ନବ ଦାସ ହତ୍ୟାକାଣ୍ଡ ପଛରେ ୨ ଅଣ ଓଡ଼ିଆ ଅଫିସର : ବିଜୟ ମହାପାତ୍ର
ଭୁବନେଶ୍ୱର : ନବ ଦାସ ହତ୍ୟାକାଣ୍ଡର ୨ ଅଣ ଓଡ଼ିଆ ଅଫିସର ମୁଖ୍ୟ ନାୟକ । ସେମାନଙ୍କ ମଧ୍ୟରୁ ଜଣେ ଆଇଏଏସ୍ ଓ ଜଣେ ଆଇପିଏସ୍ ଅଫିସର । ସେମାନେ ଏହି ଘଟଣାର ପ୍ରକୃତ ତଦନ୍ତ ଚାହୁଁ ନାହାନ୍ତି । ସେମାନଙ୍କୁ ସୁରକ୍ଷା ଦେବା ପାଇଁ ମାମଲାରେ ୧୨୦ (ବି) ଦଫା ଲଗାଯାଇ ନାହିଁ । ଏହା ଓଡ଼ିଶାରେ ଏକ ଭୟଙ୍କର ଅଧ୍ୟାୟ ସୃଷ୍ଟି କରିବ ବୋଲି ଅଭିଯୋଗ କରିଛନ୍ତି ବିଜେପି ନେତା ବିଜୟ ମହାପାତ୍ର । ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି, ନବ ଦାସ ହତ୍ୟାକାଣ୍ଡ ୪୦ ଦିନରେ ପହଂଚିଲାଣି । ହେଲେ ମୃତ୍ୟୁ ପଛର ରହସ୍ୟ କ’ଣ ସେ ନେଇ କ୍ରାଇମବ୍ରାଂଚ ପାଖରେ କିଛି ବି ସୁରାଗ ନାହିଁ । ଏହାକୁ ମାମୁଲି ଭାବେ ନିଆଯାଉଛି । ଏହାର ତଦନ୍ତକୁ ଜଲଦି ଶେଷ ପର୍ଯ୍ୟାୟରେ ପହଂଚାଇବାକୁ ଷଡ଼ଯନ୍ତ୍ର ଚାଲିଛି । ସେହିପରି ଏହି ଘଟଣାର ତଦନ୍ତ ଭାର ଏଫବିଆଇକୁ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଗୃହରେ ବିବୃତି ରଖିଥିଲେ । ଏଫବିଆଇ ତଦନ୍ତର ଅଗ୍ରଗତି କେତେ ବାଟ ହେଲା ସେ ନେଇ ଆଉ କିଛି ବିବୃତି ଦିଆଯାଉନି । ରାଜ୍ୟରେ ବହୁ ଦକ୍ଷ ଓ ଅଭିଜ୍ଞ ପୁଲିସ୍ ଅଫିସର ଅଛନ୍ତି । ହେଲେ ଅଭିଜ୍ଞ ଓ ଦକ୍ଷ ଅଫିସରଙ୍କ ସାହାଯ୍ୟ ନ ନେଇ ଏକଚାଟିଆ ଭାବେ ଏହାର ତଦନ୍ତ କରାଯାଉଛି । ଜାଣିଶୁଣି ଏହି ଘଟଣାକୁ ଚପାଇ ଦିଆଯାଇଛି ବୋଲି କହିଛନ୍ତି ବିଜୟ ମହାପାତ୍ର । ଏଥିସହ ସହ କହିଛନ୍ତି, ନବ ଦାସ ମର୍ଡର କେସ୍ ର ତଦନ୍ତ ଗୋପାଳ କେନ୍ଦ୍ରିକ ହେଉଥିବା ବେଳେ ଅନ୍ୟ ଦିଗକୁ କ୍ରାଇମବ୍ରାଂଚ ଗୁରୁତ୍ୱ ଦେଉନି । ଗୋପାଳକୁ ପାଗଳ ଆଖ୍ୟା ଦେବାକୁ କ୍ରାଇମବ୍ରାଂଚ ତଥା ରାଜ୍ୟ ସରକାର ଖୁବ୍ ବ୍ୟଗ୍ର । ହେଲେ ସେ କେଉଁଠି ମାନସିକ ରୋଗର ଚିକିତ୍ସା ହେଉଥିବା ନଜର ନାହିଁ । ମେଡିକାଲ ବୋର୍ଡ ରିପୋର୍ଟରେ ଗୋପାଳ ସମ୍ପୂର୍ଣ୍ଣ ସୁସ୍ଥ ଥିବା ବେଳେ କୋର୍ଟ ବି ସେଥିରେ ମୋହର ମାରିଛନ୍ତି । ଏଥିରେ କିଛି ବଡ଼ ବଡ଼ିଆ ଲୋକେ ସମ୍ପୃକ୍ତ ଥିବା ଅନୁମାନ କରାଯାଉଛି । ଯେଉଁମାନେ ଏହି ଘଟଣାର ପ୍ଲାନ କରିଥିଲେ, ଦି ତିନି ଦିନ ପୂର୍ବରୁ ଗୋପାଳ କେଉଁଠି ଚଳପ୍ରଚଳ କରୁଥିଲା, ରାତି କାଟୁଥିଲା ତାହାର ତଦନ୍ତ କରାଗଲାନି ବୋଲି କହି ବର୍ଷିଛନ୍ତି ବିଜୟ ମହାପାତ୍ର । ଜଣେ ମନ୍ତ୍ରୀଙ୍କୁ ପୁଲିସ୍ ଗୁଳି କରିବା ସମଗ୍ର ଭାରତ ବର୍ଷରେ ପ୍ରଥମ ହୋଇଥିବା ବେଳେ ପୁଲିସ୍ ଇତିହାସରେ ଏହା ଏକ କଳଙ୍କିତ ଅଧ୍ୟାୟ ହୋଇ ରହିଯିବ । ଜଷ୍ଟିସ ଦାସ ଘଟଣାର ସୁପରଭାଇଜ କରିବେ ବୋଲି କୁହାଗଲା । ମାତ୍ର ସେ କେବେ ସୁପରଭାଇଜ କଲେ ଓ କ’ଣ କଲେ ତାହା କାହାକୁ ଜଣାପଡ଼ିଲାନି । ଦୀପାଳି ଦାସ ତଦନ୍ତରେ ସନ୍ତୁଷ୍ଟ ଥିବା ନେଇ ବିଜୟ ମହାପାତ୍ର କହିଛନ୍ତି, ଏହା କେବଳ ଦୀପାଳିଙ୍କ କେସ୍ ନୁହେଁ, ଏହା ସମ୍ପୂର୍ଣ୍ଣ ଓଡ଼ିଶାବାସୀଙ୍କ କେସ୍ । ସତ ପଦାକୁ ଆସୁ ବୋଲି ଦିପାଳୀଙ୍କର ବି ଇଚ୍ଛା ଥିବ ।
