ ଇଂଲଣ୍ଡ ବିପକ୍ଷରେ ଗୋଟିଏ ଓଭରରେ ୩୫ ରନ୍ ସଂଗ୍ରହ କରିଥିଲେ । ଏହି ସମୟ ମଧ୍ୟରେ ବୁମ୍ରା ୫ଟି ଚୌକା ଓ ୨ଟି ଛକା ମାରିଥିଲେ, ଗୋଟିଏ ବଲ ୱାଇଡ୍ ଓ ଗୋଟିଏ ବଲ ନୋ ବଲ ଥିଲା । ସେହିପରି ବୁମ୍ରା ଗୋଟିଏ ବଲରେ ୧ ରନ୍ ନେଇଥିଲେ । ଏହିପରି ଭାବରେ ବୁମ୍ରା ଏହି ବଡ଼ କାର୍ଯ୍ୟ କରିଥିଲେ ।
