ଚତୁର୍ଥ ଟେଷ୍ଟରେ ଇତିହାସ ରଚିଲା ଭାରତ, ହାସଲ କଲା ଏହି ରେକର୍ଡ
ଅହମ୍ମଦାବାଦ : ଅହମ୍ମଦାବାଦର ନରେନ୍ଦ୍ର ମୋଦୀ କ୍ରିକେଟ୍ ଷ୍ଟାଡିୟମରେ ଖେଳାଯାଉଥିବା ଚତୁର୍ଥ ତଥା ନିର୍ଣ୍ଣାୟକ ଟେଷ୍ଟରେ ଇତିହାସ ରଚିଲା ଭାରତୀୟ ଦଳ। ଭାରତୀୟ ଦଳ ଗୋଟିଏ ଟେଷ୍ଟ ଇନିଂସରେ ପ୍ରଥମ ଥର ପ୍ରଥମ ଓ୍ଵିକେଟ୍ରୁ ନେଇ ଷଷ୍ଠ ଓ୍ଵିକେଟ୍ ପର୍ଯ୍ୟନ୍ତ ସବୁ ଯୋଡି ୫୦ରୁ ଉର୍ଦ୍ଧ୍ଵ ରନର ଭାଗିଦାରୀ କରିବାର ରେକର୍ଡ କରିଛି। ଏ ପର୍ଯ୍ୟନ୍ତ କେବଳ ଅଷ୍ଟ୍ରେଲିଆ ଏବଂ ପାକିସ୍ତାନ ଦଳ ଏହି ରେକର୍ଡ କରିଥିବା ବେଳେ ବର୍ତ୍ତମାନ ଭାରତୀୟ କ୍ରିକେଟ୍ ଦଳ ନିଜ ନାମରେ କରିଛି।
ଭାରତ ପକ୍ଷରୁ ରୋହିତ ଶର୍ମା ଏବଂ ଶୁଭମନ ଗିଲ୍ଙ୍କ ମଧ୍ୟରେ ପ୍ରଥମ ଓ୍ଵିକେଟ୍ ପାଇଁ ୭୪ ରନର ଭାଗିଦାରୀ ହୋଇଥିଲା। ଏହା ପରେ ଶୁଭମନ ଗିଲ୍ ଏବଂ ଚେତେଶ୍ଵର ପୂଜାରା ଦ୍ଵିତୀୟ ଓ୍ଵିକେଟ୍ରେ ୧୧୩ ରନ ଯୋଡିଥିଲେ। ପୂଜାରା ଆଉଟ୍ ହେବା ପରେ କ୍ରିଜକୁ ଆସିଥିବା ବିରାଟ କୋହଲି ଏବଂ ଗିଲ୍ ତୃତୀୟ ଓ୍ଵିକେଟ୍ ପାଇଁ ୫୮ ରନ ଯୋଡିଥିଲେ। ଶୁଭମନ ଗିଲ୍ ଦମଦାର ଶତକ ଅର୍ଜନ କରି ଆଉଟ୍ ହୋଇଥିଲେ। ଏହା ପରେ ବିରାଟ କୋହଲି ଏବଂ ରବୀନ୍ଦ୍ର ଜାଡେଜା ଚତୁର୍ଥ ଓ୍ଵିକେଟ୍ ପାଇଁ ୬୪ ରନର ଭାଗିଦାରୀ କରିଥିଲେ। ପୁଣି ବିରାଟ କୋହଲି ଏବଂ କେଏସ ଭରତ ପଞ୍ଚମ ଓ୍ଵିକେଟ୍ରେ ୮୪ ରନ ଯୋଡିଥିଲେ। ଏହା ପରେ ଷଷ୍ଠ ଓ୍ଵିକେଟ୍ରେ ବିରାଟ କୋହଲି ଏବଂ ଅକ୍ଷର ପଟେଲ୍ ଦମଦାର ବ୍ୟାଟିଂ କରି ୧୬୨ ରନ ଯୋଡିଥିଲେ।
ସୂଚନା ଯେ, ଭାରତ ପୂର୍ବରୁ ଅଷ୍ଟ୍ରେଲିଆ ୧୯୬୦ରେ ଓ୍ଵେଷ୍ଟଇଣ୍ଡିଜ ବିପକ୍ଷରେ ଏହି ରେକର୍ଡ କରିଥିଲା। ପୁଣି ପାକିସ୍ତାନ ବାଂଲାଦେଶ ବିପକ୍ଷରେ ଏହି ସଫଳତା ହାସଲ କରିଥିଲା।
